ବରୀ(ରତ୍ନଗିରି ନ୍ୟୁଜ) : ବିଜୁ ଜନତା ଦଳ ପକ୍ଷରୁ ବରୀ ବ୍ଲକ୍ ଅର୍ନ୍ତଗତ ଖରିପଡ଼ିଆ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜୟନ୍ତୀ ସମାବେଶ ଉପଲକ୍ଷେ ଏକ ବନ୍ଧୁ ମିଳନ ଏବଂ ପ୍ରସ୍ତୃତି ବୈଠକ ରବିନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବରୀରେ ଯେଉଁମାନେ ବିଜୁ ବାବୁଙ୍କୁ ଭଲ ପାଉଥିଲେ ଏବଂ ବିଜୁ ବାବୁଙ୍କ ଅନ୍ତେ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଠିତ ବିଜୁ ଜନତା ଦଳର ସଦସ୍ୟ ଭାବେ ଦୀର୍ଘ ୨୫ ବର୍ଷ ଧରି ନିଃସ୍ୱାର୍ଥ ପର ଭାବେ କାର୍ଯ୍ୟ କରିଆସୁଛନ୍ତି, ସେମାନଙ୍କୁ କଥାକଥିତ ବର୍ତ୍ତମାନର ନେତାମାନେ ଅଣଦେଖା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ଆପଣାଇ ଦଳରେ ଥିବା ମୂଳ କର୍ମୀମାନଙ୍କ ମଧ୍ୟରେ ଏଭଳି ଅଣ ଦେଖାକୁ କେନ୍ଦ୍ରକରି ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଛି । ଆଗାମୀ ୭ତାରିଖରେ ସାହୁପଡ଼ା ଖେଳପଡିଆଠାରେ ବିଜୁ ଅନୁଗତ ଏବଂ ଶାସକ ବିଜୁ ଜନତା ଦଳର ପୁରୁଖା କର୍ମୀମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କରାଯିବ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେମାନଙ୍କ ଦୁଃଖ ଅବଗତ କରା ଯିବ ବୋଲି ଆଜିର ବୈଠକରେ ସ୍ଥିର ହୋଇଥିବା ଜଣାପଡିଛି । ଯୁବନେତା ସଞ୍ଜିବ କୁମାର ଜେନାଙ୍କ ନେତୃତ୍ୱକୁ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ବହୁ ଦଳିୟକର୍ମୀ ଏହି ବୈଠକରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ବରୀ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା, ବିଜେଡ଼ିର ପ୍ରାକ୍ତନ ବ୍ଲକ ସଭାପତି ସେକ ସଫିକଉଦ୍ଦିନ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାମଲ, ପ୍ରାକ୍ତନ ସରପଞ୍ଚ ଅରୁଣ ସେଠି, ପ୍ରଫୁଲ୍ଲ ସାହୁ, ଅକ୍ଷୟ ଜେନା, ସବିର ଅଲ୍ଲି, ମିଟୁ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରି ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ ଭାବେ ଆସିନ କରାଇବା ପାଇଁ ସେ କ୍ଷେତ୍ରରେ ସମସ୍ତେ ମିଳିମିଶି ଉଦ୍ୟମ କରିବାକୁ ଉପସ୍ଥିତ ଥିବା ବକ୍ତାମାନେ ମତ ରଖିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀ ଅଣ କଂଗ୍ରେସ ଗଡ ଭାବେ ପରିଚିତ । ଏଠାରେ ଥରେ ମାତ୍ର କଂଗ୍ରେସ ପ୍ରାର୍ଥୀ ବିଜୟୀ ହେଇଥିବା ବେଳେ ୨୦୦୦ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଦେବାଶିଷ ନାୟକ ଓ ୨୦୧୯ରୁ ଅଦ୍ୟାବଧି ସୁନନ୍ଦା ଦାସ ଶାସକ ବିଜୁ ଜନତା ଦଳର ବିଧାୟକ ଓ ବିଧାୟିକା ଭାବେ ବିଜୟଲାଭ କରି ବରୀ ଯେ ଅଣ କଂଗ୍ରେସର ଗଡ ତାହା ପ୍ରମାଣିତ କରିଛନ୍ତି । ଆଗାମୀ ୨୦୨୪ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ବହୁ ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥୀନୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଯୁବ ନେତା ସଞ୍ଜିବ ଜେନାଙ୍କ ପ୍ରତି ଜନସର୍ମଥନ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।