ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଭୂତାଣୁ ସଂକ୍ରମଣରେ ହ୍ରାସ ଓ ବୃଦ୍ଧି ଲାଗି ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶର ୨୦ଟି ରାଜ୍ୟରେ ଦୈନିକ ସଂକ୍ରମଣ ସ୍ଥିର ରହିଛି। ଅର୍ଥାତ୍ ଏହିସବୁ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି କିମ୍ବା ହ୍ରାସ ହେଉ ନାହିଁ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ମଧ୍ୟରୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୨% ସଂକ୍ରମିତ ରହିଛନ୍ତି। ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୬,୭୮୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେରଳରେ ୪୩,୫୨୯ ଓ କର୍ଣ୍ଣାଟକରେ ୩୯,୯୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ମହାରାଷ୍ଟ୍ର ଓ ବିହାରରେ ଲାଗୁ ହୋଇଥିବା ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି। ତାଲାବନ୍ଦ ଯୋଗୁଁ ରାଜ୍ୟରେ ସଂକ୍ରମଣ କିଛିଟା ନିୟନ୍ତ୍ରଣକୁ ଆସିଥିବା ଦେଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟ ରାଜ୍ୟରେ ତାଲାବନ୍ଦ ଅବଧିକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପ୍ରିଲ ୧୫ରୁ ମହାରାଷ୍ଟ୍ରରେ ତାଲାବନ୍ଦ ଲାଗୁ ହୋଇଛି। ତାଲାବନ୍ଦ ଅବଧି ମେ ୧୪ରେ ଶେଷ ହେବାକୁ ଥିବାବେଳେ ଏହାକୁ ଏବେ ଜୁନ୍ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ବିହାରରେ ମଧ୍ୟ ତାଲାବନ୍ଦ ଅବଧିକୁ ମେ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିହାର ବର୍ତ୍ତମାନର ତାଲାବନ୍ଦ ଅବଧି ମେ ୧୫ରେ ଶେଷ ହେବାକୁ ଥିବାବେଳେ ଏହାକୁ ୧୦ ଦିନ ବୃଦ୍ଧି କରାଯାଇ ମେ ୨୫ ପର୍ଯ୍ୟନ୍ତ ବଢାଯାଇଛି।
Related Stories
May 13, 2024
February 14, 2024