ଭୁବନେଶ୍ୱର,ତା.୧୧/୧୦(ରତ୍ନଗିରି ନ୍ୟୁଜ) : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ବିଧିବିଦ୍ଧ ଭାବେ ସାମଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ରହି ଢ଼ୋଲକିଆଙ୍କୁ ଦଳୀୟ ଟୋପି ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ଆସନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପାଇଁ ନୀତିଗତ ନିଷ୍ପତି ନେଇଛନ୍ତି । ତାଙ୍କ ଯୋଗଦାନ ଦ୍ୱାରା ଭାରତୀୟ ଜନତା ପାର୍ଟି ନୂଆପଡ଼ାରେ ସମେତ ସମଗ୍ର ଓଡ଼ିଶାରେ ଆହୁରି ଅଧିକ ଶକ୍ତିଶାଳୀ ହେବ । ବିଜେପି ସରକାର ଓଡିଶାରେ ୧୬ ମାସ ଶାସନ କରିବା ଭିତରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଛି । ଏସବୁ କାର୍ଯ୍ୟ ଲୋକଙ୍କ ମନକୁ ଆନ୍ଦୋଳିତ କରିଛି । ଲୋକଙ୍କ ଏହି ବିଶ୍ୱାସ ଆଗାମୀ ଉପନିର୍ବାଚନରେ ପ୍ରତିଫଳନ ହେବ । ବିଜେପିର ପ୍ରାର୍ଥୀ ସେଠାରେ ଯଶସ୍ୱୀ ହେବେ । ଆଗାମୀ ଦିନରେ ନୂଆପଡ଼ାର ଅଧୁରା କାମକୁ ପୂରା କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ମିଶ୍ରଣ ପର୍ବରେ ଶ୍ରୀ ଜୟଙ୍କୁ ସ୍ୱାଗତ କରିବାକୁ ଯାଇ ମୁଖମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ କହିଛନ୍ତି ଯେ, ଏହି ଦଳ ହେଉଛି ବିଶ୍ୱର ସର୍ବବୃହତ୍ ଦଳ । ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିକଶିତ ପଥେ ଆଗେଇ ଚାଲିଛି । ବିଜେପି ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ । ଗତ ୧୬ ମାସରେ ଏହି ସରକାର ତାହା କାର୍ଯ୍ୟରେ କରି ଦେଖାଇଛି । ଆମ ସରକାରଙ୍କ ପ୍ରତିବଦ୍ଧତା, ସୁଶାସନ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନମଙ୍ଗଳ କାର୍ଯ୍ୟକୁ ଆଧାର କରି ସ୍ୱର୍ଗତଃ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଦେଶର ୧ ନମ୍ବର ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲାବାସୀ ଜଣେ ଭଲ ନେତାଙ୍କୁ ହରାଇଛନ୍ତି । ସେ କେବଳ ଜଣେ ଦରଦୀ ନେତା ନ ଥିଲେ, ସମାଜସେବୀ ହିସାବରେ ମଧ୍ୟ ତାଙ୍କର ପରିଚୟ ଥିଲା । ତାଙ୍କ ଅବର୍ତମାନରେ ନୂଆପଡ଼ା ଜିଲ୍ଲାର ବିକାଶ ପ୍ରକ୍ରିୟା ଜାରି ରହିବ । ଜିଲ୍ଲାବାସୀଙ୍କ ଦାୟିତ୍ୱ ମୁଁ ନେଇଛି । ଯେତେବେଳେ ଜିଲ୍ଲାବାସୀ ଚାହିଁବେ ମତେ ଭେଟି ପାରିବେ । ଜୟ ଢୋଲକିଆଙ୍କ ଯୋଗଦାନ ବିଜେପିକୁ ଆହୁରି ସଶକ୍ତ କରିବ ।

ଶ୍ରୀ ଜୟ ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି. ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ଲୋକପ୍ରିୟ ମୁଖ୍ୟନ୍ତ୍ରୀମନ୍ତ୍ରୀ ମୋହନ ଚରଣ ମାଝୀ, ନୂଆପଡ଼ାର ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ଯୋଗଦେଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ କରିବା ପାଇଁ ଅନ୍ତିମ ନିଶ୍ୱାସ ମଧ୍ୟ ଚେଷ୍ଠା କରିବି । ବିକାଶ ଧାରା ଏକ ନିରନ୍ତର ପ୍ରକ୍ରିୟା । ନୂଆପଡ଼ା ଏକ ଉପାନ୍ତ ଅଂଚଳ । ଏହି ଅଂଚଳର ବିକାଶ ପାଇଁ ବାପା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲିକିଆ ଅନେକ ସ୍ୱପ୍ନ ଦେଖିଥିଲେ । ଏହି ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମୁଁ ବିଜେପିରେ ଯୋଗଦେଇଛି । ନୂଆପଡ଼ାକୁ ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ମୁଁ ଶପଥ ନେଉଛି ବୋଲି ଶ୍ରୀ ଜୟ ଢୋଲିକଆ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂ ଦେଓ, ପୂବର୍ତନ ସାଂସଦ ତଥା ପୂବର୍ତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ, ବରିଷ୍ଠ ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ହିମାଂଶୁ ଶେଖର ସାହୁ ଓ ଶ୍ରୀ ପ୍ରକାଶ ସେଠୀ, ପୂବର୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ଓ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ ।