ବରୀ(ରତ୍ନଗିରି ନ୍ୟୁଜ) :-ଓଡ଼ିଆ ଶିଶୁ ସାହିତ୍ୟ ଆଜି ଆଲୋଡା ହୋଇ ନାହିଁ । ଆର୍ନ୍ତଃଜାତୀୟସ୍ତରରେ ନିଜର ଆଧିପତ୍ୟ ବିସ୍ତାର କରିଛି ବୋଲି ଜଗା ଶିଶୁ ସାହିତ୍ୟ ସଂସଦର ୨୮ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ନାଥପୁରସ୍ଥିତ ନାଥପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଜଗା ଶିଶୁ ସାହିତ୍ୟ ସଂସଦର ୨୮ତମ ସ୍ୱନକ୍ଷତ୍ର ଉତ୍ସବ ବ୍ରଜ ମୋହନ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବରିଷ୍ଠ ଶିଶୁ ସାହିତ୍ୟିକ ଓ ଗବେଷକ ଡଃ ମନୀନ୍ଦ୍ର ମହାନ୍ତି ଉଦ୍ଘାଟକ ଭାବେ ଯୋଗଦେଇଥିବାବେଳେ ମୁଖ୍ୟଅତିଥି ଭାବେ ବରୀ ବିଧାୟିକା ସୁନନ୍ଦ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଓଡ଼ିଆ ସାହିତ୍ୟ ଓ ଶିଶୁମାନଙ୍କ ଭିତରେ ଲୁକ୍କାୟିତ ଥିବା ପ୍ରତିଭାର ଉନ୍ମେଷ ପାଇଁ ଗ୍ରାମାଞ୍ଚଳରେ ୨୮ ବର୍ଷ ଧରି କାର୍ଯ୍ୟକରିବା ସବୁଠାରୁ ବଡ କଥା । ଶିଶୁ ମୁହଁରେ ହସ ଫୁଟାଇବା, ସେମାନଙ୍କୁ ପ୍ରତିଷ୍ଠିତ କରାଇବା ପାଇଁ ସଂସଦର ଉଦ୍ୟମକୁ ବିଧାୟିକା ଶ୍ରୀମତୀ ଦାସ ଉଚ୍ଚ ପ୍ରଶଂସା କରିଥିଲେ । ଓଡ଼ିଆ ଶିଶୁ ସାହିତ୍ୟ ପ୍ରତି ଲେଖକମାନେ ଅଧିକ ଆଗ୍ରହ ପ୍ରକାଶ ନକରିବା ଦୁର୍ଭାଗ୍ୟ ଜନକ । ଶିଶୁ, ସାହିତ୍ୟ ପଢିଲେ ହିଁ ପଠନ ପ୍ରତି ଆଗ୍ରହ ବଢିବ ଓ ପରବର୍ତ୍ତୀ ସମୟରେ ସାହିତ୍ୟ ପ୍ରତି ଅନୁରକ୍ତି ଭାବ ବୃଦ୍ଧି ପାଇବ ବୋଲି ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ମନୀନ୍ଦ୍ର ମହାନ୍ତି ପ୍ରକାଶ କରିଥିଲେ । ମୁଖ୍ୟବକ୍ତାଭାବେ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଦେବ ପ୍ରସାଦ ସାମଲ, ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଡଃ ରବୀନ୍ଦ୍ର ବିହାରୀ, ଜିଲ୍ଲା ପରିଷଦସଭ୍ୟ ଅଶୋକ କୁମାର ସାମଲ, ସରପଞ୍ଚ ଟି.ରୋଜାଲିନ ଶ୍ୟାନ୍ତି, ରଞ୍ଜନ କୁମାର ପଣ୍ଡା, ସମ୍ମାନୀତ ବକ୍ତାଭାବେ ଅଧ୍ୟାପିକା ରଶ୍ମିରାଣୀ ଦାସ ପ୍ରମୁଖ ଯୋଗ ଦେଇ ଶିଶୁ ସାହିତ୍ୟରେ ଥିବା ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ଅତିଥିମାନେ ଅନୁଷ୍ଠାନ ଦ୍ୱାରା ପ୍ରକାଶିତ ନିର୍ମଳ କୁମାର ଗିରିଙ୍କ ଶିଶୁ କବିତା ପୁସ୍ତକ ‘ବରଷା ରଜକରି ଆସିଲା’, କବି ଅଜୟ କୁମାର ଜେନାଙ୍କ କବିତା ସଂକଳନ ‘ଫେରିବାଲି’ ଏବଂ ରତ୍ନଗିରି ୱେବର ନୂତନ ଲୋଗୋକୁ ଲୋର୍କାପିତ କରିଥିଲେ । ଅନୁଷ୍ଠାନର ସର୍ବୋଚ୍ଚ ପୁରସ୍କାର ଶ୍ରୀ ଜଗନ୍ନାଥ ସମ୍ମାନ-୨୦୨୧ରେ ଡଃ ମନୀନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ନାଟ୍ୟ ସମାଲୋଚକ ଡଃ ଅଜୟ କୁମାର ପଣ୍ଡା, ରଶ୍ମୀରାଣୀ ଦାସ, ବିମଳ ଚନ୍ଦ୍ର ଦାସ, କଳିଙ୍ଗ କେଶରୀ ନାୟକ, ଆଶିଷ କୁମାର ମଲିକ, ଜ୍ୟୋତିର୍ମୟ କାଣ୍ଡି, ସ୍ୱପ୍ନରେଖା ସିଂ ସାମନ୍ତ, ବିପୁଲ ସେନାପତି, ସରୋଜ ରଂଜନ ବେହେରା, ତପସାଜ୍ଞାନଦର୍ଶନୀ ସାମଲ, ରଂଜନ କୁମାର ସାହୁ, ଖଗେନ୍ଦ୍ର ନାୟକ, ମୁକ୍ତେଶ୍ୱର ସ୍ୱାଇଁ, ବିଜ୍ଞାନ ମହାନ୍ତି, ଚୈତନ୍ୟଚରଣ ଜେନା ପ୍ରମୁଖଙ୍କୁ ବିଭିନ୍ନ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଡଃ ନିରଂଜନ ସାହୁ ଦେଇଥିବାବେଳେ ସମ୍ପାଦକ ଅଜୟ କୁମାର ଜେନା ସମ୍ପାଦକିୟ ବିବରଣୀ ପାଠ କରିଥିଲେ । ସୁଶ୍ରୀ ଲିସ୍ପିତା ଓଝା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।