ଭୁବନେଶ୍ୱର : କରୋନା ମହାମାରୀ ରାଜ୍ୟରେ ଏକ ଭୟାନକ ପରସ୍ଥିତିରେ ପଂହଚିଲାଣି । କରୋନା ସଂକ୍ରମଣ ସହରରୁ ଗ୍ରାମାଂଚଳ ଆଡ଼କୁ ଦ୍ରୁତି ଗତିରେ ଗତି କରୁଛି । ଜନସାଧାରଣ ବିଶେଷ କରି କରୋନା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମ୍ବୁଲାନ୍ସ, ଟୀକାକରଣ, ଅକ୍ସିଜେନ, ଟେଂଷ୍ଟି ଏସବୁ କ୍ଷେତ୍ରରେ ରାଜ୍ୟ ସରକାର ଆବଶ୍ୟକତା ଦୃଷ୍ଟିରୁ ସଫଳ ହୋଇପାରୁ ନାହାଁନ୍ତି ।
କଂଗ୍ରେସ ଦଳ ପୀଡ଼ିତକୁ ସାହାଯ୍ୟ ଓ ସହଯୋଗ ଯଥାସମ୍ଭବ ଜାରି ରଖିଛି । ଏଆଇସିସିର ନିର୍ଦ୍ଦେଶକ୍ରମେ ରାଜିବ ଗାନ୍ଧୀଙ୍କ ଶ୍ରାଦ୍ଧଦିବସକୁ କରୋନା ପୀଡ଼ିତଙ୍କୁ ସେବାକରି ରାଜୀବଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପିସିସି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଲୋକ ସେବକ ମଣ୍ଡଳକୁ ଦୁଇଟି ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି ଏବଂ ଏହି ଦୁଇଟି ଆମ୍ବୁଲାନ୍ସକୁ କେନ୍ଦୁଝର ଜିଲ୍ଲାର ବିଶେଷ କରି ଘସିପୁରା, ଘଟଗାଁ, ଆନନ୍ଦପୁର, ହରିଚନ୍ଦନପୁର ଅଂଚଳର କରୋନା ଆକ୍ରାନ୍ତଙ୍କ ନିମନ୍ତେ କାର୍ଯ୍ୟକରିବାକୁ ଅନୁରୋଧ କରିଛନ୍ତି ।
ଏହି ଅବସରରେ କଟକସ୍ଥିତ ଗୋପବନ୍ଧୁ ଭବନ ପରିସରରେ ଲୋକସେବା ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଲୋକସେବା ମଣ୍ଡଳକୁ ଦୁଇଟି ଆମ୍ବୁଲାନ୍ସ ଗାଡ଼ିକୁ ନିରଞ୍ଜନ ପଟ୍ଟନାୟକଙ୍କ ସୁପୁତ୍ର ଦେବଜ୍ୟୋତି ପଟ୍ଟନାୟକ ଏବଂ ଭାଇ ନବ ପଟ୍ଟନାୟକ ପ୍ରଦାନ କରିଛନ୍ତି । ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ଆଚାର୍ଯ୍ୟ ଶ୍ରୀ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଆମ୍ବୁଲାନ୍ସ ଦୁଇଟିକୁ କେନ୍ଦୁଝର କୋଭିଡ ରୋଗୀଙ୍କ ସେବାରେ ଲାଗିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
କେନ୍ଦୁଝର ବାସୀଙ୍କ ପାଖରେ କଂଗ୍ରେସ ସବୁବେଳେ ସୁଖଦୁଃଖରେ ଛିଡ଼ା ହୋଇଛି । ବର୍ତମାନ କରୋନା ମହାମାରୀ ସମୟରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କେନ୍ଦୁଝରର ଗରୀବ ଜନସାଧାରଣଙ୍କ ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକସେବା ମଣ୍ଡଳକୁ ପ୍ରଦାନ କରିଛନ୍ତି ଯାହାକି ଘଷିପୁରା, ଘଟଗାଁ ଓ ଆନନ୍ଦପୁର, ହରିଚନ୍ଦନପୁରର ଗରୀବ ଲୋକଙ୍କ ସେବାରେ ଲାଗିବ । ଯଦି ଆଗକୁ ଆହୁରି କିଛି ସାହାଯ୍ୟ ଦରକାର ପଡ଼େ ଆମେ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ ନବ ପଟ୍ଟନାୟକ ଦୁଇଟି ଆମ୍ବୁଲାନ୍ସ ଗାଡ଼ିର ଚାବିକୁ ଡ. ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ । ସର୍ବପ୍ରଥମେ ସମାଜର ପ୍ରତିଷ୍ଠାତା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଆମ୍ବୁଲାନ୍ସ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର, ଡ. ବିପ୍ଳବ ଶିଳାଦିତ୍ୟ, ସତିଶ ଶେଖର, ସଦାଶିବ ବାରିକ ଓ ଆଶୁତୋଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।