ନୂଆଦିଲ୍ଲୀ : ଆସିଲା ମହୌଷଧି । ସୋମବାର ବଜାରକୁ ଆସିଛି ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧ -୨ଡିଜି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ଆଣ୍ଟି କୋଭିଡ ଔଷଧର ପ୍ରଥମ ବ୍ୟାଚ୍ ଲଞ୍ଚ କରିନ୍ତି । ଏହି ଔଷଧ ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ ନିଉକ୍ଲିଅର ଆଣ୍ଡ ଆଲାଏଡ ସାଇନସ୍ ଏବଂ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡି ଲ୍ୟାବ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।
ଏହି ଔଷଧ ପାଉଡର ଗୁଣ୍ଡ ଆକାରରେ ମିଳିବ ଏବଂ ଏହାକୁ ପାଣିରେ ମିଶାଇ ପିଆଯାଇ ପାରିବ । ଡିଆରଡିଓ ପକ୍ଷରୁ କୁହାଯାଇଛି ଏହି ଔଷଧ ଯେଉଁ କେତେକ କରୋନା ରୋଗୀଙ୍କୁ ଟ୍ରାଏଲ୍ ପାଇଁ ଦିଆଯାଇଥିଲା ତାଙ୍କ ଆରଟିପିସିଆର ଟେଷ୍ଟ କମ୍ ଦିନରେ ନେଗେଟିଭ୍ ଆସିଛି । ଏହା କରୋନା ରୋଗୀଙ୍କ ପାଇଁ ବେଶ ଫଳପ୍ରଦ ହେଉଛି ବୋଲି ଦାବି କରାଯାଇଛି ।
ପ୍ରଥମ ବ୍ୟାଚରେ ୧୦ ହଜାର ଡୋଜ୍ ବଜାରକୁ ଆସିବ । ଏହି ଔଷଧକୁ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କୋରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ । ଏହି ଔଷଧର ‘ମଲିକ୍ୟୁଲ୍ ’ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଅମ୍ଳଜାନ ନିର୍ଭରଶୀଳତା ହ୍ରାସ କରିବ । ଡିଆରଡିଓ ଓ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହଯୋଗରେ ଏହି ଔଷଧକୁ ବିକଶିତ କରାଯାଇଛି । କ୍ଲିନିକାଲ୍ ପରୀକ୍ଷା ଫଳାଫଳରେ ଦର୍ଶାଇଛି ଯେ ଏହି ଆଣ୍ଟି-କୋଭିଡ୍ ଡ୍ରଗ୍ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ । ଏଥରେ କୌଣସି ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ନାହିଁ।