ଭୁବନେଶ୍ୱର: ଓଡ଼ିଶା କଳା ଭାସ୍କର୍ଯ୍ୟ ଜଗତର ଭୀଷ୍ମ ପିତାମହ, ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଏମସ୍ ରେ ଚିକିତ୍ସିତ ହେଉଥିବା ଶ୍ରୀ ମହାପାତ୍ର ଆଜି ଦିନ ୩.୪୯ ମିନିଟ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଏହି ପ୍ରତିଭାବାନ ବ୍ୟକ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ରଘୁନାଥ ମହାପାତ୍ର କରୋନାରେ ଆକ୍ରାନ୍ତ ହୋଇ ଗତ ସପ୍ତାହରେ ଭୁବନେଶ୍ୱର ଏମସ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ଅବସ୍ଥା ଗୁରୁତର ଥିଲା । ଡାକ୍ତରମାନଙ୍କ ବହୁ ଉଦ୍ୟମ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନ ଥିଲା ।
ଜଣେ ଅସାଧାରଣ ବ୍ୟକ୍ତି ଥିଲେ ରଘୁନାଥ ମହାପାତ୍ର । ଓଡ଼ିଶାର ଭାସ୍କର୍ଯ୍ୟ କଳା ଶିଳ୍ପକୁ ଦେଶ ବିଦେଶରେ ପହଞ୍ଚାଇବାରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା । ମୋଟାମୋଟି ଭାବେ ଓଡ଼ିଶାର କଳାକୃତିକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ସେ ଥିଲେ ଅଗ୍ରଣୀ । ଦ୍ୱିତୀୟ କୋଣାର୍କ ସ୍ଥାପନ ପାଇଁ ତାଙ୍କର ଥିଲା ବିରାଟ ସ୍ୱପ୍ନ । ଯାହା ଏବେ ଅଧୁରା ରହିଗଲା ।
୧୯୪୩ ମାର୍ଚ୍ଚ ୨୪ ରେ ଶ୍ରୀ ମହାପାତ୍ର ଜନ୍ମଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ସ୍ଥପତି ଭାବେ ସେ ଖୁବ୍ କମ୍ ବୟସରୁ ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଅସାଧାରଣ କଳାକୃତି ପାଇଁ ଭାରତ ସରକାର ୧୯୭୫ ମସିହାରେ ତାଙ୍କୁ ପଦ୍ମଶ୍ରୀ, ୨୦୦୧ ରେ ପଦ୍ମଭୂଷଣ ଏବଂ ୨୦୧୩ ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ । ୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ମନୋନୀତ କରାଯାଇଥିଲା ।
ଭାରତର ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟ ଭାବେ ସେ ରାଜ୍ୟସଭାକୁ ଯାଇଥିଲେ ।
ରଘୁନାଥ ମହାପାତ୍ରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ଦଳର ନେତୃବୃନ୍ଦ ଗଭୀର ଶୋକପ୍ରକାଶ କରିଛନ୍ତି ।