କେନ୍ଦ୍ରାପଡ଼ା(ରତ୍ନଗିରି ନ୍ୟୁଜ) : ସରକାରଙ୍କ ଆଦେଶ ଅନୁଯାୟୀ ୟୁଡିଆଇଡି ସାର୍ଟିଫିକେଟ ନଥିବା ଭିନ୍ନକ୍ଷମମାନେ ଆସନ୍ତା ସେପ୍ଟେମ୍ବର ୧ତାରିଖ ଠାରୁ ପୁରୁଣା ଭିନ୍ନକ୍ଷମ ସାର୍ଟିଫିକେଟରେ ଆଉ କୌଣସି ସରକାରୀ ସୁବିଧା ପାଇପାରିବେ ନାହିଁ । ତେଣୁ ପୁରୁଣା ପ୍ରମାଣପତ୍ର ଥିବା ଜିଲାର ସମସ୍ତ ଭିନ୍ନକ୍ଷମମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ଅନଲାଇନରେ ଦରଖାସ୍ତ କରି ୟୁଡିଆଇଡି ସାର୍ଟିଫିକେଟ ହାସଲ କରିବା ଜରୁରୀ ହୋଇପଡିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପୂର୍ବରୁ ଅତିରିକ୍ତ ଜିଲାପାଳ(ସାଧାରଣ) ଙ୍କ ସଭାପତିତ୍ଵରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପୌରପରିଷଦ ଟାଉନହଲ ପରିସରରେ ସୋମବାର ଆରମ୍ଭ ହୋଇଥିବା ଭୀମଭୋଇ ସାମର୍ଥ୍ୟ ଶିବିର ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ। ଏହି ଶିବିରରେ ମାନସିକ ଭିନ୍ନକ୍ଷମ ବିଭାଗ ବ୍ୟତିତ ଅନ୍ୟ ସମସ୍ତ ବିଭାଗ ପାଇଁ ଡାକ୍ତର ଓ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।
ଶଲ୍ୟ ବିଭାଗର ଡା. ବୀରେନ୍ଦ୍ର କୁମାର ଦାସ, ଶ୍ରବଣ ବିଭାଗର ଡା. ବିଜୟ କୁମାର ଦାସ, ଚକ୍ଷୁ ବିଭାଗର ଡା. ଅଜୟ କୁମାର ସାହୁ, ଶିଶୁ ବିଭାଗର ଡା. କିଶୋର ଚନ୍ଦ୍ର ମିଶ୍ର ଏବଂ ସହାୟକ ଭାବେ ଚନ୍ଦନ ବେହେରା, ସ୍ବପ୍ନାମଞ୍ଜରୀ ଦାସ, ସତ୍ୟବ୍ରତ ଜେନା, ହେମନ୍ତ କୁମାର ନାୟକ, ଅଧିକାରୀ ରମାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସକାଳ ୧୦ଟା ଠାରୁ ଟାଉନହଲ ପରିସରରେ ଜିଲାର ୯ଟି ବ୍ଲକ ଓ ୨ଟି ପୌରପାଳିକାରୁ ଅନଲାଇନରେ ଆବେଦନ କରିଥିବା ଶ୍ରବଣ ବିଭାଗର ୬୬ଜଣ, ଚକ୍ଷୁ ବିଭାଗର ୭୪ଜଣ ଅସ୍ଥିଶଲ୍ୟ ଓ ଅନ୍ୟାନ୍ୟ ବିଭାଗର ମୋଟ ୨୩୬ଜଣ ଭିନ୍ନକ୍ଷମଙ୍କୁ ପରୀକ୍ଷା କରାଯାଇଥିଲା।
ଜିଲା ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲାର ୬ଟି ସ୍ବତନ୍ତ୍ର ବିଦ୍ୟାଳୟର କେତେକ କର୍ମଚାରୀ ଉପସ୍ଥିତ ରହି ଭିନ୍ନକ୍ଷମଙ୍କ ପଞ୍ଜିକରଣ ଓ ଡାକ୍ତରୀ ପରୀକ୍ଷା କରାଇବା ପାଇଁ ସହଯୋଗ କରିଥିଲେ।