ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) :- ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ ତଥା ଭାରତର ଶ୍ରମଜୀବିଙ୍କୁ ନିଶ୍ଚିତ କର୍ମସଂସ୍ଥାନ ଯୋଗାଇବା ଉଦ୍ଦେଶ୍ୟରେ ତତ୍କାଳୀନ ଉପାସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରି କରିଥିଲେ । ଭାରତ ବର୍ଷର ଜ୍ଞାନୀ ତଥା ଅର୍ଥନୀତି ଉପରେ ଗୁରୁଗମ୍ଭୀର ଜ୍ଞାନ ରହିଥିବା ଭାରତର ଯଶସ୍ୱୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥ ନୀତିଜ୍ଞ ଡ. ମନମୋହନ ସିଂ ୨୦୦୫ ମସିହାରେ ଏହି ଯୋଜନାକୁ ପାଇଲଟ ପ୍ରୋଜେକ୍ଟ ହିସାବରେ ଲାଗୁ କରିଥିଲେ । ମନମୋହନ ସିଂଙ୍କ ଦୁରଦୃଷ୍ଟି ପୂର୍ଣ୍ଣ ଚିନ୍ତାଧାରା ପ୍ରତିଟି ଶ୍ରମଜୀବିମାନଙ୍କୁ ୧୦୦ ଦିନର କାମ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । କିନ୍ତୁ ବାଙ୍କି ଉପଖଣ୍ଡ ସହ ସମଗ୍ର ରାଜ୍ୟରେ ଏହି ଯୋଜନାକୁ କିପରି ଶ୍ରମିକଙ୍କ ନାମରେ ହରିଲୁଟ କରାଯାଉଛି ତାହାର ଜ୍ୱଳନ୍ତ ଉଦାହରଣ ସହ ଆଜିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପିସିସି ମୁଖପାତ୍ର ଡକ୍ଟର ଦେବାଶିଷ ପଟ୍ଟନାୟକ ସରକାରଙ୍କ ଅସଲିମୁଖା ଖୋଲିଛନ୍ତି । ସେ କହିଛନ୍ତି ବାଙ୍କି ଡମପଡ଼ା ବ୍ଲକର କୁଶୁପଙ୍ଗି, ତାଳବସ୍ତ, ପାଥପୁର, ଦୁଲଣାପୁର ପ୍ରଭୃତି ପଂଚାୟତରେ ମନରେଗା ଯୋଜନାକୁ ବ୍ୟାପକ ହରିଲୁଟ କରାଯିବା ସହିତ ସରପଂଚ ଏବଂ ପଂଚାୟତର ଧନଶାଳୀ ବ୍ୟକ୍ତିମାନେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଦେଖିବାକୁ ମିଳିଛି । ପଂଚାୟତ ବିଭାଗର ଦୁର୍ନୀତି ବର୍ତମାନ ନୀତିରେ ପରିଣତ ହୋଇଛି । ଏହା ପଂଚାରାତ ମନ୍ତ୍ରୀ ଓ ସଚିବଙ୍କ ଇଜଲାସରେ ଦୁର୍ନୀତି ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି । ଡ. ପଟ୍ଟନାୟକ ଦସ୍ତାବିଜ ଆକାରରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।
କେନ୍ଦ୍ର ସରକାରଙ୍କର ମନରେଗା ଯୋଜନାରୁ ତାଳବସ୍ତ ପଂଚାୟତର ସାମନ୍ତରାପୁର ଗ୍ରାମରେ ଶ୍ମଶାନକୁ ପାର୍କ ଦର୍ଶାଇ ୬ଲକ୍ଷ ୩୩ ହଜାର ଟଙ୍କାର ବିଲ ପୈଠ କରାଯାଇଛି ସେହିପରି ଇନ୍ଦିରା ପ୍ରିୟଦର୍ଶନୀ ହାଇସ୍କୁଲ ଖେଳପଡ଼ିଆରେ କିଛି କାମନକରି ମାତ୍ର ୩ ଗୋଟି ବେଂଚ ନିର୍ମାଣ କରି ୫ଲକ୍ଷ ଟଙ୍କର ବିଲ ପୈଠ କରାଯାଇଛି । ସାମନ୍ତରାପୁର ପୋଖରୀ ନାମରେ କୌଣସି ପୋଖରୀ ନଥିବା ବେଳେ ଖନନ ଦର୍ଶାଇ ୫ଲକ୍ଷ ଟଙ୍କାର ବିଲ ପୈଠ ଓ ପଂଚାୟତର ନନ୍ଦପୁର, ତାଳବସ୍ତରେ ମେସିନ ଦ୍ୱାରା ଅଳ୍ପ କିଛି ଖୋଳି ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ବିଲ କରାଯାଇଛି । ତାଳବସ୍ତ ଓ ପାଥପୁର ପଂଚାୟତର ସାମଗ୍ରୀ ଯୋଗାଇବା ପାଇଁ କୁସୁପଙ୍ଗି ପଂଚାୟତର ସରପଂଚଙ୍କ ସ୍ୱାମୀ ଅଶିତ କୁମାର ଜେନା ଯେକି କୁସୁପଙ୍ଗିର ଜଣେ ଶ୍ରମିକ ସେ ମଧ୍ୟ ଭେଣ୍ଡର ସାଜି ସାମଗ୍ରୀ ଯୋଗାଣ କରିଛନ୍ତି । ଋୁବାନ ଯୋଜନାରେ ପ୍ରକଳ୍ପ ଗୁଡ଼ିକର ଚିହ୍ନ ବର୍ଣ୍ଣ ନଥିବା ବେଳେ କୋଟି କୋଟି ଟଙ୍କାର ଆତ୍ମସାତ କରାଯାଇଛି । କୁସୁପଙ୍ଗି ପଂଚାୟତରେ ଅରାଚଣ୍ଡି ହାଇସ୍କୁଲ, ନିସ୍ତିପୁର ସ୍କୁଲ, ୟୁନାଇଟେଡ଼ ବିଦ୍ୟାପୀଠ ନାମରେ ପଡ଼ିଆ ଉନ୍ନତିକରଣ ପାଇଁ ପ୍ରଥମେ ରୁର୍ବାନରୁ ବିଲ ହୋଇଥିବା ବେଳେ ପୁଣି ସେହି ପ୍ରକଳ୍ପକୁ ଦର୍ଶାଇ ମନରେଗା ଯୋଜନାରେ ବିଲ କରାଯାଇଛି । ସରସ୍ୱତୀ ଶିଶୁ ମନ୍ଦିରର ନିଜସ୍ୱ ଜାଗା ନଥିବାବେଳେ ପୁରୁଣା ଶୀତଳଭଣ୍ଡାରରେ ବିଦ୍ୟାଳୟରେ କାର୍ଯ୍ୟକ୍ଷମ ହେଉଛି । ଶୀତଳ ଭଣ୍ଡାରର ସମ୍ମୁଖ ପଡ଼ିଆକୁ ବିଦ୍ୟାଳୟର ଖେଳପଡ଼ିଆ ଦର୍ଶାଇ ୫ଲକ୍ଷ ଟଙ୍କାର ବିଲ ହୋଇଛି । କୁସୁପଙ୍ଗି ପଂଚାୟତର ପ୍ରାୟ ୪୦ଗୋଟି ପ୍ରକଳ୍ପ ଏବେ ୨ଟି ଯୋଜନାକୁ ଗୋଟିଏ ପ୍ରକଳ୍ପ ଦେଖାଯାଇ ଦୁଇ ଦୁଇ ଥର ବିଲ ହୋଇଛି । ଜିଆରଏସ କନିଷ୍ଠଯନ୍ତ୍ରୀ ବିଲ କରିବାପରେ ସହକାରୀ ଯନ୍ତ୍ରୀ ଜଣକ ଚେକ୍ ମେଜରମେଂଟ କରି ପଂଚାୟତର ନିର୍ବାହୀ ଅଧିକାରୀ ଓ ସରପଂଚ ମିଳିତଭାବେ ଶ୍ରମିକ ମାନଙ୍କୁ ପାରିଶ୍ରମିକ ପୈଠ କରିଛନ୍ତି । ସରପଂଚ ନିଜ ସ୍ୱାମୀ ଅଶିତ କୁମାର ଜେନାଙ୍କୁ ଶ୍ରମିକଭାବେ ପାରିଶ୍ରମିକ ଦେଉଥିବା ବେଳେ ଭେଣ୍ଡର ହିସାବରେ ନଗଦ ଲକ୍ଷାଧିକ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ଭାବେ ଏହାକୁ ପ୍ରଦାନ କଲେ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ମହା ଘୋଟଲାରେ ଜିଆରଏସଙ୍କ ଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସଂପୃକ୍ତି ରହିଛି ନହେଲେ ଏତେବଡ଼ ମହାଦୁର୍ନୀତି ଅସମ୍ଭବ । କୁସୁପଙ୍ଗି ପଂଚାୟତର ସରପଂଚଙ୍କ ଶାଶୁ ପୁଷ୍ପଲତା ଜେନାଙ୍କ ନାମରେ ତିନିଗୋଟି ଲକ୍ଷାଧିକ ଟଙ୍କାର ବ୍ୟୟବହୁଳ ଚାରିଚକିଆ ଗାଡ଼ି ରହିଥିବା ବେଳେ ସେ ମଧ୍ୟ ଶ୍ରମିକଭାବେ କାମକରି ମନରେଗା ଯୋଜନାରୁ ଅର୍ଥହଡ଼ପ କରିଛନ୍ତି । ଏଥି ସହିତ ସରପଂଚଙ୍କ ସଂପୂର୍ଣ୍ଣ ପରିବାର ଆର୍ଥିକ ସମୃଦ୍ଧ ସହିତ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ମନରେଗା ଯୋଜନାରେ ଶ୍ରମିକ ସାଜି ଅର୍ଥର୍ ହଡ଼ପ କରିଛନ୍ତି । ସରପଂଚଙ୍କ ଶ୍ୱଶୁର ସ୍ଥାନୀୟ କଂଟ୍ରୋଲ ଡିଲର ହୋଇଥିବା ବେଳେ ସେ ମଧ୍ୟ ଶ୍ରମିକ ସାଜି ମନରେଗା ଅର୍ଥକୁ ନିଜର ପକେଟରେ ପୁରାଇଛନ୍ତି । ସରପଂଚଙ୍କ ଶାଶୁଙ୍କ ତିନିଗୋଟି ଗାଡ଼ି ମଧ୍ୟଋୁ ଗୋଟିଏ ବ୍ଲକର ମନରେଗା ଯୋଜନାରେ ଲାଗିଥିବା ବେଳେ ସେ କିଭଳି ଶ୍ରମିକ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏଥିସହ ଏଭଳି କୋଟି କୋଟି ଲୋକମାଙ୍କୁ କିଭଳି ବ୍ଲକ ପ୍ରଶାସନ ଶ୍ରମିକ ସଜାଇ ମନରେଗା ଯୋଜନା ଅର୍ଥ ହଡ଼ପକରିବାକୁ ଦେଲା ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ । ଶ୍ରମିକ ନିଜକୁ ଭେଣ୍ଡର କରି କୋଟି କୋଟି ଟଙ୍କା ଉର୍ପାଜନ କରିଥିବା ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଂଟ ତଦନ୍ତ କରିବା ସହିତ ସରକାରୀ ଅର୍ଥ ଫେରାଇ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ. ପଟ୍ଟନାୟକ ଦାବି କରିଛନ୍ତି । ଏହି ମହାଘୋଟଲାର ମାଷ୍ଟର ମାଇଣ୍ଡ ସରପଂଚଙ୍କ ବାପା ସେହି ଗ୍ରାମର କଂଟ୍ରୋଲ ଡିଲର । ପଂଚାୟତ ରାଜ ବ୍ୟବସ୍ଥାରେ ଏମାନେ ଡିଲରୁ ବାଦ ପଡ଼ିବା କଥା କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇନାହିଁ କି ବିଡିଏ ସେମାନଙ୍କର ଡିଲରସିପ ଉଚ୍ଛେଦ କରୁନାହାନ୍ତି । କୁସୁପଙ୍ଗି ଓ ତାଳବସ୍ତ ପଂଚାୟତରେ ୬୦ରୁ ଉର୍ଦ୍ଧ୍ୱ ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର କରାଯାଉଥିବା ଜଣାଯାଇଛି ବୋଲି ଡ. ପଟ୍ଟନାୟକ କହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏମ.ପି ଇୟର ମାର୍କ ଫଣ୍ଡରୁ ବିଧାୟକଙ୍କ ଜାଣତରେ ୭୦ଲକ୍ଷ ଟଙ୍କା ଉଠାଣ ହୋଇଥିବା ବେଳେ ଅନେକ ପଂଚାୟତର ଅନେକ ବିଦ୍ୟୁତ ବିଲ ଓ ପାଣି ବିଲ ପୈଠ ନହେବାରୁ ବିଦ୍ୟୁତ ଓ ଜଳଯୋଗାଣ ବନ୍ଦ ରହିଛି । ସେହିପରି ଜଳଯୋଗାଣ ସହାୟକ ୧୧ ମାସ ଧରି ଦରମା ପାଇନାହାନ୍ତି । ମିଡିଆ ବିଭାଗର ଆବହାକ ଶ୍ରୀ ସତ୍ୟ ନାୟକ ଏହା ଭାତ ହାଣ୍ଡିରୁ ଗୋଟିଏ ମାତ୍ର ଭାତର ଉଦାହରଣ । ଏହିପରି ସମଗ୍ର ରାଜ୍ୟରେ ବହୁ ଦୁର୍ନୀତି ହେଉଛି ଏହାର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଶ୍ରୀ ନାୟକ କହିଥିଲେ । ତେଣୁ ମନରେଗା ଘୋଟଲାରେ ସଂପୃକ୍ତି ଜିଆରଏସ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ, ସରପଂଚ ଓ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିବା ସହିତ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସଂପୃକ୍ତ ଥିବା ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗିରଫ କରିବାପାଇଁ ଦାବି କରୁଛି କଂଗ୍ରେସ । ଦୁଇ ପଂଚାୟତର କନିଷ୍ଠଯନ୍ତ୍ରୀଙ୍କୁ ବଦଳି କରାଗଲେ କ’ଣ ସରକାରୀ ଅର୍ଥ ଫେରିଆସିବ ନା ସାଧାରଣ ଲୋକେ ତାଙ୍କ ଅର୍ଥ ପାଇପାରିବେ । ବଦଳି ବଦଳରେ ସେମାନଙ୍କୁ ଗିରଫ କରାଗଲେ ମହାଘୋଟାଲା ର ସମସ୍ତ ଗୁମର ଫିଟିବ । ନଚେତ ଆଗାମୀ ଦିନରେ କଂଗ୍ରେସ ଜିଲ୍ଲାସ୍ତରରୁ ଆରମ୍ଭ କରି ବ୍ଲକ ଏବଂ ପଂଚାୟତ ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡ. ପଟ୍ଟନାୟକଙ୍କ ସମେତ ଶ୍ରୀ ନାୟକ, ଶ୍ରୀ ଦାଶ ଏବଂ ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।