ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ):- ବରିଷ୍ଠ ବିଜେଡି ନେତା ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ରହିଛନ୍ତି । ଏପରିକି ସେ ଦଳର ଜଣେ ପୁରୁଖା ଓ ବିଶ୍ୱସ୍ଥ ନେତା ଭାବେ ମଧ୍ୟ ପରିଗଣିତ ହେଉଛନ୍ତି । ନିକଟରେ ଦଳ ପକ୍ଷରୁ ପ୍ରକାଶିତ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଗୁରୁଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦା ହେବା ପରେ ଗଞ୍ଜାମ ଦାୟିତ୍ୱ କାହାକୁ ଦିଆଯିବ, ସେ ନେଇ ମିଡ଼ିଆରେ ବେଶ ଚର୍ଚ୍ଚା ହୋଇଥିଲା । କାରଣ ପ୍ରଦୀପ ବର୍ଷବର୍ଷ ଧରି ଗଞ୍ଜାମରେ ବିଜେଡିର ମଙ୍ଗ ସମ୍ଭାଳିଥିଲେ । କେବଳ ଗଞ୍ଜାମ କାହିଁକି ଆଖପାଖ ଜିଲ୍ଲା ଦାୟିତ୍ୱ ମଧ୍ୟ ସୁଚାରୁରୂପେ ତୁଲାଉଥିଲେ । ପ୍ରଦୀପଙ୍କ ପରେ ଗଞ୍ଜାମ ଜିଲ୍ଲାର ସଂଗଠନକୁ ତୃଣମୂଳସ୍ତରରୁ କିଏ ମଜବୁତ କରିପାରିବ ସେନେଇ ଦଳରେ ବିଚାରବିମର୍ଷ ଆରମ୍ଭ ହୋଇଥିଲା । ଗଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଜଣେ ବିଶ୍ୱସ୍ଥ ଲୋକ ଖୋଜୁଥିଲେ । ଦୀର୍ଘଦିନର ବିଚାରବିମର୍ଷ ପରେ ଏବେ ଗଞ୍ଜାମର ଗୁରୁଦାୟିତ୍ୱ ପ୍ରଫୁଲ ମଲ୍ଲିକଙ୍କ ଉପରେ ନ୍ୟସ୍ତ କରାଯାଇଛି । ତାଙ୍କୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ପ୍ରଫୁଲଙ୍କୁ ଗଞ୍ଜାମ ଦାୟିତ୍ୱ ମିଳିବା ପରେ ସେ ଖୁସି ଥିବା ତାଙ୍କ ନିକଟତମ ମହଲରୁ ଜଣାପଡିଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି, ସେ ତାକୁ ଠିକ ଭାବେ ତୁଲାଇବାକୁ ଚେଷ୍ଠା କରିବେ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ଗଞ୍ଜାମରେ ସ୍ଥିତି ସଜାଡିବା ପ୍ରଫୁଲଙ୍କ ପାଇଁ ଏତେ ସହଜ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ସେମାନଙ୍କ ମତରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଜେଲରୁ ମୁକୁଳିଛନ୍ତି । ତାଙ୍କୁ ଦଳ ଯେଉଁଭଳି ଭାବେ ଅଣଦେଖା କଲା ଓ ବିବାଦୀୟ ପରିସ୍ଥିତିରେ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡିଲା, ଏହା ଲୋକଙ୍କୁ ଅଛପା ନାହିଁ । ତେଣୁ ସେ ନିଜର ସ୍ଥିତି ଫେରାଇବାକୁ ଚେଷ୍ଠା କରିବେ । ଲୋକଙ୍କ ପାଖକୁ ଯାଇ ନିଜ ସପକ୍ଷରେ ମତ ସଂଗ୍ରହ କରିବା ସହ ବିଜେଡିକୁ ହରଡଘଣାକୁ ଟାଣିବାକୁ ଚେଷ୍ଠା କରିବେ । ଯେହେତୁ ସେ ଦୀର୍ଘଦିନ ଧରି ଦଳରେ ରହି ତୃଣମୂଳସ୍ତରରୁ ସଂଗଠନ କରିଥିଲେ, ତେଣୁ ତାଙ୍କ ସହ କିଛି କର୍ମୀ ନିଶ୍ଚିତ ରହିବେ । ସେମାନେ ଦଳପାଇଁ ଅଡୁଆ ସୃଷ୍ଟି କରିପାରନ୍ତି । ତେଣୁ ପ୍ରଫୁଲଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ଦେଖାଯାଉ ପ୍ରଫୁଲ ଗଞ୍ଜାମର ଗୁରୁଦାୟିତ୍ୱକୁ କେଉଁ ଭଳି ଭାବେ ସମ୍ଭାଳୁଛନ୍ତି ।
Related Stories
November 9, 2024
November 9, 2024