୧୯୩୪ ମସିହା ଅଗଷ୍ଟ ମାସ ୩୧ ତାରିଖ ବୋଲପୁର ଷ୍ଟେସନରେ ଛିଡ଼ା ହୋଇ ରହିଛନ୍ତି କବିଗୁରୁ ରବୀନ୍ଦ୍ରନାଥ ଠାକୁର । ଏତେ ସକାଳୁ ରବୀନ୍ଦ୍ରନାଥଙ୍କୁ ଷ୍ଟେସନରେ ଛିଡ଼ା ହୋଇଥିବା ଦେଖି ଅନ୍ୟ ଯାତ୍ରୀମାନେ ଅବାକ୍ ହୋଇ ପଡିଥିଲେ – “ଗୁରୁଦେବ କ’ଣ ଶାନ୍ତି ନିକେତନ ଛାଡି ଚାଲି ଯାଉଛନ୍ତି ? କିନ୍ତୁ କୋଲକାତା ଯିବାପାଇଁ ତ ବର୍ତ୍ତମାନ କୌଣସି ଟ୍ରେନ୍ ନାହିଁ । ତାହାହେଲେ …? “
କିଛି ସମୟ ପରେ କୌତୁହଳୀ ଜନତା ଜାଣି ପାରିଲେ ଯେ ଗୁରୁଦେବ କୌଣସି ବିଶେଷ ଅତିଥିଙ୍କୁ ସ୍ବାଗତ କରିବା ପାଇଁ ଆସିଛନ୍ତି ।
କିଏ ସେହି ବିଶେଷ ଅତିଥି ! ଯାହାଙ୍କୁ ସ୍ବାଗତ କରିବା ପାଇଁ ସ୍ବୟଂ ଗୁରୁଦେବ ଏତେ ସକାଳୁ ଷ୍ଟେସନରେ ଉପସ୍ଥିତ ହୋଇଛନ୍ତି ?
ବର୍ଦ୍ଧମାନ ପଟୁ ଗୋଟିଏ ଟ୍ରେନ୍ ଆସି ବୋଲପୁର ଷ୍ଟେସନ୍ରେ ଅଟକିଲା । ଦେଖାଗଲା ରେଳଗାଡିର ଗୋଟିଏ ତୃତୀୟ ଶ୍ରେଣୀ ବଗିରୁ ଓହ୍ଲାଇ ଆସୁଛନ୍ତି ଜଣେ ଦୀର୍ଘଦେହୀ ବଳିଷ୍ଠ ପଠାନ ଯୁବକ । ତାଙ୍କୁ ଦେଖିବା ମାତ୍ରେ ରବୀନ୍ଦ୍ରନାଥ ଆଗେଇ ଗଲେ, ୪୪ ବର୍ଷ ବୟସ୍କ ଯୁବକ ନତ ହୋଇ ରବୀନ୍ଦ୍ରନାଥ ଙ୍କୁ ପ୍ରଣାମ କରିବାକୁ ଉଦ୍ୟତ ହେବା ମାତ୍ରେ ୭୩ ବର୍ଷ ବୟସ୍କ କବିଗୁରୁ ତାଙ୍କୁ ଛାତି ଉପରକୁ ଆଉଜେଇ ଆଣି ଜାବୁଡ଼ି ଧରିଲେ । ପଠାନ ଯୁବକ ଜଣକ କବିଙ୍କର ପୁତ୍ର ରଥୀନ୍ଦ୍ରନାଥଙ୍କ ଠାରୁ ଦୁଇବର୍ଷ ସାନ । ସେହି ଯୁବକ ଜଣକ ହେଉଛନ୍ତି ଖାନ ଅବଦୁଲ ଗଫର ଖାନ। ସର୍ବତ୍ୟାଗୀ ଫକିର, ଖୁବ ସାଧାରଣ ଜଣେ ମଣିଷ ଭାବରେ ରହି ଯାଇଛନ୍ତି ଇତିହାସର ପୃଷ୍ଠାରେ ।
ଭାରତର ସ୍ବାଧୀନତା ଆନ୍ଦୋଳନ ସମୟରେ ଭାରତବାସୀ ତାଙ୍କୁ ଜାଣିଥିଲେ ” ସୀମାନ୍ତ ଗାନ୍ଧୀ” ଭାବରେ । ସେ ମହାତ୍ମା ଗାନ୍ଧୀଙ୍କ ପାଖରୁ ଶାନ୍ତି ନିକେତନ ର କଥା ଶୁଣିଥିଲେ । ଶୁଣିଥିଲେ ଯେ ରବୀନ୍ଦ୍ରନାଥ ବୋଲପୁର ନିକଟରେ ଗୋଟିଏ ଗାଁ ରେ ଗରିବ ଲୋକଙ୍କ ଉନ୍ନତି ପାଇଁ ଗୋଟିଏ ସଂଗଠନ ଏବଂ ଗୋଟିଏ ଶିକ୍ଷା ପ୍ରତିଷ୍ଠାନ ଗଢ଼ି ତୋଳିଛନ୍ତି । ତେଣୁ ପେଶଓ୍ବା ରୁ ବଡ଼ ପୁଅ ଅବଦୁଲ୍ ଗନି କୁ ଶାନ୍ତି ନିକେତନ ରେ ପାଠ ପଢିବା ପାଇଁ ପଠାଇଥିଲେ । ପୁତ୍ର ମାଧ୍ୟମରେ ରବୀନ୍ଦ୍ରନାଥ ଙ୍କ ସହିତ ତାଙ୍କର ଯୋଗସୂତ୍ର । ୧୯୩୪ ମସିହାରେ ହଜାରିବାଗ ଜେଲ୍ ରୁ ମୁକ୍ତିଲାଭ କରିବା ମାତ୍ରେ ହିଁ ସେ ଶାନ୍ତି ନିକେତନ କୁ ଆସି କବି ଗୁରୁଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
ସେତେବେଳେ ପାଟନାରେ ରହୁଥିବା ଜଣେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ( ପରବର୍ତ୍ତୀ କାଳରେ ସ୍ବାଧୀନ ଭାରତର ରାଷ୍ଟ୍ରପତି ) ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଙ୍କ ପାଖକୁ ଯାଇ ରାଜେନ୍ଦ୍ର ପ୍ରସାଦ ଙ୍କ ମାର୍ଫତରେ ଶାନ୍ତି ନିକେତନକୁ ଖବର ପଠାଇଥିଲେ ଯେ — ଖାନ ଅବଦୁଲ ଗଫର ଖାନ୍ କବିଗୁରୁଙ୍କୁ ଭେଟିବା ପାଇଁ ଅତ୍ୟଧିକ ଆଗ୍ରହୀ । ଶାନ୍ତି ନିକେତନ ସମ୍ପର୍କରେ ମଧ୍ୟ ତାଙ୍କର ଆଗ୍ରହ ପ୍ରଚୁର ।
ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଙ୍କ ପାଖରୁ ଖବର ପାଇ କବିଗୁରୁ ସ୍ବୟଂ ଖାନ୍ ଅବଦୁଲ ଗଫର୍ ଖାନ୍ଙ୍କୁ ଆମନ୍ତ୍ରଣ କରିଥିଲେ । ଖାନ୍ ଅବଦୁଲ ଗଫର ଖାନ୍ ବୋଲପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଷ୍ଟେସନ୍ରୁ ସ୍ବୟଂ ରବୀନ୍ଦ୍ରନାଥ ସ୍ଵାଗତ ଜଣାଇ ପ୍ରଥମେ ନେଇ ଯାଇଥିଲେ ବିଶ୍ଵଭାରତୀ ର ଲାଇବ୍ରେରୀ ପ୍ରାଙ୍ଗଣକୁ । ସେଠାରେ ସମବେତ ଆଶ୍ରମିକ ଛାତ୍ରଛାତ୍ରୀ ଏବଂ ଅନ୍ୟମାନଙ୍କ ସହିତ ଅତିଥିଙ୍କୁ ପରିଚିତ କରାଇବା ସହିତ କହିଥିଲେ – ” ଖାନ୍ ସାହେବଙ୍କ ଶାନ୍ତି ନିକେତନ ସଫର୍ ଆଶ୍ରମବାସୀଙ୍କ ଜୀବନରେ ଏକ ସ୍ମରଣୀୟ ଘଟଣା । ସେ ଯେତେବେଳେ କାରାସ୍ତାରାଲ ଯାଇଛନ୍ତି, ପୁତ୍ରକୁ ଶାନ୍ତି ନିକେତନ ପଠାଇଥିଲେ ଶିକ୍ଷା ଲାଭ କରିବା ପାଇଁ । ଏହାହିଁ ପ୍ରମାଣିତ କରେ ଯେ ବିଶ୍ଵଭାରତୀ ପ୍ରତି ତାଙ୍କର କେତେ ଆସ୍ଥା ଓ ମମତ୍ବବୋଧ ରହିଛି । ତାଙ୍କର ଅନୁଭୂତି ଆମମାନଙ୍କୁ ସ୍ପର୍ଶ କରିଛି ।
ଖାନ୍ ସାହେବ୍ ମାତ୍ର ଗୋଟିଏ ଦିନ ଶାନ୍ତି ନିକେତନ ରେ ରହିଥିଲେ । ସେହି ଗୋଟିଏ ଦିନ ଭିତରେ ସେ ଶାନ୍ତି ନିକେତନ ର ପ୍ରତିଟି ବିଭାଗ ବୁଲି ବୁଲି ଦେଖିଥିଲେ । ପରବର୍ତ୍ତୀ ଦିନ ଶାନ୍ତି ନିକେତନ ତ୍ୟାଗ କରିବା ପୂର୍ବରୁ ସକାଳେ ଉଦୟନ ପ୍ରାଙ୍ଗଣରେ କବିଗୁରୁ ତାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ପର୍ବର ଆୟୋଜନ କରିଥିଲେ । ସେଠାରେ କବିଗୁରୁ ବାଂଲା ଲିପିରେ ଲେଖା ତାଙ୍କର ଭାଷଣ ଉର୍ଦ୍ଦୁ ରେ ପାଠ କରିଥିଲେ । ” — ଥୋଡେସେ ଅରସେକେ ଲିୟେ ଆପ ହାମାରେ ୟହାଁ ତସରିଫ ଲାୟେ ହୈଁ……!”
ସେହି ଭାଷଣରେ କବି କହିଥିଲେ – ଅଳ୍ପ ସମୟ ପାଇଁ ଆପଣ ଆମ ପାଖକୁ ଆସିଛନ୍ତି । କିନ୍ତୁ ସେହି ସୌଭାଗ୍ୟକୁ ମୁଁ ଅଳ୍ପ ବୋଲି ମନେ କରୁନାହିଁ । ମୋ’ର ନିବେଦନ ଏହି କି , ମୋ’ର ଏହି କଥାକୁ ଆପଣ ଅତ୍ୟୁକ୍ତି ବୋଲି ମନେ କରିବେ ନାହିଁ ଯେ , ଆପଣଙ୍କର ଦର୍ଶନ ଆମମାନଙ୍କ ହୃଦୟରେ ନୂତନ ଶକ୍ତି ସଞ୍ଚାର କରିଛି । ପ୍ରେମର ଉପଦେଶ ମୁହଁରେ ପ୍ରକାଶ କଲେ ଫଳ ହୁଏ ନାହିଁ, ଯେଉଁମାନେ ପ୍ରେମିକ ସେମାନଙ୍କ ସଙ୍ଗଲାଭରେ ହିଁ ପ୍ରେମ ସ୍ପର୍ଶମାନ । ତାହାର ସ୍ପର୍ଶରେ ଆମ ଅନ୍ତରରେ ଯେତେ ଟିକେ ଭଲପାଇବା ଅଛି ତାହାର ମୂଲ୍ୟ ବଢିଯାଏ ।
ଖୁବ୍ ଅଳ୍ପ ସମୟ ପାଇଁ ଆପଣଙ୍କୁ ପାଇଛୁ କିନ୍ତୁ ଏହି ଘଟଣାକୁ କ୍ଷଣିକର ଭାବ ଦ୍ବାରା ପରିମାପ କରାଯାଇ ନ ପାରେ । ଯେଉଁ ମହାପୁରୁଷଙ୍କ ହୃଦୟ ସବୁ ମଣିଷଙ୍କ ପାଇଁ, ସବୁ ଦେଶ ହିଁ ଯାହାଙ୍କର ଦେଶ, ସେ ତ କାଳକୁ ଉପସ୍ଥିତ ଭଳି ଅଧିକାର କରନ୍ତି, ତାକୁ ଅତିକ୍ରମ କରନ୍ତି, ସେ ସକଳ କାଳର । ଏହିଠାରେ ଆପଣଙ୍କର କ୍ଷଣିକ ଉପସ୍ଥିତି ଆଶ୍ରମର ହୃଦୟରେ ସ୍ଥାୟୀ ହୋଇ ରହିଲା । “
ସମ୍ବର୍ଦ୍ଧନା ର ଉତ୍ତରରେ ଖାନ୍ ସାହେବ ସେଦିନ କହିଥିଲେ “–
ଗୁରୁଦେବ , ତାଙ୍କୁ ଯେଉଁ ଆନ୍ତରିକ ସମ୍ବର୍ଦ୍ଧନା ଜଣାଇଛନ୍ତି, ସେଥିରେ ସେ ଅଭିଭୂତ । ଏଠାକୁ ଆସିବା ପୂର୍ବରୁ ଯାହା ଶୁଣିଥିଲି, ନିଜ ଆଖିରେ ଦେଖି ମନେ ହୋଇଛି ତାହାଠାରୁ ମଧ୍ୟ ମହତ୍ କାର୍ଯ୍ୟ ଏଠାରେ ସମ୍ପନ୍ନ ହେଉଛି । କବି ଏଠାରେ ଯେଉଁ ଆଦର୍ଶର ଅନୁସରଣ କରୁଛନ୍ତି, ତାହାରି ଭିତ୍ତିରେ ଭାରତ ଉନ୍ନତିର ପଥ ଖୋଜି ପାଇବ । ଧର୍ମର ଅପବ୍ୟାଖ୍ୟା ଭିତରେ ସାମ୍ପ୍ରଦାୟିକ ମନୋଭାବର ବିଷ ବାଷ୍ପ ବିଛୁରିତ ହୁଏ, ଏଥିପାଇଁ ଭାରତର ଜନଗଣଙ୍କର ଆଶା ଆକାଂକ୍ଷାର ପୂର୍ଣ୍ଣତାରେ ବାଧା ଦେଖାଦେଉଛି ।”
ଖାନ ଅବଦୁଲ ଗଫର ଖାନ ଶାନ୍ତି ନିକେତନ ରୁ ଚାଲିଯିବା ପରେ ରବୀନ୍ଦ୍ରନାଥ ଗୋଟିଏ ଚିଠିରେ ତାଙ୍କ ସମ୍ପର୍କରେ ମହାତ୍ମା ଗାନ୍ଧୀଙ୍କୁ ଲେଖିଥିଲେ – ଜଣେ ଅକପଟ ସରଳ ମଣିଷ । ରବୀନ୍ଦ୍ରନାଥ ଙ୍କ ମୃତ୍ୟୁର ଖବର ପାଇବା ପରେ ଖାନ୍ ସାହେବ୍ ପେଶଓ୍ବାରୁ କବି ପୁତ୍ର ରଥୀନ୍ଦ୍ରନାଥଙ୍କୁ ଚିଠି ରେ ଲେଖିଥିଲେ —–,
Peshaar 12th Aug. 1941
Dear Mr. Tagore,
I am deeply grieved to hear of the sad demise of Gurudev. In him India has truly lost the greatest philosopher, poet and a nationalist. I heartily condole with you in your sad bereavement. May God bless his soul and give strength in your preasent trial.
Yours sincerely,
Abdul Ghaffar Khan
୩୫ ବର୍ଷ ପରେ ଅବଦୁଲ ଗଫର ପୁଣି ଥରେ ଶାନ୍ତି ନିକେତନ କୁ ଆସିଥିଲେ। ସେତେବେଳେ ତାଙ୍କର ବୟସ ୭୯ ବର୍ଷ । ବାର୍ଦ୍ଧକ୍ୟ ହେତୁ ଶରୀର ଦୁର୍ବଳ ହୋଇ ପଡିଛି । ପାକିସ୍ଥାନ ସୃଷ୍ଟି ହେବାର ୧୭ ବର୍ଷ ଭିତରେ ୧୫ ବର୍ଷ ତାଙ୍କର କଟିଛି କାରାଗାର ଭିତରେ । ସେ “ହିନ୍ଦୁ ଏବଂ ବିଶ୍ବାସଘାତକ” ଏହା ଥିଲା ତାଙ୍କ ବିରୁଦ୍ଧରେ ଅଭିଯୋଗ । ୧୯୬୪ ମସିହାରେ ସ୍ବେଚ୍ଛା ନିର୍ବାସନ ବାଛି ନେଇଥିଲେ ଆଫଗାନିସ୍ତାନ ର ଏକ କ୍ଷୁଦ୍ର ଗ୍ରାମ ଜଲାଲାବାଦଠାରେ । ସ୍ଥିର କରିଥିଲେ ସେଠାରେ ହିଁ ଅବଶିଷ୍ଟ ଜୀବନ ବିତାଇବେ ରବୀନ୍ଦ୍ରନାଥ ଏବଂ ଗାନ୍ଧିଜୀଙ୍କ ଜୀବନଦର୍ଶନକୁ ସମ୍ବଳ କରି ।
୧୯୬୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ କମିଟିର ସଭାପତି ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ତାଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରନ୍ତି । ସେହି ଅନୁରୋଧ କୁ ଅଗ୍ରାହ୍ୟ କରି ପାରନ୍ତି ନାହିଁ ସେ । ସ୍ବାଧୀନତା ପ୍ରାପ୍ତି ର ୨୨ ବର୍ଷ ପରେ ବିପର୍ଯ୍ୟସ୍ତ ସ୍ବପ୍ନ ଓ ଆଦର୍ଶ ତଥା ଭଗ୍ନ ମନ ନେଇ ସେ ଭାରତ ମାଟିରେ ପୁଣି ପାଦ ଥାପିଥିଲେ । ଦିଲ୍ଲୀରେ ନେହେରୁଙ୍କ ପ୍ରିୟ କନ୍ୟା ଇନ୍ଦିରା ଙ୍କୁ କହିଥିଲେ ତାଙ୍କୁ ଶାନ୍ତି ନିକେତନ ପଠାଇବାର ବନ୍ଦୋବସ୍ତ କରିଦେବା ପାଇଁ ।
ଇନ୍ଦିରା ଗାନ୍ଧୀ ପଚାରିଥିଲେ…….ଶାନ୍ତି ନିକେତନ କାହିଁକି ..?
ମୃଦୁ ହସି ଉତ୍ତର ଦେଇଥିଲେ … କାହିଁକି ଜାଣିଛ ? ୧୯୩୪ ମସିହାରେ ଯେତେବେଳେ ଶାନ୍ତି ନିକେତନ ଯାଇଥିଲି, ଗୁରୁଦେବଙ୍କ ପାଖରୁ ସ୍ନେହ ଭଲପାଇବାର ସୌଭାଗ୍ୟ ମୋ’ର ହୋଇଥିଲା ।
୧୯୬୯ ମସିହା ଡିସେମ୍ବର ୧୪ ତାରିଖ ଦିନ ପୂର୍ବଥର ପରି ରେଳର ତୃତୀୟ ଶ୍ରେଣୀ ବଗିରେ ବସି ବୋଲପୁର ଷ୍ଟେସନରେ ଆସି ପହଞ୍ଚିଥିଲେ । ଅବଶିଷ୍ଟ ରାତି ରେଳ ସାଇଡିଂରେ ବିତାନ୍ତି ସେ । ପରଦିନ ଅର୍ଥାତ ଡିସେମ୍ବର ୧୫ ତାରିଖ ଦିନ ସକାଳ ଆଠଟା ସମୟରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଅଜୟ ମୁଖାର୍ଜୀ ତାଙ୍କୁ ସେଠାରୁ ଶାନ୍ତି ନିକେତନ ନେଇ ଯାଆନ୍ତି । ୩୫ ବର୍ଷ ଆଗରୁ ଶାନ୍ତି ନିକେତନ ର ଯେଉଁ ଉଦୟନ ର ଗୃହରେ ତାଙ୍କର ଗୋଟିଏ ଦିନ ବିତିଥିଲା ସେହି ଗୃହରେ ତାଙ୍କୁ ଆତିଥ୍ୟ ଦିଆଯାଏ ।
ତାପରେ ବିଶ୍ଵଭାରତୀ ର ଆମ୍ରକୁଞ୍ଜରେ ତାଙ୍କୁ ଚିରାଚରିତ ଧାରାରେ ସମ୍ବର୍ଦ୍ଧନା ଦିଆଯାଏ ।
ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ ସେଦିନ ସେ କହିଥିଲେ —
” ୩୫ ବର୍ଷ ପୂର୍ବେ ମୁଁ ଯେତେବେଳେ ପ୍ରଥମଥର ପାଇଁ ଏଠାକୁ ଆସିଥିଲି ସେତେବେଳେ ଗୁରୁଦେବଙ୍କର ଯେଉଁ ସ୍ନେହ, ଭଲପାଇବା ପାଇଛି ତାହା ମୋ ଅନ୍ତରରେ ଆଜି ମଧ୍ୟ ବିରାଜମାନ । “
ଦୁର୍ବଳ ଶରୀରରେ ତଥାପି ସେ ବୁଲି ବୁଲି ବିଶ୍ଵଭାରତୀ ର ପ୍ରତ୍ୟେକଟି ହଷ୍ଟେଲ, କଳାଭବନ, ବିଚିତ୍ରା ସବୁ ଦେଖନ୍ତି । ବିଚିତ୍ରାରେ କାଠରେ ଖୋଦିତ ଏକ ମାନବ ମୂର୍ତ୍ତି ସାମ୍ନାରେ ଛିଡ଼ା ହେବାର କିଛି ମୁହୂର୍ତ୍ତ ମଧ୍ୟରେ ତାଙ୍କ ଆଖିରୁ ଝର ଝର ହୋଇ ଲୁହ ଝରିପଡେ । ଆଖିର ଅମାନିଆ ଲୁହକୁ ବାରମ୍ବାର ପୋଛି ଚାଲିଥାନ୍ତି । ଗୁରୁଦେବଙ୍କ ଏହି କାଠରେ ତିଆରି ମୂର୍ତ୍ତି ର ଶିଳ୍ପୀ ଯେ ତାଙ୍କର ପୁତ୍ର ଅବଦୁଲ୍ ଗନି ।
ବିଶ୍ୱଭାରତୀ ବୁଲି ଦେଖିଲେ । ଛାତ୍ରଛାତ୍ରୀଙ୍କ ପାଇଁ ଏକ କ୍ଷୁଦ୍ର ବକୃତା ମଧ୍ୟ ଦେଇଥିଲେ । ତାପରେ ଉପାଚାର୍ଯ୍ୟ କାଳିଦାସ ଭଟ୍ଟାଚାର୍ଯ୍ୟଙ୍କ ନିକଟରେ ସାନ୍ତାଳ ପଲ୍ଲୀ ବୁଲି ଦେଖିବାର ଆଗ୍ରହ ପ୍ରକାଶ କରିଥିଲେ ।
ତାଙ୍କର ଅନୁରୋଧ ରକ୍ଷାକରି ତାଙ୍କୁ ଶାନ୍ତି ନିକେତନ ନିକଟବର୍ତ୍ତୀ ସାନ୍ତାଳୀ ଗ୍ରାମ ଭୁବନଡାଙ୍ଗାକୁ ନିଆଯାଏ ।
ସାନ୍ତାଳମାନଙ୍କ ଗାଁ ରେ ଲୋକମାନଙ୍କ ସହିତ ଗପସପ କରିବା ସମୟରେ ସେ ସେମାନଙ୍କୁ ପଚାରିଥିଲେ …” ସ୍ବାଧୀନତା ପୂର୍ବରୁ ଯେପରି ଭାବରେ ତୁମେମାନେ ଜୀବନ ଅତିବାହିତ କରୁଥିଲ ସ୍ବାଧୀନତା ପରେ ତୁମର ଜୀବନ ଧାରଣରେ କ’ଣ କୌଣସି ପରିବର୍ତ୍ତନ ହୋଇଛି ? “
ଦୋଭାଷୀଙ୍କ ମାଧ୍ୟମରେ ସେ ଯେଉଁ ଉତ୍ତର ପାଇଥିଲେ ସେଥିରେ ତାଙ୍କ ମୁହଁର ହସ ଲିଭି ଯାଇଥିଲା ।
ଅସ୍ପଷ୍ଟ ଭାବରେ କେବଳ ଉଚ୍ଚାରଣ କରିଥିଲେ … ହାୟ ଗୁରୁଦେବ !
ହାୟ ସ୍ବାଧୀନତା !
ଛାତିରେ ଦୁଃଖ ଓ କିଛି ଶାନ୍ତି ନେଇ ସେ ଶାନ୍ତି ନିକେତନରୁ ଫେରିଥିଲେ ।
୧୯୮୮ ମସିହା ଜାନୁଆରୀ ୨୦ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଏହି ମହାନ୍ ଗାନ୍ଧିବାଦୀ ନେତା ଖାନ୍ ଅବଦୁଲ ଗଫର ଖାନ୍ ବା ସୀମାନ୍ତ ଗାନ୍ଧୀ ।
ସୌଜନ୍ୟ : ଶୁଭେନ୍ଦୁ ଭୂୟାଁ, ବରିଷ୍ଠ ସାମ୍ବାଦିକ