ବରୀ (ରତ୍ନଗିରି ନ୍ୟୁଜ) : କୋଟି ଓଡିଆର ମଉଡମଣୀ, ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀଠାରେ ଉଦ୍ଘାଟିତ ହେବାକୁ ଯାଉଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ପୂର୍ବରୁ ଯୁବ ସମାଜସେବୀ ସଞ୍ଜିବ ଜେନାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଭବ୍ୟ ଆଡମ୍ବର ସହକାରେ ଅନୁଷ୍ଠିତ ଜୟ ଜଗନ୍ନାଥ ଅର୍ପଣ ରଥକୁ ମିଳିଛି ଅହେତୁକ ସ୍ୱାଗତ ସମ୍ବର୍ଦ୍ଧନା । ବରୀ ବ୍ଲକ୍ ଅର୍ନ୍ତଗତ ସାହୁପଡା ପଞ୍ଚାୟତର ହଳଦୀବସନ୍ତଠାରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରୁ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ବିରାଜିତ ରଥ ୩୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସଂକୀର୍ତ୍ତନମଣ୍ଡଳୀ, ଘଣ୍ଟ ବାଦ୍ୟଦଳ, ନୟାଗଡର ପ୍ରସିଦ୍ଧ ପାରମ୍ପାରିକ ମୟୁରମୟୁରୀ ନୃତ୍ୟ ପ୍ରଦର୍ଶନୀ ମାଧ୍ୟମରେ ଆରମ୍ଭ ହୋଇଥିଲା । ଆଧ୍ୟାତ୍ମିକ ପରିବେଶ ଭିତରେ ଏହି ଯାତ୍ରା ସାହୁପଡା, ଧାରପୁର, ବାଲିଆ ଓ ଇଶାଣପୁର ଆଦି ୪ଗୋଟି ପଞ୍ଚାୟତ ଦେଇ ଇଶାଣପୁର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ପହଞ୍ôଚଥିଲା ।
ଯୁବ ସମାଜସେବୀ ସଞ୍ଜିବ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ଉଦ୍ଦେଶ୍ୟରେ ଘରୁ ଘରୁ ଶ୍ରଦ୍ଧାର ସହ ମୁଠେ ଚାଉଳ, ଗୋଟେ ଗୁଆ ସଂଗ୍ରହ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହଜାର ହଜାର ପୁରୁଷମହିଳା ଆପଣା ଛାଏଁ ସାମିଲ ହୋଇଥିଲେ । ଭକ୍ତି ଓ ଭାବର ସହ ଅନୁଷ୍ଠିତ ଏଭଳି ଏକ କାର୍ଯ୍ୟକ୍ରମ କେବେ କେଉଁଠି ହୋଇଥିବା ନଜିର ନାହିଁ ବୋଲି ବହୁ ବ୍ୟକ୍ତିବିଶେଷ ନିଜର ମତବ୍ୟକ୍ତ କରୁଥିବାବେଳେ ଯେଉଁ ପଥ ଦେଇ ରଥ ଶୋଭାଯାତ୍ରା ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେହି ସମୟରେ ପ୍ରତି ଘର ଆଗରେ ମହିଳାମାନେ ରଥକୁ ହୁଳହୁଳି ଓ ଶଙ୍ଖ ଧ୍ୱନି ମାଧ୍ୟମରେ ବନ୍ଦାପନା କରି ଭବ୍ୟ ସ୍ୱାଗତ କରିଥିଲେ । ସତେ ଯେମିତି ଲାଗୁଥିଲା ହଳଦୀବସନ୍ତରୁ ଇଶାଣପୁର ରାସ୍ତା ବଡଦାଣ୍ଡ ପାଲଟିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ଶ୍ରୀଜଗନ୍ନାଥ ଧାମ ପୁରୀକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ଯାହାର ଫଳ ସ୍ୱରୂପ ଚଳିତ ମାସ ୧୭ତାରିଖରେ ଏହି ପ୍ରକଳ୍ପ ଲୋର୍କାପଣ ହେବାକୁ ଯାଉଛି ସେହି କାର୍ଯ୍ୟକ୍ରମରେ ସାମାନ୍ୟତମ ସହଯୋଗ କରିବା ପାଇଁ ପ୍ରୟାସ କରିଥିବା ଯୁବ ସମାଜସେବୀ ସଞ୍ଜିବ ଜେନା ପ୍ରକାଶ କରିଛନ୍ତି । ମକର ସଂକ୍ରାନ୍ତି ସକାଳେ ଏହି ଅର୍ପଣ ରଥ ବାହାରିବା କ୍ଷଣି ସଂପୂର୍ଣ୍ଣ ପରିବେଶ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ଘଣ୍ଟଘଣ୍ଟା, ଭଜନକୀର୍ତ୍ତନ, ପାରମ୍ପାରିକ ନୃତ୍ୟ ଗୀତର ତାଳେତାଳେ ରୁଣ୍ଡିଭୂତ ଭକ୍ତମାନେ ଏହି ରଥକୁ ଆଗକୁ ଆଗକୁ ନେଇ ଚାଲିଥିଲେ ।
ଶ୍ରୀ ଜେନାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ସମୟରେ ବରୀ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଭାରତୀ ବେହେରା, ଧାରପୁର ସମବାୟ ସମିତି ସଭାପତି ରାଜେନ୍ଦ୍ର ଜେନା, ଯୁବ ସମାଜସେବୀ ଗୁରୁଚରଣ ଦାସ, ଗିରିନ୍ଦ୍ର ପତି, ଗୌତ୍ତମ ଜେନା, ସୁନନ୍ଦ କୁମାର ଜେନା, ଅଭିରାମ ଦାସ, ସୁଶାନ୍ତ କୁମାର ଜେନା, ଆଶିଷ କୁମାର ଜେନା, ବିବେକାନନ୍ଦ ଜେନା, ସଞ୍ଜୟ ଜେନା, କୁଳମଣି ଜେନା, ସଚିଦାନନ୍ଦ ଜେନାଙ୍କ ସମତେ ବହୁ ଜଗନ୍ନାଥପ୍ରେମୀ ଆପଣା ଛାଏଁ ଏଥିରେ ସାମିଲ ହୋଇଥିଲେ । ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସଞ୍ଜିବଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ଭୁରିଭୁରି ପ୍ରସଂଶା କରାଯାଇଥିଲା ।