ବରୀ(ରତ୍ନଗିରି ନ୍ୟୁଜ) :- ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ରୁଦ୍ରପୁର ପଞ୍ଚାୟତ ରଣଚକ ପଡ଼ିଆଠାରେ ପୌଷପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏକାଦଶତମ ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ତଥା ଆଞ୍ଚଳିକ ଆଧ୍ୟାତ୍ମିକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ପ୍ରତ୍ୟେହ ମଙ୍ଗଳ ଆଳତୀ, ଦଶଅବତାର ସ୍ତୁତି,ମହାପ୍ରଭୁଙ୍କ ବେଶ, ସୂର୍ଯ୍ୟପୂଜା, ଗୋ-ପୂଜା, ଭଜନ ସମାରୋହ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିବସରେ ଓଡ଼ିଶାର ପ୍ରତିଷ୍ଠିତ ଭଜନ ଶିଳ୍ପୀ ବିନୋଦ ବିହାରୀ, ପ୍ରବଚକ ଭୂପତି ମୋହନ ମହାରାଜ, ବିଭୁତି ଭୂଷଣ ପାଳଙ୍କ ସମେତ ବହୁ ପ୍ରବଚକ ଓ କଣ୍ଠଶିଳ୍ପୀ ଉପସ୍ଥିତ ରହି ଜଗନ୍ନାଥ କଥାମୃତ ଭଜନ ଶ୍ରବଣ କରାଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଝାଲପଡା, ସୂଜନପୁର, ଏରବାଙ୍କ, ସାହାସପୁର, ସ୍ୱାଇଁଖଣ୍ଡ, ଗୋଳକୁଣ୍ଡ, ବନ୍ଧଢିହ ସମେତ ବିଭିନ୍ନ ପଞ୍ଚାୟତର ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ରଣଚକ ପଡିଆରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଅସ୍ଥାୟୀ ଭାବେ ପ୍ରତିଷ୍ଠା କରାଯାଇ ନିତ୍ୟ ମଙ୍ଗଳଆଳତୀ ସହ ଅନ୍ୟାନ୍ୟ ନିତୀକାନ୍ତି କରାଯିବା ସହ ଶେଷ ଦିନରେ ଯଜ୍ଞର ପୂର୍ଣ୍ଣାହୂତୀ ସାଙ୍ଗକୁ ସ୍ୱର୍ଗଦ୍ୱାର ଭିକ୍ଷା ଅନୁଷ୍ଟିତ ହୋଇଥିଲା ।