ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ):-ଦୀର୍ଘ ୨୨ବର୍ଷ ଧରି ରାଜ୍ୟରେ ଏକ ମାତ୍ର ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର ଏକନମ୍ବର କିନ୍ତୁ ରାଜ୍ୟ କାହିଁକି ସର୍ବଭାରତୀୟ ସ୍ତରରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା, ଆଇନକାନୁନ, ରୋଜଗାର, ଶିଶୁମୃତ୍ୟୁ ହାର, ମାତୃ ମୃତ୍ୟୁହାର ସବୁଠାରୁ ପଛଆଡ଼ୁ ପ୍ରଥମ । ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡ଼ି ଓ ବିଜେପି ଓଡ଼ିଶାର ଶାସନ ବ୍ୟବସ୍ଥାରେ ଥିଲେ । ଓଡ଼ିଶାବାସୀଙ୍କୁ ଯେଉଁ ଆଶା, ଭରଷା ଓ ବିଶ୍ୱାସ ଜନ୍ମାଇଥିଲେ ତାର କାଣିଚାଏ ମଧ୍ୟ ପୂରଣ କରାଯାଇ ନାହିଁ । ୨୦୦୯ ମସିହାରେ କୁହାଯାଇଥିଲା ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ୩୫% ଜଳସେଚନ କରାଯିବ କିନ୍ତୁ ଆଜି ୨୨ ବର୍ଷପରେ ମଧ୍ୟ ମାତ୍ର ୧୮% ଜଳ ସେଚନ କରିବାରେ ସକ୍ଷମ ହୋଇନାହାନ୍ତି । ପ୍ରତିବର୍ଷ ଦୁଇଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ଆଶା ଓ ବିଶ୍ୱାସ ବେରୋଜଗାର ଯୁବକ ଯୁବତୀ ମନରେ ସୃଷ୍ଟି କରାଯାଇଥିଲା । ୨୨ ବର୍ଷ ଭିତରେ ୪୪ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବା କଥା କିନ୍ତୁ ଆଜି ରାଜ୍ୟରେ ପାଖାପାଖି ୪୫ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି । କୁହାଗଲା ଓଡ଼ିଶାରେ ପୁଞ୍ଜି ବିନିଯୋଗର ଅପାର ସୁଯୋଗ ରହିଛି ଏବଂ ରାଜ୍ୟବାସୀଙ୍କୁ ହିସାବ ଦିଆଗଲା ପାଖାପାଖି ୧୦ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହୋଇଛି ବୋଲି ତାହାହେଲେ କାହିଁକି ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହୋଇପାରିଲା ନାହିଁ ଏହା ଏକ ବଡ଼ ପ୍ରଶ୍ନବାଚୀ । ଏ ରାଜ୍ୟରେ ମହିଳା ମାନଙ୍କ ପ୍ରତି ନିର୍ଯ୍ୟାତନା ପ୍ରତିଦିନ ହୁ ହୁ ହୋଇ ବଡ଼ିଚାଲିଛି ଶେଷରେ ଆମେ ଭାରତ ବର୍ଷରେ ଏକ ମୁଖ୍ୟ ନାରୀ ଅପରାଧ ପ୍ରବଣ ରାଜ୍ୟ ରୂପେ ପରିଗଣିତ କାହିଁକି? କୃଷକ ମାନଙ୍କର ଆୟକୁ ଦ୍ୱିଗୁଣା କରିବାର ଉଭୟ ବିଜେପି ଓ ବିଜେଡ଼ି ଏକ ସ୍ୱରରେ କହିଥିଲେ । ରାଜ୍ୟ ସରକାର