ପଶୁ ଆଉ ମଣିଷ ଭିତରେ ଅତୁଟ ବନ୍ଧନର ଏ କାହାଣୀ। ୧୯୮୧ ମାର୍ଚ୍ଚ ୨୮ ରେ ଖଇରୀ ର ମୃତ୍ୟୁ ପରେ ଖଇରୀକୁ ଝୁରିଝୁରି ପାଗଳି ହୋଇଯାଇଥିଲେ ନଳିନୀଦେବୀ। ସ୍ବାମୀ ଏବଂ ପାଳିତା ବାଘୁଣୀ କନ୍ୟା ଖଇରୀକୁ ହରାଇ ନିସଂଗ ଜୀବନ କାଟୁଥିବା ନଳିନୀଦେବୀ ଶେଷବେଳକୁ ପାଗିଲି ହୋଇ ଅସ୍ପଷ୍ଟ ସ୍ବରରେ ଡାକି ହେଉଥିଲେ ଖଇରୀ… ଏ ଖଇରୀ … ଗତ କିଛି ମାସ ତଳେ ପାଗିଳି ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନା ରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ନେହ ମମତା ପାଖରେ ବଶତା ସ୍ବୀକାର କରିଥିଲା ଖଇରୀ। ନିଃସନ୍ତାନ ଦମ୍ପତ୍ତି ଥିବା ସରୋଜ ରାଜ ଏବଂ ନିହାର ନଳିନୀ ଙ୍କ ନାମକୁ ଅମର କରି ରଖିଗଲା ଖଇରୀ। ମାଆ ମମତାର ଋଣ ଶୁଝି ଦେଇଛି ଖଇରୀ। ବାପା ଙ୍କ ନାଁ ବି ରଖିଗଲା ମୟୂରଭଞ୍ଜ ଇତିହାସର ପୃଷ୍ଠାରେ।
ଖଇରୀ ମୋ ଠାରୁ ବଡ ଥିଲା ମାତ୍ର 5 ବର୍ଷର । ମୟୂରଭଞ୍ଜ କୁ ବୋହୂ ହୋଇ ଆସିବା ପରେ ଏଠିକାର କଳା ସାହିତ୍ୟ ସଂସ୍କୃତି କୁ ଆପଣେଇଛି । ସମୃଦ୍ଧ ମୟୂରଭଞ୍ଜ ର ଅନେକ କୀର୍ତ୍ତିରାଜି, ରୋମାଞ୍ଚ ଭରା କାହାଣୀ ଶୁଣିବାରେ କେତେ ଯେ ଦିନ ରାତି କଟିଛି ତାର ହିସାବ ନାହିଁ। କେତେବେଳେ ତତ୍କାଳୀନ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଡଃ ପ୍ରବୋଧ କୁମାର ମିଶ୍ର ଙ୍କ ଠାରୁ କେତେବେଳେ ଅବସର ପ୍ରାପ୍ତ ଅଧ୍ୟକ୍ଷ ନାଟ୍ୟକାର ପଞ୍ଚାନନ ପାତ୍ର ଙ୍କ ଠାରୁ । ପୂଜ୍ୟପୂଜା ର ସଂପାଦକ ବିଶିଷ୍ଟ ସଂଗଠକ ବିଜୟ କୁମାର ବାରିକ ହୁଅନ୍ତୁ କି ନିପାହିଲା ରାତିରୁ ଘର ଦୁଆର ମୁହଁରେ କଲିଙ୍ଗ ବେଲ ମାରି ବୋହୂମା ଡାକ ଛାଡୁଥିବା ଲଳିତ ସିଂ ବାବୁ ସମସ୍ତଙ୍କ ପାଖରୁ ଇତିହାସ ର କଥା ଶୁଣି ବାକୁ ମିଳୁଥିଲା କାହାଣୀ ପରି। ସେ ରଜା ରାଜୁଡ଼ା ଶାସନ ରୁ ଆରମ୍ଭ କରି ଖଇରୀ ବାଘୁଣୀ ପର୍ଯ୍ୟନ୍ତ। ମୟୂରଭଞ୍ଜ ଚାପ୍ଟର ର ପ୍ରଥମ କନଭେନର ଥିଲେ ସଞ୍ଜୟ କୁମାର ଚୌଧୁରୀ । ସେତେବେଳ ର ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ କୁଳପତି ଡଃ ପ୍ରବୋଧ କୁମାର ମିଶ୍ର ଥାଆନ୍ତି l
ମୟୂରଭଞ୍ଜ ଚାପ୍ଟରର ଉପଦେଷ୍ଟା। କେନ୍ଦୁଝର ଓ ମୟୂରଭଞ୍ଜ ର ରାଜନୈତିକ, ସାମାଜିକ ସମ୍ପର୍କ ରେ ବିଶଦ ଆଲୋଚନା କରୁଥିଲେ। ୧୯୭୪ ମସିହା ଅକ୍ଟୋବର ୩ ତାରିଖ ର କଥା । ଶିମିଳିପାଳ ଜାତୀୟ ଉଦ୍ୟାନ ର ଜେନାବିଲ ଅଞ୍ଚଳ ରେ ବାସ କରୁ ଥିବା ଖଡ଼ିଆ ସମ୍ପ୍ରଦାୟର କିଛି ଲୋକ ଜୀବନ ଜୀବିକା ଉଦ୍ଦେଶ୍ୟ ରେ ମହୁ ସଂଗ୍ରହ କରିବା ପାଇଁ ଜଙ୍ଗଲ କୁ ଯାଇ ଥାନ୍ତି । ଜଙ୍ଗଲ ଭିତରେ ବୁଲୁ ବୁଲୁ ଖଇରୀ ନଦୀ କୁଳ ରୁ ଏକ ତିନି ମାସ ର ବାଘ ଛୁଆ କୁ ପାଇଲେ । ବାଘ ଛୁଆ କୁ ଧରି ସେମାନେ ଗାଁ କୁ ପଳେଇ ଆସିଲେ । ଗାଁ ରେ ଛେଳି କ୍ଷୀର ପିଆଇ ରାତି କାଟି ଦେବା ପରେ ସକାଳୁ ସକାଳୁ ବାଘ ଛୁଆ କୁ ଧରି ଯଶୀପୁର ଅଭିମୁଖେ ବାହାରିଲେ । ଦୀର୍ଘ ଦେଢ଼ ଦିନ ଧରି ଚାଲି ଚାଲି ଜଙ୍ଗଲ ରାସ୍ତା ଅତିକ୍ରମ କଲା ପରେ ଯଶିପୁର ପହଞ୍ଚି ବାଘ ପିଲା ଟି କୁ ବନ ବିଭାଗ କୁ ହସ୍ତାନ୍ତର କଲେ । ବାଘ କୁ ନେଇ ଆସି ଥିବା ଖଡ଼ିଆ ସମ୍ପ୍ରଦାୟ ର ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟ ରେ ବିଦିଆ , ବିଲନ୍ଦା , ଗୌର ଓ କଳାକାର ଆଦି ଚାରିଜଣଙ୍କର ନାମ ଉଲ୍ଲେଖ ଯୋଗ୍ୟ ଅଟେ । ସେତେବେଳେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ର କ୍ଷେତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ସରୋଜ ରାଜ ଚୌଧୁରୀ ବାଘ ଟିକୁ ନିଜ ପାଖ ରେ ରଖିଲେ ଓ ତାର ଚିକିତ୍ସା ଆରମ୍ଭ କଲେ । ଅକ୍ଟୋବର ୫ ତାରିଖ ରେ ସରୋଜ ରାଜ ଙ୍କ ହାତ କୁ ଆସିବା ବେଳକୁ ବାଘ ଛୁଆ ଟିର ଓଜନ ଥିଲା ୬ କିଲୋ ୨୦୦ ଗ୍ରାମ । ଆଉ ନାକଟିପ ରୁ ଲାଙ୍ଗୁଡ଼ ପର୍ଯ୍ୟନ୍ତ ଦୈର୍ଘ୍ୟ ଥିଲା ୮୮ ସେ.ମି । ଲିଙ୍ଗ ନିରୂପଣ କରିଲା ବେଳକୁ ଜଣା ପଡିଲା ବାଘୁଣୀ ବୋଲି । ତେବେ ବାଘୁଣୀ ଛୁଆ ଟି ଦୁର୍ବଳ ଓ ତାକୁ କୃମି ହୋଇ ଥିବାରୁ ସରୋଜ ରାଜ ତାକୁ ଜଙ୍ଗଲରେ ନ ଛାଡି ନିଜ ପାଖ ରେ ରଖି ଚିକିତ୍ସା କରିବାକୁ ନିଷ୍ପତ୍ତି ନେଲେ ଓ ଏହାକୁ ତାଙ୍କର ଧର୍ମପତ୍ନୀ ନିହାର ନଳିନୀ ଦେବୀ ମଧ୍ୟ ସ୍ୱାଗତ କଲେ ।
ସରୋଜ ରାଜ ଓ ନଳିନୀ ଦେବୀ ଙ୍କ ସ୍ନେହ ଓ ଭଲ ପାଇବା ରେ ଅନୁପ୍ରାଣିତ ହୋଇ ବାଘୁଣୀ ଟି ଯଶିପୁର ର ଫରେଷ୍ଟ ଡାକ ବଙ୍ଗଳା ରେ ଏକ ଶୃଙ୍ଖଳିତ ଜୀବନ ଯାପନ ଆରମ୍ଭ କଲା । ଶିମିଳିପାଳ ର ଖଇରୀ ନଦୀ କୂଳ ରୁ ସେ ଉଦ୍ଧାର ହୋଇ ଥିବାର ତାର ନାମ ଖଇରୀ ଦିଆ ଗଲା । ମାନବ ସ୍ନେହରେ ପରିବର୍ଦ୍ଧିତ ହୋଇ ଖଇରୀ ନିହାରନଳିନୀ ଦେବୀ ଙ୍କୁ ତା’ର ମାଆ ଓ ବନ୍ୟଜନ୍ତୁ ଗବେଷକ ସରୋଜ ରାଜ ଚୌଧୁରୀଙ୍କୁ ତାର ବାପା ବୋଲି ଭାବି ନେଇ ଥିଲା ।ମାଆ ଶାଢ଼ୀ ର କାନି ରେ ମୁଣ୍ଡ ରଖି ଶୋଉ ଥିଲା । ମାଆ ସହ ସମାନ ଶେଯ ରେ ମାଆ ଛାତି ରେ ଆଗ ଗୋଡ଼ର ପଞ୍ଝା ପକେଇ ନିଦ ପରେ ନିଦ ଶୋଇ ଯାଉ ଥିଲା । ଭୋକ ଲାଗିଲେ କୁଁ କୁଁ , ୟାଉଁ କ୍ୟାଉଁ ଶବ୍ଦ କରି ଖାଇବା କୁ ମାଗେ । ଖାଏ ନିଜର ମାଆ ଓ ବାପା ଙ୍କ ହାତ ରୁ । ମାଂସ ଓ ଅଣ୍ଡା ର କେଶର ଥିଲା ଅତି ପ୍ରିୟ ଖାଦ୍ୟ । ସକାଳୁ ସକାଳୁ ଦୁଇଟି ଚେମେଣି ଚଢେଇ , ଦୁଇଟି କପ୍ତା, ଗୋଟିଏ କି ଦୁଇଟି ପାରା ଥିଲା ତାର ଜଳ ଖିଆ । ଦି ପହରେ ଖାସି , ବାର୍ହା , ଗୟଳ , ହରିଣ, ଚଉସିଂଗା ,ଠେକୁଆ ଆଦି ର ମାଂସ ଦିଆ ଯାଉ ଥିଲା । ସେ କ୍ଷୀର କିମ୍ବା ଅମୂଲ କ୍ଷୀର ପିଉ ଥିଲା । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅମୂଲ ସହ ପ୍ରୋଟିନ ପାଉଡର ପିଉ ଥିଲା ।ଏହି ପରି ୩ ବର୍ଷ ବିତିଯିବା ପରେ ଯୌବନ ରେ ପଦାର୍ପଣ କଲା ଖଇରୀ । ୩ ବର୍ଷ ପରେ ତାର ଶରୀର ର ଦୈର୍ଘ୍ୟ ଥିଲା ୨୭୨ ସେ.ମି , ଉଚ୍ଚତା ୯୧ ସେ.ମି ,ଓଜନ ହୋଇ ଥିଲା ୨୦୦ କିଲୋ ଗ୍ରାମ ମାନେ ଦୁଇ କୁଇଣ୍ଟାଲ । ଖଇରୀ ର ଏହି ଶରୀର ଗଠନ ରୁ ହିଁ ସରୋଜ ରାଜ ଚୌଧୁରୀ ଓ ନଳିନୀ ଦେବୀ ଙ୍କ ଯତ୍ନର ମାତ୍ରା ଅନୁମାନ କରାଯାଇ ପାରେ । ଖଇରୀ ଅତ୍ୟନ୍ତ ପରିଷ୍କାର ଓ ସୁନ୍ଦରୀ ହୋଇ ରହିବାକୁ ବେସ୍ ପସନ୍ଦ କରୁ ଥିଲା । ଛୋଟ ବେଳେ ସେ ଡବା ରେ ସାବୁନ ଲଗେଇ ଗାଧଉ ଥିଲା , ବଡ଼ ହେଲାରୁ ସେ ନିଜେ ଯାଇ ବାସଗୃହ ପାଖ ର ଚମ୍ପାନାଳ ଝରଣା ର ସ୍ୱଚ୍ଛ ଜଳରେ ଡିଆଁ ଡେଇଁ କରି ପହଁରି ପହଁରି ଗାଧୋଉ ଥିଲା । ଦେହ ରେ ପାଣି ନିଗିଡିବା ଯାଏ ଖରା ରେ ଛିଡା ହୋଇ ରହୁ ଥିଲା । ଆସି କି ପୁଣି ମାଆ ପାଖ ରେ ତେଲ ଲଗାଉ ଥିଲା ଓ ବେଶୀ ଗାଧେଇକି ଥଣ୍ଡା ଧରି ଗଲେ ପୁଣି ଔଷଧ ଓ ସିରାପ ମଧ୍ୟ ଖାଉ ଥିଲା । ଝାଡ଼ା ପରିଶ୍ରା ଆଦି ନିତ୍ୟ କର୍ମ ସବୁ ଏଣେ ତେଣେ ନ କରି ସେ ପାଇଖାନା ବ୍ୟବହାର କରୁ ଥିଲା ।
ଖଇରୀ ପାଇଁ ୨୪ ଘଣ୍ଟିଆ ପ୍ରହରୀ ର ବ୍ୟବସ୍ଥା କରାଯାଇ ଥିଲା । ହରିଶ ଏକ ଡାଇରୀ ଧରି ଖଇରୀ ର ସମସ୍ତ ଗତି ବିଧି କୁ ଟିପି ରଖୁ ଥିଲେ । ଖଇରୀ ମୁକ୍ତ ଭାବ ରେ ଜଙ୍ଗଲ କୁ ବୁଲିବା ପାଇଁ ଯାଉ ଥିଲା , ଘର କୁ ଫେରି ବାକୁ ଡେରି ହେଲେ ଜିପ ରେ ପୁଣି ତାର ପାଳକ ପିତା ସରୋଜ ରାଜ ଚୌଧୁରୀ ଖୋଜିବାକୁ ଯାଉ ଥିଲେ । ଅନ୍ୟ ବାଘ ଠୁ ସେ ସମ୍ପୂର୍ଣ୍ଣ ଭିନ୍ନ ଥିଲା , ତାର ଆଚରଣ ଓ ସଂସ୍କାର ସ୍ୱତନ୍ତ୍ର ଥିଲା । ତାକୁ ଚିହ୍ନଟ କରିବା ପାଇଁ ତା ବେକ ରେ ଏକ ବେଲ୍ଟ ବାନ୍ଧି ଦିଆ ଯାଇ ଥିଲା । ସେ ଡାକ ବଙ୍ଗଳା ରେ ଏକ ପୋଷା କୁକୁର ବାଘା ସହ ସାଙ୍ଗ ହେଉ ଥିଲା । ବାଘା ଓ ଖଇରୀ ଦୁହେଁ ମିଶି ଶିମିଳିପାଳ କୁ ପୁରା ଘାଣ୍ଟି ପକାଉ ଥିଲେ । ବାଘା ର ମାଆ ବ୍ଳାକି ସହ ବି ଖଇରୀ ର ଭଲ ବନ୍ଧୁତା ଥିଲା ।