ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) :- ରାଜ୍ୟସଭା ନିର୍ବାଚନକୁ ନେଇ ବର୍ତ୍ତମାନର ବଡ ଅପ୍ଡେଟ୍ ଯାହା ସମ୍ନାକୁ ଆସିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳର ରାଜ୍ୟସଭା ପାର୍ଥି ଭାବେ ଡ଼କ୍ଟର ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସାଧାରଣ ପ୍ରାର୍ଥୀ ଘୋଷଣା କରିଛନ୍ତି । ଆଜି ନବୀନ ନିବାସରେ ବିଧାୟକମାନଙ୍କର ବୈଠକ ଶେଷରେ ନବୀନ ଏହି ଦୁଇଜଣଙ୍କ ନାଁ ଘୋଷଣା କରିଛନ୍ତି । ସଂତୃପ୍ତଙ୍କୁ ସେ ବିଜେଡି ପ୍ରାର୍ଥୀ ଏବଂ ଦତ୍ତେଶ୍ୱରଙ୍କୁ କମନ୍ କ୍ୟାଣ୍ଡିଡେଟ୍ ବୋଲି କହିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନ ରଖିଥିବା ଦତ୍ତେଶ୍ୱରଙ୍କୁ ସବୁ ଦଳ ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି । ନବୀନଙ୍କର ଏହା ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି ।ରାଜ୍ୟର ପ୍ରଥମ ଦଳ ବିଜେଡି ରାଜ୍ୟ ସଭା ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ପକ୍ଷରୁ ଗୋଟିଏ ପ୍ରାର୍ଥୀ ଜିତିବା ସୁନିଶ୍ଚିତ ଥିବାବେଳେ ବିଜେପିର ଦୁଇଟି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆବଶ୍ୟକ ବିଧାୟକ ରହିଛନ୍ତି । ରାଜ୍ୟରେ ୪ଗୋଟି ରାଜ୍ୟସଭା ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ୪ର୍ଥ ସଦସ୍ୟ ପାଇଁ ଶାସକ ଦଳ ବିଜେପି, ବିରୋଧି ବିଜେଡି ଓ କଂଗ୍ରେସ ନିକଟରେ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ର୍ଥ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବିଜେଡି ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରିବା ପରେ ବୋଧ୍ ହୁଏ ପିସିସି ସଭାପତି ଭକ୍ତ ଦାସ ଗତ କାଲି ଯେଉଁ ଡାକ୍ତର ହୋତାଙ୍କ କଥା କହୁଥିଲେ ସେ ହିଁ ଡାକ୍ତର ଦତ୍ତେଶ୍ୱର ହୋତା ବୋଲି ଅନୁମାନ କରାଯାଉଛି । ଯଦି ଏହା ସତ୍ୟ ହୁଏ ତେବେ ବିଜେଡି କଂଗ୍ରେସ ସମର୍ଥନରେ ଚତୃର୍ଥ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତଙ୍କ ବିଜୟ ସୁନିଶ୍ଚିତ ବୋଲି କୁହା ଯାଉଛି l

କର୍ପୋରେଟ ଜଗତରୁ ଆସିଥିବା ସଂତୃପ୍ତ ଗତ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିଥିଲେ । ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ଠାରୁ ସେ ୫୭ ହଜାର ଭୋଟ ବ୍ୟବଧାନରେ ହାରିଥିଲେ । ନବୀନ ପଟ୍ଟନାୟକଙ୍କର ରାଜନୈତିକ ସଚିବ ଭାବେ ଏବେ ସେ କାର୍ଯ୍ୟ କରୁଛନ୍ତି ।

ସେହିପରି ଡାକ୍ତର ଦତ୍ତେଶ୍ୱର ହୋତା ଓଡ଼ିଶାର ଜଣେ ପ୍ରତିଷ୍ଠିତ ଡାକ୍ତର । ୟୁରୋଲୋଜି କ୍ଷେତ୍ରରେ ତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ଅଛି । ଏସସିିବି ମେଡିକାଲ କଲେଜର ୟୁରୋଲୋଜି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ କଲେଜର ଡିନ୍ ଏବଂ ଅଧ୍ୟକ୍ଷ ଥିଲେ । ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ସେ ପ୍ରଥମ କୁଳପତି ଥିଲେ । କିଡନି ଟ୍ରାନସପ୍ଲାଣ୍ଟ, ଲିଭର ଟ୍ରାନସପ୍ଲାଣ୍ଟ ୟୁନିଟ୍ ପ୍ରତିଷ୍ଠାରେ ତାଙ୍କର ଅବଦାନ ଅଛି ।



