ଆଜି ହେଉଛି ଓଡିଆ ଓଷାମାନଙ୍କ ମଧ୍ୟରୁ ଅନ୍ୟତମ ଓଷା ଜହ୍ନିଓଷା। ଏହା ହେଉଛି ଓଡିଆମାନଙ୍କର ଆଉ ଏକ ନିଆରା ପର୍ବ। ତେବେ ଜହ୍ନି ଓଷା କଣ ଆସନ୍ତୁ ଜାଣିବା, ଏହି ଓଷାର କଣ ରହିଛି କିମ୍ବଦନ୍ତୀ l ଜହ୍ନିଓଷା ଏକ ଲୋକବିଶ୍ୱାସର ଓଷା। ଜହ୍ନି ଏକ ସାଧାରଣ ପରିବା। କିନ୍ତୁ ତାର ଫୁଲ ଅତି ସୁନ୍ଦର। ଜହ୍ନିଫୁଲ ଓ ଜହ୍ନରାତିର ବର୍ଣ୍ଣନାରେ କବିମାନେ କାଳେକାଳେ ଶତମୁଖ ହୋଇଛନ୍ତି। ତେଣୁ ବୃନ୍ଦାବତୀଙ୍କୁ ଜହ୍ନିଫୁଲରେ ସଜାଇବା ଅତି ମହତ୍ତ୍ୱପୂର୍ଣ୍ଣ। ସାଧାରଣକୁ ଅସାଧାରଣରେ ପରିଣତ କରିବା ତ ଓଡ଼ିଆ ସଂସ୍କୃତିର ବିଶେଷତ୍ୱ।ଶ୍ରଦ୍ଧା, ସତୀତ୍ୱ ଓ ପବିତ୍ରତାର ପ୍ରତୀକ ଭାବରେ ତୁଳସୀ ଚଉରା ପ୍ରାୟ ପ୍ରତ୍ୟେକ ହିନ୍ଦୁଘରର ଅଗଣାରେ ଶୋଭାପାଏ। ବିଭିନ୍ନ ସମୟରେ ଓଡ଼ିଶାର ପୁରପଲ୍ଲୀର ବିଭିନ୍ନ ପର୍ବପର୍ବାଣିରେ, ତୁଳସୀ ବୃକ୍ଷ ବା ବୃନ୍ଦାବତୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ। ସେ ମଧ୍ୟରୁ ଭାଦ୍ରବ ପୂର୍ଣ୍ଣିମାଠାରୁ ଆଶ୍ୱିନପୂର୍ଣ୍ଣିମା ପର୍ୟ୍ୟନ୍ତ ଏକ ମାସ ଧରି ପାଳିତ ହୁଏ ‘ଜହ୍ନି ଓଷା’। ଜହ୍ନି ଓଷା ଓଡ଼ିଶାରେ କୁଆଁରୀ ଝିଅ ମାନଙ୍କ ଦ୍ୱାରା ପାଳିତ ଏକ ସାର୍ବଜନୀନ ଓଷା।ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ।ମାସସାରା ପ୍ରତି ଦିନ ଅପରାହ୍ନ ସମୟରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନି ଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି। ଭାରି ଆଦରର ସହିତ ଏହି ପୁଜାକୁ ଏକାଧିକ ବାଢ଼ୁଅ ଝିଅମାନେ ମିଶିକି ପାଳନ କରିଥାନ୍ତି। ଚଉରାମୂଳକୁ ଲିପାପୋଛା କରି, ଚିତା ମୁରୁଜ ପକାଇ, ଚଉରାକୁ ଜହ୍ନିଫୁଲ, ପାଣିକଖାରୁ ଫୁଲ ଓ କଇଁ ଫୁଲ ଆଦି ନାନାଦି ଫୁଲମାନଙ୍କରେ ସଜାଇଥାଆନ୍ତି।
ଗୋଟିଏ ପିଢ଼ା ପଟାକୁ ଥୋଇ ତା’ ଉପରେ ଏକ ପୂର୍ଣ୍ଣ କୁମ୍ଭ ବସାନ୍ତି। ପୂର୍ଣ୍ଣ କୁମ୍ଭ ପାଖରେ ଗୋଟିଏ ଗୁଆ ଓ ସାତଟି କଉଡ଼ି ରଖନ୍ତି। ଚନ୍ଦନ, ସିନ୍ଦୂର ଓ ଜହ୍ନିଫୁଲ ଦେଇ ପୂର୍ଣ୍ଣକୁମ୍ଭକୁ ସଜାନ୍ତି। ଧୂପ, ଦୀପ, କର୍ପୂରରେ ଚଉରାକୁ ବନ୍ଦାଇ କୁମାରୀମାନେ ଚଉରା ପାଖରେ ବସି ଦୀନକୃଷ୍ଣ ଦାସଙ୍କ ରଚିତ ‘ଜହ୍ନିଓଷା ବ୍ରତ କଥା’ ପାଠ କରନ୍ତି। ଏହା ସହିତ ନିଷ୍ଠାର ସହ ବାଳିକାମାନେ ଅରୁଆ ଖାଇ ମାସଯାକ ଜହ୍ନି ଖାଆନ୍ତି ନାହିଁ; ଏପରିକି ଜହ୍ନି ଫଳଟିଏ ଗଛରୁ ମଧ୍ୟ ଛିଣ୍ଡାନ୍ତି ନାହିଁ। ତେବେ କଥାରେ ଅଛି ଯେ, ଏହି ବ୍ରତ କଲେ କୁମାରୀ କନ୍ୟାମାନଙ୍କର ସମସ୍ତ ପ୍ରକାର ରୋଗ ନାଶ ହୁଏ ଏବଂ ସେମାନେ ସୁନ୍ଦର ଓ ଗୁଣବାନ ବର ପାଆନ୍ତି। ଯେହେତୁ ଓଷାର ଆରାଧ୍ୟା ଦେବୀ ବୃନ୍ଦାବତୀ ରହିଥାନ୍ତି,ସେ ସନ୍ତୁଷ୍ଟ ହେଲେ ସର୍ବବିଘ୍ନ ନାଶ ହୁଏ। ଆହୁରି ମଧ୍ୟ ଶୁଣିବାକୁ ମିଳେ ଯେ, ଏହି ଓଷା ପାଳନ ନକଲେ ବା ଏହି ବ୍ରତକୁ ଉପହାସ କଲେ କିପରି ତୁଳସୀଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ହୁଏ।ତେବେ ଆଉ ଦିନ ଟେ ଗଲେ ଝିଅ ମାନଙ୍କର ପ୍ରିୟ ପର୍ବ କୁମାର ପୂର୍ଣିମା।ହାତରେ ଆଞ୍ଜୁଳୀ ଟେକି, ଚାନ୍ଦ ବନ୍ଦାଇ ପୁଜା ଅର୍ଚ୍ଚନା ରେ ଲାଗିପଡିବେ କୁମାରୀ ମାନେ।