ବରୀ(ରତ୍ନଗିରି ନ୍ୟୁଜ)୩୦/୦୪:କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଉଥିବାବେଳେ ସବୁ ବର୍ଗର ଲୋକଙ୍କୁ ନେଇ ଗ୍ରାମ ପଞ୍ଚାୟତରେ ବିକାଶ ଧାରାକୁ ଆଗକୁ ନେବା ପାଇଁ ଧାରପୁର ଗ୍ରାମପଞ୍ଚାୟତର ବୁଦ୍ଧିଜୀବୀମାନଙ୍କୁ ନେଇ ପଞ୍ଚାୟତ ବୈଠକ ସରପଞ୍ଚ କୁନା ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ବରୀ ବ୍ଲକ୍ର ଧାରପୁର ଗ୍ରାମପଞ୍ଚାୟତସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଶନିବାର ଦିନ ଗ୍ରାମପଞ୍ଚାୟତ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସରପଞ୍ଚ ଶ୍ରୀ ମଲିକଙ୍କ ସମେତ ସମିତି ସଭ୍ୟ ଶ୍ରୀଧର ସେଠୀ, ପୂର୍ବତନ ସରପଞ୍ଚ ବ୍ରଜ କିଶୋର ପାଣି, ବିଜୟାନନ୍ଦ ଜେନା, ପୂର୍ବତନ ସମିତି ସଭ୍ୟ ବିପିନ ବିହାରି ଦାସ, ସୁରେଶ ମଲିକ, ନାଏବ ସରପଞ୍ଚ ଶାନ୍ତିଲତା ଜେନା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଡାଙ୍ଗି ମୁର୍ମୁ, ପଞ୍ଚାୟତର ନିର୍ବାଚିତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାର୍ଡ କର୍ମୀ, ସହକର୍ମୀ, ଆଶାକର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ସରପଞ୍ଚ ହୋଇଥିବା ଶ୍ରୀ ମଲିକ ପଞ୍ଚାୟତ ବିକାଶ ପାଇଁ କେଉଁ କେଉଁ କାର୍ଯ୍ୟ ହାତକୁ ନିଆଯାଇପାରିବ ଓ କଣ କଲେ ଆମ ପଞ୍ଚାୟତ ସମଗ୍ର ଜିଲ୍ଲାରେ ସ୍ୱତନ୍ତ୍ର ପଞ୍ଚାୟତ ଭାବେ ସମସ୍ତଙ୍କୁ ଆକୃଷ୍ଟ କରିପାରିବ ସେ ଦିଗରେ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କ ପରାମର୍ଶ ଲୋଡିଥିଲେ । ଗ୍ରାମପଞ୍ଚାୟତ ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା ପାଇଁ ଆଗେଇ ଆସିବା ସହ ହିନମାନ୍ୟତା ନରଖି ସେବା ମନୋଭାବ ପୋଷଣ କରି କାମ କଲେ ନୂଆ ସରପଞ୍ଚ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ସାକାର ହୋଇପାରିବ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷମାନେ ମତବ୍ୟକ୍ତ କରିଥିଲେ ।
Related Stories
November 14, 2024