କାଳିଆ ଯୋଜନା କଲେ କିନ୍ତୁ ଏ ରାଜ୍ୟର ୮୦ ଭାଗ ଜନସାଧାରଣ କୃଷକ ଓ କୃଷିକାର୍ଯ୍ୟ ସହିତ ଜଡ଼ିତ । ଆଜି ଧାନମଣ୍ଡିରେ କୃଷକ ଧାନବସ୍ତା ଦେଇ ଶୋଇଛି ମାସ ମାସ ଧରି । ଟୋକନ ଭୁବନେଶ୍ୱରରୁ ଆସିବ ବୋଲି ଅପେକ୍ଷା କରିଛି । ଆଜି ପର୍ଯ୍ୟନ୍ତ ତାର ଉତ୍ପାଦିତ ଧାନ ମଣ୍ଡିରୁ ଉଠିଲା ନାହିଁ । ମିଲର ମାନଙ୍କ ସହିତ ରାଜ୍ୟ ସରକାରଙ୍କର କେଉଁ ଏକ ଅଘୌଷିତ ସଂପର୍କ ପାଇଁ ଆଜି ଚାଷି ଏବଂ ଚାଷି ପରିବାର କାନ୍ଦୁଛି । ସ୍କୁଲରେ ଶିକ୍ଷକ ନରଖିବା ଏ ଏକବର୍ଷର କଥା ନୁହେଁ । ବର୍ଷପରେ ବର୍ଷ ସମସ୍ତ ସରକାରୀ ସ୍କୁଲକୁ ୨୨ ବର୍ଷର ସରକାରଙ୍କର ନୀତି ଓ ନିଷ୍ପତି ଯୋଗୁଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ପ୍ରାୟ । ଓଡ଼ିଶା ବିଜୁଳି ଉତ୍ପାଦନର ବଳକା ରାଜ୍ୟ ହୋଇଥିଲେ ମଧ୍ୟ ଏ ରାଜ୍ୟରେ ଖାଉଟି ମାନଙ୍କୁ ଭାରତବର୍ଷରେ ସବୁଠାରୁ ଅଧିକ ଦାମ କାହିଁକି ନିଆଯାଉଛି । କେଉଁ ପୁଞ୍ଜିପତି ମାନଙ୍କ ସ୍ୱାର୍ଥକୁ ଉଭୟ ସରକାର ଜଗିଛନ୍ତି । ଆଜି ଓଡ଼ିଶାର ୮ଟି ଆଦିବାସୀ ବହୁଳ ଜିଲ୍ଲା ଭାରତ ବର୍ଷର ସବୁଠାରୁ ପଛୁଆ ଜିଲ୍ଲା । ୨୨ ବର୍ଷ ପରେ ମଧ୍ୟ ଆଜି କାହିଁକି ଗର୍ଭବତି ମହିଳା ଖଟିଆରେ ବୁହା ହେଉଛି । ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା କେବଳ ସ୍ୱାସ୍ଥ୍ୟ କାର୍ଡ ବାଂଟିବାରେ ସୀମାବଦ୍ଧକି? ଡାକ୍ତରଖାନାରେ ଡାକ୍ତରଙ୍କୁ ରଖିବା ନାହିଁ ନର୍ସଙ୍କୁରଖିବା ନାହିଁ ନର୍ସ, ପାରାମେଡିକାଲ ଷ୍ଟାଫ ଏବଂ ବୈଷୟିକ ଜ୍ଞାନପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି ଦେବା ନାହିଁ କେବଳ ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ କାର୍ଡ ବାଂଟିଲେ ଏ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ ହୋଇଯିବକି । ୨୦୧୪ ମସିହା ପୂର୍ବରୁ କେନ୍ଦ୍ରରେ ବିଜେପି ସରକାର ଶାସନକୁ ଆସିବା ପାଇଁ ଭାରତବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ କହିଥିଲେ କଳାଧନର ମୂଳ ଉତ୍ପାଟନ ହେବ କିନ୍ତୁ ଯେଉଁ କଳାଧନ କେତେ ଆସିଲା କେହି ଜାଣିଲେ ନାହିଁ କି ଜଣାଗଲା ନାହିଁ । ଆଜି ଜିଏଷ୍ଟି, ବିମୁଦ୍ରିକରଣ ସରକାରଙ୍କର ଭୁଲ କୃଷି ନୀତି, ବୈଦେଶିକ ନୀତି ତଥା ଅର୍ଥନୀତିକୁ ପରିଚାଳନ କରିବାରେ ଦକ୍ଷତାର ଅଭାବ ଯୋଗୁଁ ଆଜି ଭାରତବର୍ଷ ବହୁ ପଛକୁ ଚାଲିଯାଉଛି । ଦୀର୍ଘ ୭ବର୍ଷ ଭିତରେ ଆଛେଦିନର ସ୍ୱପ୍ନ ଦେଖାଇଥିବା ସରକାର ଆଛେଦିନ କେବେ ଆସିବ କହିପାରୁ ନାହିଁ । ଜିନିଷ ପତ୍ରର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି, ବେରୋଜଗାରୀ ୪୫ ବର୍ଷରେ ଶୀର୍ଷ ଛୁଇଁସାରିଲାଣି । ୪.୫ କୋଟି ଲୋକମାନେ ମୋଦିଙ୍କ ସରକାରରେ ଗରିବ ସୀମାରେଖା ତଳକୁ ଚାଲିଯାଇଛନ୍ତି । ଯେଉଁମାନଙ୍କୁ କଂଗ୍ରେସ ସରକାର ୨୦୦୦-୧୪ ମଧ୍ୟରେ ସେମାନଙ୍କୁ ଗରିବ ସୀମାରେଖା ଉପରକୁ ଉଠାଇ ପାରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମହାଶୟ ଦେଶବାସୀଙ୍କୁ କହିଥିଲେ ପ୍ରତ୍ୟେକ ଭାରତୀୟ ବ୍ୟାଙ୍କ ଖାତାକୁ ୧୫ଲକ୍ଷ ଆସିବ କିନ୍ତୁ ୧୫ଟଙ୍କା ଆସିଲା ନାହିଁ ଏହା କଣ ଜୁମୁଲା ଥିଳାକି । କୃଷକ ମାନଙ୍କର ଆୟ ବହୁପରିମାଣରେ କମି ଯାଇଛି । ୬୬ଲକ୍ଷ ଅଣୁ କ୍ଷ୍ୟୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ସମ୍ବିଧାନ ଓ ସମ୍ବିଧାନିକ ଅନୁଷ୍ଠାନ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ଉଗ୍ର ଜାତୀୟତା ବାଦ ନାମରେ ଦେଶ ଭିତରେ ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଛି । ଅର୍ଥ ବଳରେ ଯେନତେନ ପ୍ରକାରରେ ଲୋକମାନଙ୍କୁ ପ୍ରଲୋଭିତ କରି ମିଥ୍ୟ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହି ପ୍ରକ୍ରିୟା ଯଦି ଚାଲୁ ରହେ ତାହାହେଲେ ଅତି ଶୀଘ୍ର ଗଣତନ୍ତ୍ର ଦ୍ରୁତି ଅବକ୍ଷୟମୁଖି ହେବ ଏବଂ ଗଣତନ୍ତ୍ର ବଜାର ତନ୍ତ୍ରରେ ପରିଣତ ହୋଇଯିବ । ଏଣୁ ମୋର ଓଡ଼ିଶାବାସୀଙ୍କୁ ବିନମ୍ର ନିବେଦନ ଆପଣମାନେ ଆସନ୍ତା ପଂଚାୟତ ନିର୍ବାଚନରେ ଏ ସମସ୍ତ ମୌଳିକ ପ୍ରଶ୍ନଗୁଡ଼ିକୁ ଉଭୟ ବିଜେଡ଼ି ଓ ବିଜେପି ଦଳର ନେତା, ମନ୍ତ୍ରୀ ଓ ପ୍ରାର୍ଥୀମାନଙ୍କୁ ପଚାରନ୍ତୁ ତଥା କଂଗ୍ରେସକୁ ଭୋଟ ଦେବାପାଇଁ ମୁଁ ଅନୁରୋଧ କରୁଛି । ଆସନ୍ତା ଦିନରେ ଏକ ସୁନ୍ଦର ଓଡ଼ିଶା ଗଠନ କରିବାରେ ଆପଣମାନଙ୍କ ସହଯୋଗ ଅପେକ୍ଷାରେ କଂଗ୍ରେସ ।
Related Stories
November 9, 2024
November 9, 2024