ନୂଆଦିଲ୍ଲୀ : ଭାରତ ସରକାର କରୋନା ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି କରିବାକୁ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍ ନେଇପାରିବେ।
ବିଜ୍ଞାନ ପଦ୍ଧତି ଆଧାରରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେଇପାରିବେ। ବର୍ତ୍ତମାନ ୬ରୁ ୮ ସପ୍ତାହ ମଧ୍ୟରେ ରହିଥିଲା। ତେବେ କୋଭାକ୍ସିନ ଟିକାର ଡୋଜ୍ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ପୂର୍ବଭଳି ୪ରୁ ୬ ସପ୍ତାହ ରହିଛି। କିନ୍ତୁ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବେ।
ସୂଚନାଯୋଗ୍ୟ ସରକାରଙ୍କ ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅଫ୍ ଇମ୍ୟୁନାଇଜେସନ ପ୍ରଥମେ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟକୁ ବଦଳାଇବାକୁ ପ୍ରସ୍ତାବ ଦେଇଥିଲା। ଅନ୍ୟପକ୍ଷରେ ବିରୋଧୀ କହିଛନ୍ତି ଟିକାର ଅଭାବ ଯୋଗୁ ସରକାର ଜାଣିଶୁଣି ଡୋଜ୍ ଗୁଡ଼ିକ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି ପ୍ରଥମେ ଦ୍ୱିତୀୟ ଡୋଜ୍ ନେବାର ସମୟ ୪ ସପ୍ତାହ ଥିଲା। ଏହାପରେ ଏହାକୁ ୬ରୁ ୮ ସପ୍ତାହ ଓ ଏବେ ଏହା ୧୨ରୁ ୧୬ ସପ୍ତାହ କରାଯାଇଛି। କ’ଣ ଟିକାର ଷ୍ଟକ ନଥିବାରୁ ଏଭଳି ପରିବର୍ତ୍ତନ କରାଯାଉଛି ନା ପ୍ରଫେସନାଲ ସାଇଣ୍ଟିଫିକ କାରଣ ପାଇଁ ଏମିତି ହେଉଛି ? ଆମେ ମୋଦି ସରକାରଙ୍କ ପାଖରୁ ଏ ବିଷୟରେ କିଛି ସ୍ୱଚ୍ଛତା ଆଶା କରିପାରିବୁ କି ?