ବରୀ (ରତ୍ନଗିରି ନ୍ୟୁଜ) :-ପଠନ ସବୁ ବେଳେ ଜାରି ରଖିବା ଉଚିତ୍, ପଲ୍ଲୀ ନ ବଞ୍ଚିଲେ ଦେଶ ବଞ୍ଚିବ ନାହିଁ । ସ୍ୱାଭାବିକତା ବ୍ୟାହତ ହେଲେ ମରି ମରି ଯାଏ, ତେଣୁ ସାହିତ୍ୟିକ ପୃଷ୍ଠଭୂମିରୁ ବ୍ୟାହତ ନହେଉ । ମଣିଷ ମାଟି ମନସ୍କ ହେବା ଉଚିତ, ଭାଷା ମନସ୍କ ହେବା ଉଚିତ । ଆମ ଦେଶ, ଜାତି ଆମ ଠାରୁ ଯାହା ଆଶା କରୁଛି ତାହା ଦେବା ଉଚିତ୍ ବୋଲି ଚାଳଘର ସାହିତ୍ୟ ସଂସଦର ୪ର୍ଥ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗ ଦେଇ ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ପ୍ରକାଶ କରିଥିଲେ ।
ଯାଜପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚାଳଘର ସାହିତ୍ୟ ସଂସଦର ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବ ଅଜାଣ ହାଟ ପଡିଆଠାରେ ସଂସଦର ସଭାପତି ଆଇନଜୀବୀ ବିରଜା ପ୍ରସାଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟକୁ ବରୀର ଅବଦାନ ଅତୁଳନୀୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଭାଗବତ ଶୁକ୍ଳ, ବିଶେଷ ବକ୍ତା ଡକ୍ଟର କୁମରବର ଦାଶ, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଂଚ ଚପଳା ମଲ୍ଲ, ପୂର୍ବତନ ସରପଞ୍ଚ କେଦାର ସାମଲ ପ୍ରମୁଖ ଯୋଗଦେଇ ପୁସ୍ତକ ମନସ୍କ ନହେବା ସୁସ୍ଥ ସମାଜ ଗଠନରେ ପ୍ରତିବନ୍ଧକ ଶୀର୍ଷକରେ ଆଲୋଚନା କରିଥିଲେ ।
ଚାଳଘର ପକ୍ଷରୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ଚାଳଘର ସମ୍ମାନ ୨୦୨୩ ବିଶିଷ୍ଟ କବି ପ୍ରଭାକର ଶତପଥୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ମଂଚ ନିର୍ଦ୍ଦେଶକ ସଚି ଦାସଙ୍କୁ ମାଟିର ମହକ ସମ୍ମାନ, ପ୍ରଭାସ ଚନ୍ଦ୍ର ଦାସଙ୍କୁ କର୍ମବୀର ସମ୍ମାନ, ରାଜୀବ କୁମାର ମହାନ୍ତିଙ୍କୁ ନ୍ୟାୟିକ ପ୍ରତିଭା ସମ୍ମାନ, ସାରଦାଦେବୀ ଜେନାଙ୍କୁ ଆଦର୍ଶ ମାଆ ସମ୍ମାନ, ଅମୀୟ ପରିଡାଙ୍କୁ କ୍ରୀଡା ସଂଗଠକ ସମ୍ମାନ, ପ୍ରଭାତ କୁମାର ମହାନ୍ତିଙ୍କୁ ଦୁର୍ଯ୍ୟୋଧନ ଜେନା ସ୍ମୃତି ସମ୍ମାନ, ଜ୍ୟୋତ୍ସ୍ନାରାଣୀ ନାଥଶର୍ମାଙ୍କୁ ସୁସେବିକା ସମ୍ମାନ, ଜଗନ୍ନାଥ ବାରିକଙ୍କୁ କର୍ମଯୋଗୀ ସମ୍ମାନ, ବିବେକାନନ୍ଦ ଦ୍ୱିବେଦୀଙ୍କୁ ବେତାର ଗୀତି କବି ଅଭିରାମ ସାହୁ ସମ୍ମାନ, ସ୍ୱଂୟପ୍ରଜ୍ଞ ଦାସଙ୍କୁ ଆଦର୍ଶ ଶିକ୍ଷକ ମେଘନାଦ ମଲ୍ଲିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ପ୍ରତାପ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କବି ଦିଲୀପ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷାବିତ୍ ନିର୍ମଳ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଅମ୍ରିତା ସିଂ, ଅଜୟ କୁମାର ଜେନା, ମହାପାତ୍ର ବନ୍ଦନା ସାମଲ ଓ ବନିତା ବେହେରାଙ୍କ ସଂଯୋଜନାରେ ବହୁ କବି ସେମାନଙ୍କ କବିତା ପାଠ କରିଥିଲେ । ଶ୍ରେଷ୍ଠ ୧୦ଟି କବିତାର ସ୍ରଷ୍ଟାଙ୍କୁ ଶ୍ରେଷ୍ଠ କବି ସମ୍ମାନରେ ସମ୍ମାନିତ କରାଯାଇଥିଲା ।