ବାଲିଚନ୍ଦ୍ରପୁର (ରତ୍ନଗିରି ନ୍ୟୁଜ ): ଓଡ଼ିଶାର ଗ୍ରାମ୍ୟ ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଜନଜୀବନକୁ ଆଧାର କରି ଯାଜପୁର ଜିଲ୍ଲାର ବିରୂପା ନଈକୂଳର ଗାଁ ନାନପୁରଠାରେ ଆସନ୍ତା ରବିବାର ଦିନ ଆୟୋଜିତ ହେବାକୁ ଯାଉଛି ନାନପୁର ମହୋତ୍ସବ । ଦୀର୍ଘବର୍ଷ ହେବ ଲଣ୍ଡନରେ ରହୁଥିବା ବିଶିଷ୍ଟ ଲେଖକ ତଥା ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କ ପୃଷ୍ଠପୋଷକତାରେ ଏବଂ ଡେରିକ୍-ପ୍ରଫୁଲ୍ଲ ଫାଉଣ୍ଡେସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ଦିନ ନାନପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସାହିତ୍ୟ ଅକାଦମୀ ପକ୍ଷରୁ ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଅନରାରି ଫେଲୋସିପ୍ ଗ୍ରହଣ କରିଥିବା ବିଶିଷ୍ଟ ଲେଖକ ଡ. ପ୍ରଫୁଲ୍ଲ ମହାନ୍ତି ପ୍ରକାଶ କରିଛନ୍ତି l
ଶ୍ରୀ ମହାନ୍ତି କହିଥିଲେ ଯେ, ମୋ ଗାଁ ହେଉଛି ମୋ ସାହିତ୍ୟ ଜୀବନର ଆଦ୍ୟ ପାଠଶାଳା । ଆମ ଦେଶର ଗୋଟେ ନିପଟ ଗାଁରୁ ଯାଇ ମୁଁ ଯେତେବେଳେ ଲଣ୍ଡନରେ ପହଂଚିଲି- ସେମାନେ କେହି ବିଶ୍ଵାସ କରିପାରି ନଥିଲେ । ମୁଁ ସେମାନଙ୍କୁ ବୁଝାଇଥିଲି ଗାଁ ହେଉଛି ଭାରତ ଭଳି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରକୃତ ସାଂସ୍କୃତିକ ପରିଚୟ । ମୁଁ ଆଜି ଯାହାକିଛି ହୋଇଛି ଗାଁର ସଂସ୍କୃତି, ଚଳଣି, ପରମ୍ପରା ମୋତେ ପିଲାଦିନୁ ସେସବୁକୁ ଶିଖାଇଛି । ମୁଁ ଯେତେବେଳେ ପ୍ରତି ଶୀତ ଋତୁରେ ଗାଁକୁ ଆସେ ପ୍ରତିବର୍ଷ ନାନପୁର ମହୋତ୍ସବର ଆୟୋଜନ କରାଯାଏ । ବିରୂପା ନଈକୂଳରେ ଆୟୋଜିତ ଚଳିତବର୍ଷର ଏଇ ମହୋତ୍ସବର ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଗାଁର ପିଲାମାନଙ୍କ ଦ୍ବାରା ଚିତ୍ର ଅଙ୍କା, ନୃତ୍ୟ, ଗୀତ ଓ ଅଭିନୟ ଇତ୍ୟାଦି ପ୍ରଦର୍ଶିତ ହେବ । ବିଶେଷକରି ଗ୍ରାମ୍ୟ ମହିଳାମାନଙ୍କ ଦ୍ବାରା ମାଣବସା ଗୁରୁବାରରେ ଅଙ୍କା ଯାଉଥବା ଝୋଟି ଓ ଚିତା ପ୍ରତିଯୋଗିତା, ବିଦ୍ୟାଳୟର ପିଲାମାନଙ୍କ ଦ୍ବାରା ‘ମୋ ଗାଁ, ମୋ ଜୀବନ’ ପ୍ରବନ୍ଧ ଲିଖନ, ‘ମୋ ଗାଁର ଚିତ୍ର’ ଓ ‘ ମୋ ଗାଁର ଗୀତ ଓ ନାଚ’ ପ୍ରତିଯୋଗିତା, କବିମାନଙ୍କ ଦ୍ବାରା କବିତା ପାଠ, ସାହିତ୍ୟ ଚର୍ଚ୍ଚାର ଆଲୋଚନା ଓ
ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଏହି ମହୋତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ କବି, ଲେଖକ, ଚିତ୍ରଶିଳ୍ପୀ, ସମାଜସେବୀ ଓ ବିଶିଷ୍ଟ ବ୍ୟକ୍ତିତ୍ଵମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ ।
ଏହା ସହିତ ଲେଖକ ପ୍ରଫୁଲ୍ଲ ମହାନ୍ତିଙ୍କ ଦ୍ବାରା ଅଙ୍କିତ ଚିତ୍ରକଳା ଓ ପୁସ୍ତକ ପ୍ରଦର୍ଶନୀ, କ୍ଷୁଦ୍ର ପ୍ରାମାଣିକ ଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ସାମ୍ବାଦିକ ସମ୍ମିଳନୀରେ ନାନପୁର ମହୋତ୍ସବ ଆୟୋଜନ ସମିତିର ଉପଦେଷ୍ଟା ପ୍ରାଧ୍ୟାପକ ବୈଷ୍ଣବ ଚରଣ ମହାନ୍ତି ଓ ଉପଦେଷ୍ଟା ତଥା ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ କୁମାର ଭୂୟାଁ ଆମର ଗ୍ରାମୀଣ ଜନଜୀବନ ଓ ସାଂସ୍କୃତିକ ପରମ୍ପରା ଆଧାରରେ ଆୟୋଜିତ ଏହି ଗ୍ରାମୀଣ ମହୋତ୍ସବ ପାଳନ ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମହୋତ୍ସବ ସମିତିର ସଦସ୍ୟ ଲଗନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।