କେନ୍ଦୁଝର(ରତ୍ନଗିରି ନ୍ୟୁଜ) : କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅର୍ନ୍ତଗତ ରାଇସୁଆଁ ପଞ୍ଚାୟତଠାରେ ସରପଞ୍ଚ ଅନନ୍ତ ଚରଣ ଦେହୁରୀଙ୍କ ସଭାପତିତ୍ୱରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫ନଂ ଜିଲ୍ଲା ପରିଷଦସଭ୍ୟ ରଥ ମୁଣ୍ଡା, ପଞ୍ଚାୟତ ସମିତି ସଭ୍ୟା ସୁଦିପ୍ତା ରାଉତ, ରାଇସୁଆଁ +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ରତିନ୍ଦ୍ର କୁମାର ପରିଡ଼ା, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ, ବ୍ଲକ୍ ଆକାଉଣ୍ଟ ଅଫିସର କେଦାରନାଥ ନାଏକ, ଅବସରପ୍ରାପ୍ତ ଏବିଇଓ ସାନ୍ତନୁ କୁମାର ରାଉତ ଏବଂ ସ୍ୱେଚ୍ଛାସେବୀ ସଂଗଠନ ‘ବନ୍ଧୁ’ର ଭାଗିରଥି ସେଠୀ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କୁ ଅବଗତ କରାଇଥିଲେ ।
ଏହି ପରିପ୍ରେକ୍ଷୀରେ ବିଗତ ଦିନମାନଙ୍କରେ ସରକାରଙ୍କ ଅନୁଦାନରେ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟ ସମ୍ପର୍କିତ ଏକ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମଟିକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବ୍ରହ୍ମାନନ୍ଦ ବାରିକ, ଗ୍ରାମରୋଜଗାର ସେବକ ଦେବାଶିଷ ରାଉତ ଏବଂ ସନାତନ ରାଉତ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ଏମ୍ବିକେ, ସିଆରପି, ୱାର୍ଡ ସଭ୍ୟସଭ୍ୟା, କୃଷି ବିଭାଗର କର୍ମଚାରୀ, ମିଶନ ଶକ୍ତି, ଶିକ୍ଷା ସମେତ ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଏହି ଅବସରରେ ସଚେତନତା ଧର୍ମୀ, ପାଲା, ସାଆଁନ୍ତାଳ ନୃତ୍ୟ ସାଙ୍ଗକୁ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷ କରାଯାଇଥିଲା । ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ୱ ଲୋକେ ଉପସ୍ଥିତ ରହି ପଞ୍ଚାୟତସ୍ତରୀୟ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ପଞ୍ଚାୟତ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।