ବାଘା ମରି ଯିବା ପରେ ଜମ୍ବୁ ନାମକ ଆଉ ଏକ କୁକୁର ସହ ସେ ଖେଳ କୁଦ କରୁ ଥିଲା ।
ସବୁ ଠୁ ବେଶୀ ସମୟ କାଟୁ ଥିଲା ତା’ର ମାଆ ନିହାରନଳିନୀ ଦେବୀଙ୍କ ସହ । ତାଙ୍କ ସହ ଖେଳୁ ଥିଲା , ତାଙ୍କ ପାଖ ରେ ଗେଲ ହେଉ ଥିଲା । ମାନ ଅଭିମାନ କରୁ ଥିଲା । ଜାଣି ଶୁଣି ଲୁଚି ମାଆ କୁ ଖୋଜାଉ ଥିଲା । ମାଆ ର ଖଇରୀ ଡାକ ରେ ଉହୁଁ ଉହୁଁ କରି ଜବାବ ଦେଇ ପାଖ କୁ ଆସି ଦେହ ରେ ଘଷି ହୋଇ ସ୍ନେହ ନିଵେଦନ କରୁ ଥିଲା । ଭୁଲ ଥିଲେ ଗୋଡ଼ ରେ ନେସି ହୋଇ କ୍ଷମା ମଧ୍ୟ ମାଗୁ ଥିଲା । ଖଇରୀ ର ପାଳକ ପିତା ତଥା ବନ୍ୟଜନ୍ତୁ ଗବେଷକ ସରୋଜ ରାଜ ଚୌଧୁରୀ ତାକୁ ନିଜ ଜିପ୍ ରେ ବସେଇ ଅନେକ ଜାଗା ବୁଲେଇ ନଉ ଥିଲେ । ଜିପ ରେ ବସି ବୁଲା ବୁଲି କରିବା କୁ ଖଇରୀ ଭାରି ଭଲ ପାଉ ଥିଲା । ଜିପ୍ ର ବନେଟ ଥିଲା ତାର ସବୁ ଠାରୁ ପ୍ରିୟ ସ୍ଥାନ । ଜିପ୍ ରେ ବସି ସେ ବାରିପଦା ଟାଟା କଟକ ଟାଙ୍ଗୀ ଭୁବନେଶ୍ୱର ଆଦି ସ୍ଥାନ ବୁଲି ଆସି ଥିଲା । ବାଟ ରେ ଯେଉଁଠି ଜିପ୍ ଠିଆ ହେଉ ଥିଲା , ଖଇରୀ କୁ ଦେଖିବା ପାଇଁ ଲୋକେ ସାଙ୍ଗେ ସାଙ୍ଗେ ଭିଡ଼ ଜମାଇ ଦେଉ ଥିଲେ । ଏହା ଦେଖି ଖଇରୀ ମଧ୍ୟ ନିଜେ ସୁପରଷ୍ଟାର ଭଳି ସାଙ୍ଗେ ସାଙ୍ଗେ ଜିପ୍ ର ବନେଟ ରେ ଯାଇ ବସି ପଡ଼ି ସମସ୍ତଙ୍କ ଆଗରେ ପ୍ରଦର୍ଶିତ ହୋଇ ଆତ୍ମସନ୍ତୋଷ ଲାଭ କରୁ ଥିଲା । ଖଇରୀ ର ଭୁବନେଶ୍ୱର ରହଣି କାଳ ରେ ସେ ଏକ ଛାତ ରୁ ଖସି ପଡି ତାର ଦାନ୍ତ ମୂଳ ରେ ଆଘାତ ଲାଗି ଥିଲା ଓ ଔଷଧ ଖାଇ ସୁସ୍ଥ ମଧ୍ୟ ହୋଇ ଥିଲା । ନିଜର ବାସଗୃହ କୁ ଫେରିବା ପରେ ଏହି ଦୁର୍ଘଟଣା କୁ ତାର ବାଘ ଭାଷା ରେ ଆଉଁ ଆଉଁ କରି ତାର ମାଆ ନିହାରନଳିନୀ ଦେବୀ ଙ୍କୁ ଦୁଇ ତିନି ଘଣ୍ଟା କାଳ ବୁଝେଇ ଥିଲା ଓ କାନ୍ଦି କାନ୍ଦି ଗେଲ ହୋଇ ଥିଲା । ଖଇରୀ ର ଚରା ଭୂଇଁ ଥିଲା ଶିମିଳିପାଳ ଅଭୟାରଣ୍ୟ । ବିଶେଷତଃ ଯଶିପୁର ଡାକବଙ୍ଗଳା ପାଖା ପାଖି ଚହଲା ଜଙ୍ଗଲ , ବରହା କାମୁଡା ଜଙ୍ଗଲ , ନଅଣା ଜଙ୍ଗଲ ଆଦି ସେ ବୁଲି ଯାଉ ଥିଲା । ତାର ପିତା ସରୋଜ ରାଜ ଚୌଧୁରୀ ଯୁଆଡେ କ୍ୟାମ୍ପ କରନ୍ତି ଖଇରୀ ମଧ୍ୟ ସିଆଡେ ସିଆଡେ ଯାଉ ଥିଲା । କ୍ୟାମ୍ପ ରେ ତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇ ଥାଏ । ତା ର ଶୋଇବା ପାଇଁ ଭାଡ଼ି ସଜଡା ଯିବା ସହ ନରମ ଗଦି ଓ ତକିଆ ବିଛେଇ ଦିଆ ଯାଇ ଥାଏ । ଖଇରୀ ବଡି ଭୋର ରୁ ଉଠେ କିନ୍ତୁ ବିଛଣାରେ ଚେଇଁ ରହି ଅଳସେଇ ରାଜ କୁମାରୀ ପରି ବହୁତ ସମୟ ଗଡ଼ପଡ଼ ହେଉ ଥାଏ । ରାତି ରେ ଜୋତା , ବନ୍ଧୁକ ବାକ୍ସ ଆଦି କାମୁଡୁ ଥାଏ । ଶୋଇ ଶୋଇ ନିଜେ ନିଜେ ଜିନିଷ ପତ୍ର ଧରି ଖେଳୁ ଥାଏ । ଏହି ପରି ଭାବେ ଖଇରୀ ମଣିଷ ସମାଜରେ ଅତ୍ୟଧିକ ଆଦର ଯତ୍ନରେ ଘର ର ଝିଅ ପରି ରହି ଥିଲା । ବାଘା , ବ୍ଳାକି , ଜମ୍ବୁ ଙ୍କ ପରି କୁକୁର ମାନେ ଥିଲେ ତାର ଖେଳ ସାଥି । ତାର ସୁଲଳିତ ସୁଶୀଳ ଗୁଣାବଳୀ ର କଥା ଏବେ ଦେଶ ଛାଡି ଦେଶ ବାହାରେ ମଧ୍ୟ ଚର୍ଚ୍ଚା ହେବାରେ ଲାଗି ଥାଏ । ଦେଶ ବିଦେଶ ରୁ ଅନେକ ଗବେଷକଙ୍କ ସୁଅ ଛୁଟିଥାଏ ଯଶିପୁର ର ଖଇରୀ ଘର କୁ । ଖଇରୀ କୁ ନେଇ ତାର ପାଳିତ ପିତା ମାତା ଙ୍କର ଅନେକ ସପ୍ନ ଥିଲା । ତା’ର ପାଳକ ପିତା ସରୋଜ ରାଜ ଚୌଧୁରୀ ଭାବି ଥିଲେ ଯେ ଖଇରୀ ର ପିଲା କୁ ମଧ୍ୟ ସେ ପାଳନ କରିବେ , ବିଶ୍ୱ ଦରବାର ରେ ପଶୁ ଓ ମନୁଷ୍ୟର ସ୍ନେହ ସମ୍ପର୍କ ପ୍ରତିପାଦିତ କରିବେ । ତାଙ୍କର ଗବେଷଣା ବିଶ୍ୱ ବନ୍ୟପ୍ରାଣୀ ଇତିହାସ ରେ ଏକ ଦୃଷ୍ଟାନ୍ତ ହୋଇ ରହିଯିବ।
କିନ୍ତୁ ନିୟତି ର ଖେଳ ଥିଲା ଅଲଗା ।ସେ ଏକ ବୁଲା କୁକୁର କୁ କାମୁଡି ଦେଇ ଥିବାରୁ ଜଳାନ୍ତକ ରୋଗ ରେ ପୀଡ଼ିତ ହୋଇ ୧୯୮୧ ମସିହା ମାର୍ଚ୍ଚ ମାସ ଆଜିର ଦିନ ୨୮ ତାରିଖ ଦିନ ୩ ଟା ୨୯ ମିନିଟ ରେ ସେ ମୃତ୍ୟୁ ବରଣ କଲା ।ସମଗ୍ର ଚୌଧୁରୀ ପରିବାର , ଯଶିପୁର ଡାକ ବଙ୍ଗଳା ର ସମସ୍ତ କର୍ମଚାରୀ ତଥା ଅଗଣିତ ପଶୁପ୍ରେମୀ ଙ୍କୁ ଶୋକ ସାଗର ରେ ଭସେଇ ଦେଇ ଖଇରୀ ସବୁ ଦିନ ପାଇଁ ଆର ପାରି କୁ ଚାଲି ଗଲା ।
ଖଇରୀ ଆର ପାରିକୁ ଚାଲି ଗଲେ ମଧ୍ୟ ପ୍ରାୟ ୬ ବର୍ଷ ର ଜୀବନ କାଳ ମଧ୍ୟ ରେ ସେ ନିଜର ସଂସ୍କାର ଯୁକ୍ତ ବ୍ୟବହାର ପାଇଁ ନିଜ ନାମ କୁ ଇତିହାସ ର ଏକ ବିରଳ ପୃଷ୍ଠା ରେ ଲେଖି ଦେଇ ଗଲା । ନିଜର ପାଳିତ ବାପା ମାଆ ଙ୍କ ନାମ କୁ ମଧ୍ୟ ସଦା ସର୍ବଦା ଚିର ସ୍ମରଣୀୟ କରି ଦେଇ ଗଲା । ଯଶିପୁର ର ଡାକ ବଙ୍ଗଳା ଆଜି ତାହାରି ନାମ ରେ ନାମିତ ହୋଇ ଖଇରୀ_ନିବାସ ନାମ ରେ ପରିଚିତ ହୋଇଛି ।ଶ୍ରୀ ଭାସ୍କର ସାହୁ ଖଇରୀ ଉପରେ ଏକ ଫିଲ୍ମ ମଧ୍ୟ କରି ଥିଲେ । ଖଇରୀ ଉପରେ ଇଂରାଜୀରେ ଲେଖା ବାହାରି ଥିଲା The Heritage , 1987 June ସଂଖ୍ୟା ରେ । ଓଡ଼ିଆ ପତ୍ରିକା “ସମାବେଶ” ରେ ବାଘ ରାଣୀ ଖଇରୀ ବିଷୟରେ ଧାରାବାହିକ ଲେଖା ପ୍ରକାଶିତ ହୋଇ ଥିଲା । “ବାଘ ରାଣୀ ଖଇରୀ” ନାମକ ଏକ ପୁସ୍ତକ ମଧ୍ୟ ଶ୍ରୀ ଅଖିଳ ମୋହନ ପଟ୍ଟନାୟକ ଲେଖି ଥିଲେ ଯାହା କି ଖଇରୀ ର ଜୀବନୀ କୁ ନେଇ ଆଧାରିତ ଥିଲା । ଖଇରୀ ଆଜି ନାହିଁ ସତ ହେଲେ ସିଏ ପ୍ରତ୍ୟେକ ସଚେତନ ମୟୂରଭଞ୍ଜିଆଙ୍କ ଓଠର ଚେନାଏ ହସ ଓ ଧାରେ ଲୁହ ହୋଇ ରହିଥିବ ଏଥିରେ ସନ୍ଦେହ ନାହିଁ । ଆଜି ତାର ମୃତ୍ୟୁ ଦିବସ ରେ ସମଗ୍ର ମୟୂରଭଞ୍ଜିଆଙ୍କ ତରଫରୁ ଖଇରୀକୁ ଗଭୀର ଶ୍ରଦ୍ଧାଞ୍ଜଳି।