“ଗୋଟିଏ ନିବିଡ଼ ଜଙ୍ଗଲ ରେ ବାଟ ନଥିଲେ କୁଲି ଶ୍ରେଣୀର ଲୋକ ଜଙ୍ଗଲ କାଟି ବାଟ ର ଛାଞ୍ଚ କରିଦେଲା ଉତ୍ତାରେ ଜ୍ଞାନବନ୍ତ ଇଞ୍ଜିନିଅର ମାନେ ଆସି ସୁନ୍ଦର ସଡ଼କ ପ୍ରସ୍ତୁତ କରିଥାନ୍ତି, ତେଣୁ ଶିକ୍ଷିତ ଲୋକମାନେ ଆସି ଭଲ ଉପନ୍ୟାସ ଲେଖିବେ ସେଥିଲାଗି ମୁଁ ଗୋଟିଏ ଛାଞ୍ଚ କରି ଯାଉଛି।” -ଫକୀରମୋହନ
ଜନ୍ମ- ୧୩ ଜାନୁଆରୀ ୧୮୪୩ (ମକର ସଂକ୍ରାନ୍ତି) ମୃତ୍ୟୁ- ୧୪ ଜୁନ ୧୯୧୮ (ରଜ ସଂକ୍ରାନ୍ତି) ପିତା- ଲକ୍ଷ୍ମଣ ଚରଣ ସେନାପତି ମାତା- ତୁଳସୀ ଦେବୀ ଜନ୍ମସ୍ଥାନ- ବାଲେଶ୍ୱର ସହରର ମଲ୍ଲିକାଶପୁର। ପେଷା- ଦେୱାନୀ, ଶିକ୍ଷକତା।ନିଶା- ଓଡ଼ିଆ ଭାଷାର ସୁରକ୍ଷା। ମାନ୍ୟତା- ବ୍ୟାସକବି, ସଙ୍କ୍ରାନ୍ତି ପୁରୁଷ।
ଫକୀର ମୋହନ ସେନାପତିଙ୍କୁ ଓଡ଼ିଆ ଅଧୁନିକ ଗଦ୍ୟ ସାହିତ୍ୟର ଜନକ କୁହାଯାଏ। ତାଙ୍କର ଲେଖନୀ ଶୈଳୀ ତୀକ୍ଷ୍ଣ କଟାକ୍ଷ ଓ ସାମାଜିକ ବାସ୍ତବତା ପାଇଁ ପ୍ରସିଦ୍ଧ। ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରୁ ‘ରେବତୀ’ ଗଳ୍ପ ତଥା ‘ଛମାଣ ଆଠଗୁଣ୍ଠ’ ସର୍ବଶ୍ରେଷ୍ଠ ଉପନ୍ୟାସ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହ ଭାଷା ଆନ୍ଦୋଳନର ଜଣେ କର୍ଣ୍ଣଧାର ଭାବେ ତାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ତତକାଳୀନ ସାମାଜିକ ବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବା ସହିତ କୁସଂସ୍କାର ଦୂର କରିବା ଦିଗରେ ତାଙ୍କର ଲେଖାଗୁଡ଼ିକ ମାଇଲ୍ଖୁଣ୍ଟ ସଦୃଶ। ‘ଛ’ମାଣ ଆଠଗୁଣ୍ଠ’, ‘ମାମୁଁ’ ପରି ଉପନ୍ୟାସ ସହିତ ‘ରେବତୀ’, ‘ରାଣ୍ଡିପୁଅ ଅନନ୍ତା’, ‘ପେଟେଣ୍ଟ ମେଡିସିନ୍’ ଆଦି ତାଙ୍କର ବହୁ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ। ତାଙ୍କ ରଚନାର ଛତ୍ରେ ଛତ୍ରେ ତତ୍କାଳୀନ ସମାଜର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଚିତ୍ର ପ୍ରତିଫଳିତ।
