ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରେଡି ଠାରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବବିବାହ ଉତ୍ସବ ଚଳିତ ମାସ ୧୧ ତାରିଖରେ ମହା ଆଡମ୍ବର ସହ ପାଳିତ ହେବ। ଦେବଦମ୍ପତିଙ୍କ ବିବାହ ଉତ୍ସବ ଲୌକିକ ଓ ବୈଦିକ ରୀତିନୀତିରେ ହେଉଥିବାରୁ ଚଳିତବର୍ଷ ମନୋନିତ ହୋଇଥିବା ବରପିତା କେଦାରନାଥ ପାଢୀ ଓ କନ୍ଯାପିତା ଗଦାଧର ପାଢୀଙ୍କ ଘରେ ସାଜସଜା ଚାଲିଥିବା ବେଳେ ବନ୍ଧୁପରିଜନଙ୍କୁ ନିମନ୍ତ୍ରଣପତ୍ର ଓ ମଙ୍ଗୁଳା ଗୁଆ ବଣ୍ଟା ଯାଇ ବିବାହ ଉତ୍ସବରେ ସାମିଲି ହେବାକୁ ନିମନ୍ତ୍ରଣ କରାଯାଉଛି। ଅନ୍ଯପଟେ ବିବାହ ଉତ୍ସବ ଯେପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ପୀଠରେ ସମୀକ୍ଷା କରାଯାଇଛି।
ଭଦ୍ରକ ଜିଲାପାଳଙ୍କ ପରାମର୍ଶ କ୍ରମେ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର ପୀଠରେ ପହଁଚି ସମସ୍ତ ପ୍ରସ୍ତୁତି କାର୍ଯ୍ଯର ସମୀକ୍ଷା କରିବା ସହିତ ମନ୍ଦିର ଅତିଥି ଭବନରେ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଉକ୍ତ ବୈଠକରେ ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ଯ , ବରିଷ୍ଠ ସେବାୟତ, ମନ୍ଦିର ପରିଚାଳକ ,ପୋଲିସ ଅଧିକାରୀ, ବ୍ଲକ ଅଧିକାରୀ, ଜଳପରିମଳ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବିଶେଷକରି ବିବାହ ଉତ୍ସବଦିନ ବରଧରା ଶୋଭାଯାତ୍ରା ଓ ବରାନୁଗମନ ଶୋଭାଯାତ୍ରରେ ଅଧିକ ସଂଖ୍ଯକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ୨୪ଘଣ୍ଟିଆ ବିଜୁଳି ସେବା ସହ ପାନୀୟଜଳ, ସ୍ବାସ୍ଥ୍ଯ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଉପଜିଲାପାଳ ଶ୍ରୀ ପାତ୍ର ଆଲୋଚନା କରିଥିଲେ। ସେପରି ପୀଠରେ ଟ୍ରାଫିକ ବ୍ୟବସ୍ଥା ସହିତ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯିବ। ଏଥିସହ ବିବାହ ଉତ୍ସବର ନୀତିକାନ୍ତି ଓ ସମସ୍ତ ପ୍ରସ୍ତୁତି ଯଥାରିତି ଅନୁଯାୟୀ କରାଯିବା ପାଇଁ ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ପୀଠରେ ବିବାହ ମଣ୍ଡପ ଓ ବେଦି ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଥିବା ବେଳେ ଆସନ୍ତା ୧୦ରେ ମଙ୍ଗଳପାଗ ନୀତି ଅନୁଷ୍ଠିତ ହେବ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ରୁ ମଣିପ୍ରସାଦ ପାଢ଼ୀଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