ବରୀ(ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ୍ ଅନ୍ତର୍ଗତ ସାହୁପଡ଼ା ଓ ଗୋଳକୁଣ୍ଡ ପଞ୍ଚାୟତର ନାଏବ ସରପଞ୍ଚ ପାଇଁ ଦ୍ୱିତୀୟ ଥର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସାହୁପଡ଼ା ପଞ୍ଚାୟତର ନାଏବ ସରପଞ୍ଚ ଭାବେ ମମତା ଯେନା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାବେଳେ ଗୋଳକୁଣ୍ଡ ପଞ୍ଚାୟତର ସୁଧାଂଶୁ ସାହୁ ଧର୍ମଗୁଳା ଜରିଆରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ମଣ୍ଡଳ ଉନ୍ନୟନ ଅଧିକାରୀ ବରୀଙ୍କ ପତ୍ର ସଂଖ୍ୟା ୧୧୩୮/୨୦୨୨ ଅନୁଯାୟୀ ଗତ ଶନିବାର ଦିନ ସାହୁପଡ଼ା ଓ ଗୋଳକୁଣ୍ଡ ପଞ୍ଚାୟତର ନାଏବ ସରପଞ୍ଚ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ସାହୁପଡ଼ା ସରପଞ୍ଚଙ୍କ ସର୍ମଥିତ ପ୍ରାର୍ଥୀ ମମତା ଯେନା ନିଜର ନାମାଙ୍କନ ଦାଖଲ କରିଥିଲେ ।
ଏଠାରେ ଅନ୍ୟ କୌଣସି ପ୍ରତିଦ୍ୱନ୍ଦି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ଡକ୍ଟର ପ୍ରଭଞ୍ଜନ ପତି ମମତା ଯେନାଙ୍କୁ ନିଦ୍ୱର୍ନ୍ଦରେ ନିର୍ବାଚିତ ଘୋଷଣା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ନିର୍ବାଚନ ସମୟରେ ବାଲାଟ୍ ପେପର ଚିରାକୁ ନେଇ ନିର୍ବାଚନକୁ ବାତିଲ କରିଦିଆଯାଇଥିଲା । ସେହିପରି ଗୋଳକୁଣ୍ଡ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନରେ ଶାସକ ଦଳର ଦୁଇଜଣ ପ୍ରାର୍ଥୀ ସୁଧାଂଶୁ ସାହୁ ଓ ପ୍ରତାପ ଜେନା ନାମାଙ୍କନ ଦାଖଲ କରିଥିଲେ । ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିଜ ସର୍ମଥକଙ୍କୁ ଜିତାଇବା ପାଇଁ ସରପଞ୍ଚ ସବିତା ବେହେରା ମଧ୍ୟ ଭୋଟ ଦେଇଥିଲେ । ଗଣତିବେଳେ ଉଭୟ ପ୍ରାର୍ଥୀ ସମାନ ସଂଖ୍ୟକ ଛଅ ଖଣ୍ଡ ଲେଖାଏଁ ଭୋଟ ପାଇଥିବାରୁ ନିର୍ବାଚନ ଅଧିକାରୀ ନେହୁର ବେହେରା ଧର୍ମଗୁଳାର ସହାୟତା ନେଇଥିଲେ । ଧର୍ମାଗୁଳାରେ ସୁଧାଂଶୁ ସାହୁଙ୍କ ନାମ ଉଠିବାରୁ ତାଙ୍କୁ ନାଏବ ସରପଞ୍ଚ ଭାବେ ନିର୍ବାଚନ ଅଧିକାରୀ ଶ୍ରୀ ବେହେରା ବିଜୟୀ ଘୋଷଣା କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ନିର୍ବାଚନରେ ଏଠାରେ ମଧ୍ୟ ବାଲାଟ୍ ଚିରା କାରଣ ପାଇଁ ନାଏବ ସରପଞ୍ଚ ନିର୍ବାଚନ ବାତିଲ ହୋଇଥିଲା l