ବରୀ(ରତ୍ନଗିରି ନ୍ୟୁଜ) :-ଯାଜପୁର ଜିଲ୍ଲା ବରୀ ଥାନା ଅର୍ନ୍ତଗତ ବାଲିଆ ପଞ୍ଚାୟତରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବବେଳେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି ଓ ଏହି ଘଟଣାରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ବରୀ ପୋଲିସ ଗିରଫ କରିଛି ।
ଘଟଣାରୁ ପ୍ରକାଶ ଯେ ବରୀ ଥାନା ଅର୍ନ୍ତଗତ ବାଲିଆ ଗ୍ରାମ ପଞ୍ଚାୟତର ଆଖଡାଡିହ ଗ୍ରାମର ନରେନ୍ଦ୍ର ଦାସଙ୍କ ସ୍ତ୍ରୀ ଗୀତାଞ୍ଜଳୀ ଗତ ଶନିବାର ରାତି ୧୦ଟା ସମୟରେ ଖାଇ ବସିଥିବା ସମୟରେ ସେହି ଗ୍ରାମର ବାସୁଦେବ ଦାସ, ଚନ୍ଦନ କୁମାର ଦାସ, ପାପୁନି ଦାସ, ଦୀପକ କୁମାର ଦାସ, ସୁଶାନ୍ତ କୁମାର ଦାସ ଓ ବୈଷ୍ଣବ ଦାସ ପ୍ରମୁଖ ବିଭିନ୍ନ ମାରଣାସ୍ତ୍ର ଧରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଟଣାଘୋସରା କରି ମାଡ ମାରିଥିଲେ । ଏହି ସମୟରେ ମହେନ୍ଦ୍ର ଦାସ ଆସିଯିବାରୁ ଫାର୍ସା ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଦୂବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ମହେନ୍ଦ୍ର ଗୁରୁତର ହୋଇପଡିବାବେଳେ ଘଟଣାସ୍ଥଳରେ ଭାଇ ନରେନ୍ଦ୍ର, ସୁବାଷ ପହଞ୍ôଚ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ନିସ୍ତୁକ ମାଡ ମାରିବା ସହ ରକ୍ତାତ ଆକ୍ରମଣ କରିଥିଲେ । ଏପରିକି ଗୀତାଞ୍ଜଳୀଙ୍କ ୧୩ ବର୍ଷୀୟ ପୁତୁରା ସ୍ମୃତିରଂଜନ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥିଲେ । ଆହତ ବ୍ୟକ୍ତିମାନଙ୍କୁ ପ୍ରଥମେ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମହେନ୍ଦ୍ର, ନରେନ୍ଦ୍ର ଓ ସୁବାଷଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଯାଜପୁର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।
ଘଟଣା ସମ୍ପର୍କରେ ବରୀ ଥାନାରେ ଗୀତାଞ୍ଜଳୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ଥାନା କେଶ୍ ନଂ୨୭୯/୨୦୨୧, ଦଫା ୧୪୭/୧୪୮/୪୫୨/୩୨୩/ ୩୨୪/୩୨୫/୩୨୬/ ୩୦୭/୧୪୯ ଆଇପିସିରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାରେ ସଂପୃକ୍ତ ଥିବା ସୁଶାନ୍ତ ଦାସ, ବାସୁଦେବ ଦାସ ଓ ବୈଷ୍ଣବ ଦାସଙ୍କୁ ବରୀ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଅପର ପକ୍ଷରେ ସୁଶାନ୍ତ ଦାସଙ୍କ ପରିବାର ପକ୍ଷରୁ ବରୀ ଥାନାରେ ପାଲଟା ଅଭିଯୋଗ କ୍ରମେ ବରୀ ଥାନା କେଶ୍ ନଂ ୨୮୦/୨୦୨୧ ଦଫା ୩୪୧/୩୨୩/୩୨୪/୩୩୭/୩୪ ଆଇପିସି ଅନ୍ୟ ଏକ ମାମଲା ରୁଜୁ କରାଯାଇଛି । ବରୀ ଥାନା ଅଧିକାରୀ କାବୁଲି ବାରିକଙ୍କ ନେତୃତ୍ୱରେ ଏଏସ୍ଆଇ ସୁଧାଂଶୁ ଶେଖର ରାଉତ ତଦନ୍ତକାରୀ ଅଧିକାରୀ ରହିଥିବା ଜଣାପଡିଛି ।