ଆଜି ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ । 71 ବର୍ଷରେ ପାଦ ଦେଇଛନ୍ତି ଥଲାଇଭା ଷ୍ଟାର । ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତଙ୍କୁ ଲୋକେ ଏତେମାତ୍ରାରେ ଭଲ ପାଆନ୍ତି ଯେ ତାଙ୍କୁ ଭଗବାନ ମାନନ୍ତି ପ୍ରଶଂସକ । ଫିଲ୍ମ ରିଲିଜ ହେବା ମାତ୍ରେ ଜନସମୁଦ୍ର ସୃଷ୍ଟି ହୁଏ ହଲରେ । ରଜନୀଙ୍କୁ ଭାରତୀୟ ସିନେମା ଜଗତର ଭଗବାନ କୁହାଯାଏ ମଧ୍ୟ । ଚମତ୍କାର ଅଭିନୟ ଏବଂ ନିଜର ଡାଏଲଗ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଏହି ହିରୋଙ୍କ ଜୀବନଯାତ୍ରା କିନ୍ତୁ ଖୁବ୍ ସଂଘର୍ଷମୟ । ସାମାନ୍ୟ କୁଲିରୁ ସୁପରଷ୍ଟାର ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାଦୟକ । ନିଜ ଅଭିନୟ ଜରିଆରେ ସମସ୍ତଙ୍କୁ ମୋହିତ କରୁଥିବା ରଜୀନ ଆଜି ବୟସର ଆଉ ଏକ ପାହଚରେ ପାଦ ଥାପିଛନ୍ତି ।
1950 ମସିହା ଆଜିର ଦିନରେ ବେଙ୍ଗାଲୁରୁ ଠାରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ । ଗୋଟିଏ ଗରୀବ ପରିବାରରେ ତାଙ୍କର ଜନ୍ମ । ରଜନୀଙ୍କ ପିତା ରାମୋଜୀ ରାଓ ଗାୟକୱାଡ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ । ରଜନୀକାନ୍ତ ଚାରି ଭାଇ-ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ଥିଲେ । ତାଙ୍କର ପ୍ରକୃତ ନାମ ଶିବାଜୀ ରାଓ ଗାୟକୱାଡ ଅଟେ । ଯେତେବେଳେ ରଜନୀକାନ୍ତଙ୍କୁ ମାତ୍ର ୫ ବର୍ଷ ହୋଇଥିଲା, ତାଙ୍କର ମାଆ ଜୀଜାବାଇ ଆରପାରିକୁ ଚାଲି ଯାଇଥିଲେ । ସେପଟେ ଦିନକୁ ଦିନ ଘରର ଆର୍ଥିକ ସ୍ଥିତି ମଧ୍ୟ ଖରାପ ହେବାକୁ ଲାଗିଥିଲା । ଯେଉଁ କାରଣରୁ ତାଙ୍କୁ କୁଲି ଖଟିବାକୁ ପଡିଥିଲା । ଏହାପରେ ଟଙ୍କା କମାଇବାକୁ ରଜନୀ କାଠ କାମ କରିଥିଲେ । କିଛି ଦିନ ପରେ ବେଙ୍ଗାଲୁରୁ ପରିବହନ ସେବାରେ ବସ୍ କଣ୍ଟକ୍ଟର ଭାବେ ମଧ୍ୟ ଚାକିରି କରିଥିଲେ ରଜନୀକାନ୍ତ ।
ଅଭିନୟ ପ୍ରତି ରଜନୀକାନ୍ତଙ୍କ ଖୁବ୍ ଦୁର୍ବଳତା ରହିଥିଲା । ସେ ଜଣେ ଅଭିନେତା ହେବାକୁ ଚାହୁଁଥିଲେ । ଯେଉଁ କାରଣରୁ ରଜନୀକାନ୍ତ ୧୯୭୩ ମସିହାରେ ମାଦ୍ରାସ ଫିଲ୍ମ ସଂସ୍ଥାନରେ ଆଡମିଶନ କରି ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ । ତାଙ୍କର ଘନିଷ୍ଠ ବନ୍ଧୁ ରାଜ୍ ବାହାଦୂର ଆକ୍ଟର ବନିବାର ତାଙ୍କ ସ୍ବପ୍ନକୁ ପୁରା କରିବାରେ ସାହାଯ୍ୟ କରିଥିଲେ ।
୧୯୭୫ ମସିହାରେ ଚଳଚ୍ଚିତ୍ର ‘ଅପୂର୍ବା ରାଗନଗାଲ’ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ସୁପରଷ୍ଟାର ରଜନୀକାନ୍ତ । ନିଜ ପ୍ରାରମ୍ଭିକ କ୍ୟାରିୟରରେ ସେ ବହୁ ନେଗେଟିଭ ଭୂମିକା ନିଭାଇଥିଲେ । ଭୁୱନ ଔର କେଲ୍ବିକୁରୀ ଫିଲ୍ମରେ ରଜନୀ ପ୍ରଥମ କରି ହିରୋ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହାବାଦ୍ ୧୯୮୩ ମସିହାରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ଏହି ସୁପରଷ୍ଟାର । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ନାଁ ଥିଲା ଅନ୍ଧା କାନୁନ । ସେହିଦିନ ପରଠୁ ହିଁ କେବଳ ସଫଳତାର ଶିଡି ଚଢି ଚାଲିଛନ୍ତି ରଜନୀକାନ୍ତ । ମେରି ଅଦାଲତ, ଜାନ ଜାନି ଜନାର୍ଦ୍ଦନ, ଭଗବାନ ଦାଦା , ଦୋସ୍ତି ଦୁଶମନି, ଇନସାଫ୍ କୌନ କରେଗା, ଅସଲୀ ନକଲୀ, ହମ, ଖୁନ କା କର୍ଜ, କ୍ରାନ୍ତିକାରୀ, ଚାଲବାଜ, ଇନସାନିୟତ ପ୍ରମୁଖ ସୁପରହିଟ୍ ବଲିଉଡ ଫିଲ୍ମରେ ସେ କାମ କରିଛନ୍ତି । ସେ ୧୬୦ରୁ ଊର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଛନ୍ତି ।
ଚଳଚ୍ଚିତ୍ର ଜଗତରେ ଚମତ୍କାର ଅଭିନୟ ପାଇଁ ଅନେକ ପୁରସ୍କାର ପାଇଛନ୍ତି । ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ଭଳି ସମ୍ମାନ ଲାଭ କରିଛନ୍ତି ରଜନୀକାନ୍ତ । ନିକଟରେ ତାଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ ମଧ୍ୟ ମିଳିଛି ।
Related Stories
June 9, 2022