ବରୀ(ରତ୍ନଗିରି ନ୍ୟୁଜ) : କେହି କାହାରି କଥାକୁ ଗ୍ରହଣ କରିବା ପାଇଁ ସମୟ ପାଉନଥିବା ମଣିଷଟି ନିଜ ପ୍ରଶଂସାରେ ଶତମୁଖ ହେବାରେ ବ୍ୟସ୍ତ । ଯାହା ଆମକୁ ଉର୍ଦ୍ଧ୍ୱଗାମୀ କରିବା ପରିବର୍ତ୍ତେ ନିମ୍ନଗାମୀ କରାଉଛି । ଯେଉଁମାନେ ଭଲରେ ଅଛନ୍ତି ବୋଲି ଭାବୁଛନ୍ତି ସେମାନେ ପୂର୍ବ ପୀଢି ଠାରୁ ବହୁ କଷ୍ଟରେ ସମୟ କାଟୁଛନ୍ତି । ଏବେ ସମୟ ଆସିଛି ନିଜକୁ ଆତ୍ମସମୀକ୍ଷା କରିବା ପାଇଁ ବୋଲି ଯୁଗାନ୍ତର ସାଂସ୍କୃତିକ ପରିଷଦ ରଇପୁର ପକ୍ଷରୁ ବାଲିକୁଦାଠାରେ ଆୟୋଜିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗ ଦେଇ ଫକିର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର କୁମରବର ଦାସ ପ୍ରକାଶ କରିଛନ୍ତି ।
କିଶୋର ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟିଲୋ ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ପବିତ୍ର କୁମାର ସୁବୁଦ୍ଧି ମୁଖ୍ୟବକ୍ତାଭାବେ ଯୋଗ ଦେଇ ଭାଷାଟିଏ ଥିଲାବୋଲି ଆମକୁ ଉତ୍କଳ ଭୂଖଣ୍ଡ ମିଳିଲା । ଆମେ ସେହି ଭାଷାକୁ ହତାଦର କରି ମମ୍ ଡାଡ୍ ପଛରେ ଧାଇଁଛେ । ଏଇ ଯୋଉ ନିମ୍ନ ମାନସିକତାରୁ ଆମେ କେବେ ମୁକ୍ତ ହେବା ବୋଲି ପ୍ରଶ୍ନ କରିଥିଲେ । ଯେ ପର୍ଯ୍ୟନ୍ତ ଗୋଟିଏ ଜାତି ମା, ମାଟି ଓ ମାତୃଭାଷାକୁ ସମ୍ମାନ ଦେଇ ଶିଖିନାହିଁ ସେ ପର୍ଯ୍ୟନ୍ତ ସେ ଜାତି ସମୃଦ୍ଧ ହେବ ନାହିଁ । ଉତ୍କଳ ଦିବସ ହେଉଛି ଆମ ଅସ୍ମିତାର ପରିଚୟ । ପ୍ରତ୍ୟେକ ଓଡ଼ିଆ ଓଡ଼ିଆ ଭାଷାକୁ ନେଇ ଗର୍ବ କରିବା ଉଚିତ । କାରଣ ବୁଝୁଥିବା ଭାଷାରେ ଆମେ କହିଲେ କୌଣସି ବ୍ୟକ୍ତିର ମୁଣ୍ଡକୁ ଏହା ଛୁଇଁଥାଏ । କିନ୍ତୁ ମାତୃଭାଷାରେ କହିଲେ ତାହା ତାର ହୃଦୟକୁ ଛୁଇଁଥାଏ ବୋଲି କହିଥିଲେ ।
ମୁଖ୍ୟଅତିଥିଭାବେ ଫକିର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର କୁମରବର ଦାସ ଯୋଗଦେଇ ବିଭିନ୍ନ ତଥ୍ୟ ସମ୍ବଳିତ ତର୍କ ଉପସ୍ଥାପନ କରିଥିଲେ । ଦେଶ ସମ୍ପ୍ରତି ନେତୃତ୍ୱ ବିନା ଚାଲିଛି ବୋଲି କହିବା ସହ କଣ୍ଡକ୍ଟର ଏବଂ ଡାକ୍ତରଙ୍କୁ ଦୁଇ ଭାଇ ବୋଲି ସମାଲୋଚନା କରିଥିଲେ । ଡକ୍ଟର ଦାସ ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ ଯାଇ କହିଥିଲେ ଯେ ଉଭୟ ଅତି କଦର୍ଯ୍ୟ ଅକ୍ଷରରେ ଲେଖିବା ଦୁର୍ଭାଗ୍ୟର କଥା । ସ୍ପଷ୍ଟ ଅକ୍ଷରରେ ଲେଖିଲେ ସାଧାରଣ ଲୋକଟିଏ ବୁଝିପାରିବ, ତ ଏଥିରେ ଏତେ ଜଟିଳତା କାହିଁକି । ପୃଥିବୀର ପ୍ରତିଟି ବଡ ମଣିଷ ଛୋଟିଆ ଗାଁ ଗହଳିରୁ ସୃଷ୍ଟି ହୋଇଛନ୍ତି । ଯେଉଁମାନେ ମାକୁ, ଗାଁକୁ, ମାତୃଭାଷାକୁ ଭଲ ପାଉଛନ୍ତି ସେମାନେ ସଫଳତାର ପୁରାବାଟ ଚାଲିପାରିବେ । ମମିର ଛୁଆମାନେ ଅଧାବାଟରୁ ଅଟକିବେ । ଆମେମାନେ ଆମର ଭବିଷ୍ୟତ ପୀଢିଙ୍କର ମାନସିକତାକୁ ବିକଳାଙ୍ଗ କରିଦେଉଛେ । ଏ ଦିଗରେ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବାର ସମୟ ଆସିଛି । ଯେ ପର୍ଯ୍ୟନ୍ତ ଏଥିରେ ପରିବର୍ତ୍ତନ ହେଇନାହିଁ ସେତେଦିନ ଯାଏଁ ଉତ୍କଳ ଦିବସ ପାଳନର ମାନେ କିଛି ନାହିଁବୋଲି କହିଥିଲେ । ଉତ୍ସବରେ ଅନ୍ୟତମ ଅତିଥିଭାବେ ଅଧ୍ୟାପକ ରବିନ୍ଦ୍ର ସାମଲ ଯୋଗଦେଇ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ ।
ବିଧାନ ଚନ୍ଦ୍ର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଯୁଗାନ୍ତରର ସମ୍ପାଦକ ଡକ୍ଟର ଭାଗ୍ୟଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପରେ ପରଲୋକ ଗତ କବି ଓ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ ଏକମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଯୁଗାନ୍ତର ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାଲିଘରର ସମ୍ପାଦକ କବି କୈଳାସ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ବିଶେଶ୍ୱର ନାୟକ, ଈଶ୍ୱର ଚନ୍ଦ୍ର ଜେନା, ରାଜ କିଶୋର ମିଶ୍ର, ପ୍ରଫେସର ପ୍ରିତୀଶ କୁମାର, ରଶ୍ମିତା ଜେନା, ଦେବବ୍ରତ ଦେବତା, ଶରତ କୁମାର ଜେନା, ଶିବ ପ୍ରସାଦ ସାମଲ, ମହନୀ ଚରଣ ଭୂୟାଁ, ଡକ୍ଟର ପଦ୍ମନାଭ ମହାନ୍ତି, ଦାମୋଦର ନାୟକ, ଉମାକାନ୍ତ ବଳ ଏବଂ ଉଦୀୟମାନ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଦ୍ୱିତୀୟ ଅଧିବେଶନରେ ଅନୁବାଦକ ଓ କବି ନିରଂଜନ ଜେନାଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କବିତା ପାଠୋତ୍ସବରେ କବୟତ୍ରୀ ଅମ୍ରିତା ସିଂ ଓ କବି ସୁଧାଂଶୁ ଶେଖର ସାମଲଙ୍କ ସଂଯୋଜନାରେ ବହୁ କବି ସେମାନଙ୍କ କବିତା ପାଠ କରିଥିଲେ ।
Related Stories
December 9, 2024
December 1, 2024