ମାତ୍ର ଦେଢ଼ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁର ୧୪ ମାସ ପରେ ତାଙ୍କ ମା’ ମଧ୍ୟ ଆରପାରିକୁ ଚାଲିଗଲେ। ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ନେଇଥିଲେ ତାଙ୍କ ଜେଜେମା’। ପରିବାର ପ୍ରତିପୋଷଣ ନିମନ୍ତେ ଫକୀରମୋହନଙ୍କୁ ପିଲାଦିନରୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ସେ ୧୩ ବର୍ଷ ବୟସରେ ଲୀଲାବତୀ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ସେ ୧୮୭୧ରେ କୃଷ୍ଣା କୁମାରୀ ଦେଈଙ୍କୁ ପୁନଃବିବାହ କରିଥÒଲେ। ତାଙ୍କର ଦ୍ବିତୀୟ ପତ୍ନୀଙ୍କର ୧୮୯୪ରେ ହଇଜାରେ ମୃତ୍ୟୁ ହୋଇଥିଲା। ଏତେ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ସମଗ୍ର ଓଡ଼ିଆ ଜାତି ପ୍ରତି ତାଙ୍କର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ବାଲେଶ୍ବର ସ୍କୁଲ୍, କଲେଜ ଓ ବିଶ୍ବବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଛି। ମାୟାଧର ମାନସିଂହ ତାଙ୍କୁ ଓଡ଼ିଶାର ଥୋମାସ୍ ହାର୍ଡି କହୁଥିଲେ।
ଓଡ଼ିଆ ସାହିତ୍ୟ ଜଗତରେ ଫକୀର ମୋହନ ହେଉଛନ୍ତି ପ୍ରଥମ ଲେଖକ ଯିଏ ନିଜ ଆତ୍ମଜୀବନୀ ଲେଖିଥିଲେ। ମଧ୍ୟବିତ୍ତ ସମାଜର ଜୀବନ ଆଲେଖ୍ୟ ବହନ କରି ଅଭିନବ ଚରିତ୍ର ଚିତ୍ରଣ କୌଶଳରେ ତାଙ୍କର କଥା ସାହିତ୍ୟ ହୋଇଛି ପ୍ରାଣସ୍ପର୍ଶୀ ଓ କାଳଜୟୀ। ଓଡ଼ିଆ ଭାଷାର ଉନ୍ନତି ନିମନ୍ତେ ବାଲେଶ୍ବରଠାରେ ସେ ଏକ ଛପାଖାନା ସ୍ଥାପନ କରି ପାକ୍ଷିକ ସାହିତ୍ୟପତ୍ର ‘ବୋଧଦାୟିନୀ’ ଓ ସମ୍ବାଦପତ୍ର ‘ସମ୍ବାଦବାହିକା’ ପ୍ରକାଶ କରିଥିଲେ, ଯାହା ତାଙ୍କର ଅକ୍ଳାନ୍ତ ପରିଶ୍ରମ, ଗଭୀର ଆତ୍ମବିଶ୍ବାସ, ଜାତିପ୍ରୀତି ଓ କର୍ତ୍ତବ୍ୟନିଷ୍ଠାର ସୁସ୍ପଷ୍ଟ ପରିଚୟ।
ଫକୀରମୋହନ ୧୮୫୬ରେ ବିବାହ କରିଥିଲେ। ତେବେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ସେ ୧୮୭୧ରେ ପୁନର୍ବାର ବିବାହ କରିଥିଲେ। ତାଙ୍କର ପ୍ରଥମ ପୁତ୍ରର ୧୮୭୭ରେ ଛ’ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଲା। ୧୮୮୧ରେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଔରସରୁ ଦ୍ୱିତୀୟ ପୁତ୍ର ଜନ୍ମଗ୍ରହଣ କରିଥିଲା। ତାଙ୍କର ଦ୍ୱିତୀୟ ସ୍ତ୍ରୀ ମଧ୍ୟ ୧୮୯୪ରେ ହଇଜାରେ ପରଲୋକଗାମୀ ହୋଇଥିଲେ। ତାଙ୍କର ପାରିବାରିକ ଜୀବନ ନିତାନ୍ତ କଷ୍ଟଦାୟକ ଓ ଦୁର୍ଘଟଣାପୂର୍ଣ୍ଣ ଥିଲା ।
ବିଭିନ୍ନ ରାଜାକାର୍ଯ୍ୟରେ ବ୍ୟସ୍ତ ଥାଇ ବହୁ ପ୍ରତିକୂଳ ପରିସ୍ଥିତିରେ ବ୍ୟକ୍ତିଗତ ଜୀବନ ଅନୁଭବକୁ ପୁଞ୍ଜି କରି ଓଡ଼ିଆ ଭାଷାର ଶ୍ରୀବୃଦ୍ଧି ନିମନ୍ତେ ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରିଥିଲେ। ଭାଷା ସୁରକ୍ଷାର ସେ ଥିଲେ ଯଥାର୍ଥ ସେନାପତି।
ଯେତେବେଳେ କୁସଂସ୍କାରଗ୍ରସ୍ତ ସମାଜରେ ନାରୀଶିକ୍ଷା ଏକ ସାମାଜିକ ଅପରାଧ ଭାବେ ବିବେଚିତ ହେଉଥିଲା ସେତିକି ବେଳକୁ ସଂସ୍କାର ବିରୁଦ୍ଧରେ ଓ ନାରୀଶିକ୍ଷାର ସମର୍ଥନରେ “ରେବତୀ” ଗଳ୍ପ ଜନ୍ମ ନେଇଥିଲା। ଏହି ଗଳ୍ପଟି ସଫଳ ଓ ପ୍ରାଣ ସ୍ପର୍ଶୀ ହୋଇଛି ଏବଂ ଏହାର ପ୍ରତ୍ୟେକ ସ୍ତରରେ ଭାର ସାମ୍ୟ ରକ୍ଷା କରା ଯାଇଛି। ରେବତୀ ଓଡ଼ିଆ ଭାଷାର ଆଦ୍ୟ ଗଳ୍ପ ତଥା ଆଜି ପର୍ଯ୍ୟନ୍ତ ସର୍ବଜନାଦୃତ ଗଳ୍ପ, ଯାହାର ସମକକ୍ଷ ଗଳ୍ପ ସୃଷ୍ଟି ହୋଇନାହିଁ ବୋଲି ଅନେକ ଆଲୋଚକଙ୍କ ମତ। ଫକୀରମୋହନ କେତେ ସଂଯତ ଓ ଶୁଙ୍ଖଳିତ, ପ୍ରସଙ୍ଗ ଟିର ପରିବେଷଣ ରେ କେତେ ସିଦ୍ଧ ହସ୍ତ ତାହା ଏଥିରେ ଜଣାପଡୁଛି, ଯେଉଁ ବୁଢୀମା କଥା କଥାକେ ରେବତୀକୁ ନିଆଁ ଚୁଲି ବୋଲି ସମ୍ବୋଧନ କରେ ସେଇ ବୁଢୀମା ଅସୁସ୍ଥ ରେବତୀ ଦେହରେ ହାତ ବୁଲାଇ ଆଣି ଜାଣିଲା “ଦିହରେ ତାତି ନାହିଁ, କଥା କହୁ ନଥିଲା, ପାଟି ଫିଟେଇଲାଣି, ଚାହୁଁ ନଥିଲା, ଆଖି ଫିଟେଇଲାଣି, ପାଣି ପି ବାକୁ ମାଗିଲାଣି, ଛ ଦିନ ହେଲା ଜିଭରେ ପାଣି ଟୋପି ଏ ବାଜିନି, ଚାରିଟା ପଥି ପେଟ ରେ ପଡିଲେ ଝିଅ ଟା ଉଠି ବସିବ, ତୁ ଶୋଇଥା, ମୁଁ ଚାରିଟା ପଥି ରାନ୍ଧି ଆଣେ।” ଇଏ ହେଉଛି ବୁଢୀମା, ମନେ ହୁଏ ଦୁଇ ବିପରୀତ ମେରୁର ସେ ଜଣେ ମଣିଷ, ଇଏ ଫକୀରମୋହନ ଙ୍କର ସେଇ ସାଆନ୍ତମା।
ଫକୀରମୋହନଙ୍କ ରେବତୀ ସମାଜ ଶୃଙ୍ଖଳରେ ଆବଦ୍ଧ, ନାରୀଶିକ୍ଷାର ସ୍ୱର ନିରବୀ ଯାଇଛି ତତକାଳ ପରିସ୍ଥିତି ଓ ପରିବେଶର ତାଡନାରେ। ବାସୁ ମାଷ୍ଟ୍ରଙ୍କ ଲକ୍ଷ୍ୟ, ବାପା ଶ୍ୟାମବନ୍ଧୁଙ୍କ ସ୍ୱପ୍ନ ସବୁ ଚୁରମାର ହୋଇଯାଇଛି। ତେଣୁ ବୁଢୀମାର ଚୁଲି ନିଆଁ ଭିତରେ ରେବତୀର ସ୍ୱର ନିଷ୍ପ୍ରଭ ହୋଇ ରେବତୀ ଓ ବାସୁ ମାଷ୍ଟ୍ରଙ୍କ ଗୁରୁ ଛାତ୍ରୀ ସମ୍ପର୍କ ଅସଫଳ ପ୍ରେମ ଓ ବିୟୋଗନ୍ତକରେ ସମାପ୍ତ ହୋଇଛି।

ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ। ଏହି ସୂତ୍ରରେ ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ। ’ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ’ ପରି ଗୁଣୀ ପଣ୍ଡିତ ବିମ୍ସ ସାହେବ ଫକୀରମୋହନଙ୍କ ପାଣ୍ଡିତ୍ୟ ଓ ବିଦବତ୍ତାକୁ ଚିହ୍ନିପାରିଥିଲେ। ଏହି ସମୟରେ ବିମ୍ସ ସାହେବ ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରୁଥିଲେ। ଫକୀରମୋହନଙ୍କ ଠାରୁ ସେ ଏଥିଲାଗି ଓଡ଼ିଆ ଶିକ୍ଷା କରିଥିଲେ। ତାଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବିମ୍ସ ସାହେବ ତାଙ୍କୁ ନୀଳଗିରିର ଦିୱାନ ପଦ ଗ୍ରହଣ କରିବା ଲାଗି ଆଗ୍ରହ କଲେ, ଯାହା ଫକୀରମୋହନ ମାସିକ ଦରମା ୧୦୦୦ ଟଙ୍କାରେ ଗ୍ରହଣ କଲେ। ଏହା ପରେ ସେ ଓଡ଼ିଶାର ନିମ୍ନ ସ୍ଥାନମାନଙ୍କରେ ଦେୱାନ ଦାୟିତ୍ୱ ନିର୍ବାହ କରିଥିଲେ:-
୧୮୭୧ ରୁ ୧୮୭୫ ଯାଏଁ ନୀଳଗିରିରେ, ୧୮୭୬-୭୭ ଯାଏଁ ଡମପଡାରେ, ୧୮୭୭-୮୩ ଯାଏଁ ଢେଙ୍କାନାଳରେ, ୧୮୮୪-୮୬ ଯାଏଁ ଦଶପଲ୍ଲାରେ, ୧୮୮୬-୮୭ ଯାଏଁ ପାଲଲହଡ଼ାରେ, ୧୮୮୭-୯୨ ଯାଏଁ କେଉଁଝରରେ ଓ ୧୮୮୪-୮୬ ଯାଏଁ ପୁନର୍ବାର ଡମପଡାରେ ସେ ଏହି ଦାୟିତ୍ୱ ତୁଲାଇଥିଲେ। ୧୮୯୬ ରୁ ୧୯୦୫ ଯାଏଁ ସେ କଟକରେ ଅବସ୍ଥାନ କରିଥିଲେ ଓ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନମାନଙ୍କରେ ଅଂଶଗ୍ରହଣ କରିଥିଲେ। ଏହାପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ। ପ୍ରତିଟି ସଙ୍କ୍ରାନ୍ତି କ୍ରାନ୍ତି ବା ପରିବର୍ତ୍ତନର ଦିନ, ଯାହା ଗରଳ ପିଇ ଅମୃତ ବିତରଣ କରୁଥିବା ଶିବଙ୍କୁ ସମର୍ପିତ। ଫକୀରମୋହନଙ୍କ ଜନ୍ମ ଓ ମୃତ୍ୟୁ ସଙ୍କ୍ରାନ୍ତିରେ ହୋଇଥିବାରୁ ତଥା ବହୁ ଦୁଃଖ ମଧ୍ଯରେ ସେ ଅମୃତ ବିତରଣ କରିଥିବାରୁ ଖାଲି ବ୍ୟାସକବି ନୁହେଁ, ବରଂ ସଙ୍କ୍ରାନ୍ତି ପୁରୁଷ ପଦବୀ ତାଙ୍କ ପାଇଁ ଯଥାର୍ଥରେ ପ୍ରଯୁଜ୍ୟ।