ଭୁବନେଶ୍ବର (ରତ୍ନଗିରି ନ୍ୟୁଜ) ୨୨/୧୦: ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଦିନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ୍ ସଭାଗୃହରେ ରାଜ୍ଯ ସଭାପତି ପ୍ରଭାତ କୁମାର ତିୱାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ବିଗତ ଦିନରେ ରାଜ୍ଯ ସରକାର ବିଭିନ୍ନ ବର୍ଗର କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିଥିବା ବେଳେ ଗ୍ରାମ ରୋଜଗାର ସେବକ (ଜିଆରଏସ୍) ମାନଙ୍କୁ ଆଜିଯାଏ ସରକାରୀ କର୍ମଚାରୀର ମାନ୍ଯତା ପ୍ରଦାନ କରି ନାହାଁନ୍ତି l ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା କ୍ଷେତ୍ରରେ ଜିଆରଏସ୍ ମାନେ ପ୍ରମୁଖ ଭୂମିକା ନେଇ ଆସିଛନ୍ତି l ତେବେ ସେମାନଙ୍କୁ ବିଭିନ୍ନ ସମୟରେ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ଯ ଏ ଯାଏ ତାହା ପୁରଣ କଲେ ନାହିଁ l
ନିକଟରେ ସରକାର ଜିଆରଏସ୍ ମାନଙ୍କ ଦାବୀକୁ ପୂରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଥାୟୀ କରିବେ ବୋଲି ସଂଘ ଆଶା ପ୍ରକାଶ କରିଛି l ଯଦି ସରକାର ତାହା ପୁରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ରାଜଧାନୀରେ ରାଜ୍ୟସ୍ତରୀୟ ସମାବେଶ ସହ ବିଭନ୍ନ ଚରମ ପଦକ୍ଷେପ ନେବ ବୋଲି ଏହି ଅବସରରେ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି l
ସଂଘର ନିଷ୍ପତ୍ତି କ୍ରମେ ନୂତନ ଭାବେ ସଂଗ୍ରାମ ସିଂହ ଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ମନୋନୀତ କରାଯାଇଥିବା ବେଳେ ଦେବାଶିଷ ରାଉତଙ୍କୁ କୋଷାଧ୍ଯକ୍ଷ ମନୋନୀତ କରାଯାଇଛି l ସଙ୍ଘର ଆଗାମୀ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସଭାପତି, ସାଧାରଣ ସମ୍ପାଦକଙ୍କ ସମେତ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ରାଜ୍ଯସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ସଂଘର ସାଙ୍ଗଠନିକ ସମ୍ପାଦକ ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି l