ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ):- ଓଡ଼ିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ରଙ୍କ ଶନିବାର ରାତିରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ପ୍ରାୟ ଏକ ମାସ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଶନିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତପୁ ମିଶ୍ରଙ୍କୁ ଇକ୍ମୋ ଚିକିତ୍ସା ଯୋଗାଇ ଦିଆଯିବାକୁ ତାଙ୍କ ପରିବାର ଲୋକ ଚିନ୍ତା କରିଥିଲେ । ଏଥିପାଇଁ ନିକଟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏକ ଲକ୍ଷ ଟଙ୍କା ତପୁଙ୍କ ପାଇଁ ସହାୟତା ଦେଇଥିଲା। ରାତି ପ୍ରାୟ ୧୧ଟାରେ ତାଙ୍କର ପରଲୋକ ହୋଇଥିବା ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ତପୁ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ପ୍ରଥମେ କରୋନାରୁ ମୁକ୍ତ ହେବା ପରେ ସେ ଅଧିକ ଗୁରୁତର ହୋଇପଡ଼ିଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ।
୨୦୦୩ ମସିହାରେ ‘କୁଳନନ୍ଦନ’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ କରିଥିବା ଏହି ଗାୟିକା ଗତ ମାସରେ କୋଭିଡରେ ସଂକ୍ରମିତ ହୋଇଥିଲେ। ଏହାପରେ ଅକ୍ସିଜେନ ନେବାରେ ସେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ ମେ ୧୯ରେ ଆସିୟୁରେ ଭର୍ତ୍ତି ହୋଇଥିଲେ। ପରେ ତପୁ ମିଶ୍ରଙ୍କ ଅକ୍ସିଜେନରେ ସୁନ୍ତୁଳନ ଆସିଥିବା ନେଇ ସୂଚନା ମିଳିଥିଲା। କିନ୍ତୁ ପରେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।
ମୋଟ୍ ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ବର୍ଷିଆନ୍ ଗାୟିକା ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ। ଗତ ମେ ମାସର ପ୍ରଥମ ସପ୍ତାହରେ ତପୁଙ୍କ ବାପା କୋଭିଡ୧୯ରେ ସଂକ୍ରମିତ ହୋଇ ଆରପାରିକୁ ଚାଲିଯାଇଥିଲେ। ପରେ ପରେ ତପୁ ମିଶ୍ର କୋଭିଡରେ ସଂକ୍ରମିତ ହୋଇଥିଲେ।
ତପୁ ମିଶ୍ର ଅନେକ ସୁପର ହିଟ୍ ଗୀତ ଗାଇ ଲୋକଙ୍କ ନଜରକୁ ଆସିଥିଲେ। ସେ ଗାଇଥିବା ସୁପରହିଟ୍ ଗୀତ ଗୁଡିକ ହେଲା ମଥାରେ ଓଢଣୀ ଦେବି..ଶାଶୁ ଘର ଚାଲିଯିବି, ମୁଁ ତୁମକୁ ଭଲ ପାଏ, ହାଏରେ ହାଏ ତୋର ଚେହେରା, ଆୟୁ ଲଭ୍ ୟୁ, ନୂଆ ନୂଆ ପ୍ରେମ ଏବଂ ଚକୋଲେଟ ଫିଲ୍ମର ଇତ୍ୟାଦି ଅନେକ ଗୀତ ଗାଇ ଲୋକଙ୍କ ହୃହୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ।