ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) ୩.୧– ନୂତନ ଓଡ଼ିଶାର ନିର୍ମାତା, ପ୍ରାଜ୍ଞ ପୁରୁଷ, ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀ ଉତ୍ସବ ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନଠାରେ ସେବାଦଳ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି ।
ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଷ୍ଟି ଦେଇଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଶିଳ୍ପ, କୃଷି, ଜଳସେଚନ ପ୍ରଭୃତି କ୍ଷେତ୍ରରେ ଓଡ଼ିଶା ଉନ୍ନତିର ଶିର୍ଷରେ ପଂହଚିଥିଲା । ଓଡ଼ିଶାକୁ ଭାରତବର୍ଷର ଏକ ନମ୍ବର ରାଜ୍ୟରେ ପ୍ରତିଷ୍ଠା କରିବାପାଇଁ ସେ ତାଙ୍କର ସମସ୍ତ ଶକ୍ତି ଖଟାଇ ଦେଇଥିଲେ । ଏଭଳି ଜଣେ ଜଶସ୍ୱୀ ଜନନେତାଙ୍କ ଜୀବନୀ ବିଷୟରେ ଆଜିର ଯୁବପୀଢ଼ି ଅବଗତ ହେବାର ଆବଶ୍ୟକତା ରହିଛି ।
ଅନ୍ୟତମ ଅତିଥି ପୂର୍ବତନ ସାସଂଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀ କହିଲେଯେ, ସ୍ୱର୍ଗତ ପଟ୍ଟନାୟକ କେବଳ ଜଣେ ରାଜନେତା ନଥିଲେ ଶ୍ରୀ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟକୁ ସାରା ବିଶ୍ୱରେ ପଂହଚାଇବା ପାଇଁ ତାଙ୍କର ଉଦ୍ୟମର ପଟାନ୍ତର ନାହିଁ ।
ସେ ଆହୁରି କହିଲେ ଯେ ଏଭଳି ଜଣେ ମହାନ ଜନନେତାଙ୍କର ପ୍ରତିମୂର୍ତି ଆଜି ପର୍ଯ୍ୟନ୍ତ ରାଜଧାନୀରେ ପ୍ରତିଷ୍ଠା ନହେବା ଅତ୍ୟନ୍ତ ଲଜାର ବିଷୟ । ଓଡ଼ିଶା ବିଧାନସଭାରେ ସ୍ୱର୍ଗତ ପଟ୍ଟନାୟକଙ୍କର ଏକ ପ୍ରତିମୂର୍ତି ପ୍ରତିଷ୍ଠା ପାଇଁ ସେ ମାନ୍ୟବର ବାଚସ୍ପତିଙ୍କୁ ପ୍ରସ୍ତାବ ରଖିବେ ବୋଲି ମତଦେଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଲେ ଯେ ହଜାର ଦିନରେ ହଜାର କୋଟିରେ ହଜାର ଶିଳ୍ପ ଆହ୍ୱାନ ଦେଇ ସ୍ୱର୍ଗତ ପଟ୍ଟନାୟକ ଏହାକୁ କାର୍ଯ୍ୟକାରୀ କରିଥିଲେ । ଶିକ୍ଷାବିତ୍ ଡଃ ବଦ୍ରିନାଥ ପଟ୍ଟନାୟକ କହିଲେ ଯେ, ସାଧାରଣ ଓଡ଼ିଆ ବୋଧଗମ୍ୟ ଭାଷାରେ ସ୍ୱର୍ଗତ ପଟ୍ଟନାୟକ ଭାଗବତ, ମହାଭାରତ ଓ ରାମାୟଣକୁ କଥା ଆକାରରେ ଲୋକମାନଙ୍କ ପାଖରେ ପଂହଚାଇବା ତାଙ୍କର ଅନବଦ୍ୟ କୃତି ବୋଲି କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ,ଚିନ୍ମୟ ସୁନ୍ଦର ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ସଂଜୀବ ମହାନ୍ତି, ଆଲୋକ ମହାନ୍ତି, ଏମଡି ସାହାଦୁଲ୍ଲା, ନିରଞ୍ଜନ ଲେଙ୍କା, କୁଳମଣି ସାହୁ, ତାପସ ସେଠୀ, ସୁଶାନ୍ତ ମହାରଣା, ଖଗେଶ୍ୱର ମଲ୍ଲିକ ଓ ପ୍ରଶନ୍ନ ପାଇକରାୟ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।