ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ):- ଲେଖକ ପାଠକ ପ୍ରକାଶକ ସାମ୍ମୁଖ୍ୟ, ଓଡ଼ିଶା ଆନୁକୂଲ୍ୟରେ ପହିଲି ରଜ ଅବକାଶରେ ଭର୍ଚୁଆଲ ମୋଡ୍ରେ ଲୋକାର୍ପିତ ହୋଇଯାଇଛି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସଂପାଦିତ ଅନନ୍ୟ ଗଳ୍ପ ପୁସ୍ତକ ‘ମଣିଷ ବ୍ୟତିରେକ’ । ଏହାକୁ ଉନ୍ମୋଚନ କରିବା ଅବସରରେ ପ୍ରଖ୍ୟାତ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ କହିଲେ ଯେ ରାଜନୀତିର ବ୍ୟସ୍ତତା ମଧ୍ୟରେ ରହି ଏପରି ଏକ ବିରଳ ଗ୍ରନ୍ଥ ସଂପାଦନା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ । ପୂର୍ବରୁ ଆମେ ସାହିତ୍ୟରେ ଯେଉଁ ପଶୁପକ୍ଷୀ ଓ ଗଛଲତାର କାହାଣୀ ପଢ଼ୁଥିଲୁ, ସେସବୁ କାହାଣୀ ପୁନର୍ବାର ପାଠକମାନଙ୍କ ସାମ୍ନାକୁ ଆସିବା ଆବଶ୍ୟକ । ଏହି କରୋନା ମହାମାରୀ ପ୍ରମାଣିତ କରିଦେଇଛି, ପ୍ରକୃତି ସାମ୍ନାରେ ଆମେ କେତେ ତୁଚ୍ଛ । ତେଣୁ ଏହି ଗଳ୍ପ ସଂକଳନ ମାଧ୍ୟମରେ ପାଠକମାନଙ୍କୁ ପ୍ରକୃତି ଓ ଜୀବଜଗତ ପ୍ରତି ଶ୍ରଦ୍ଧାଶୀଳ କରିବାକୁ ମନ୍ତ୍ରୀ ଡ. ସାହୁ ଯେଉଁ ପ୍ରୟାସ କରିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ବିରଳ । ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ପୁସ୍ତକକୁ ମଣିଷର ଶ୍ରେଷ୍ଠ ବନ୍ଧୁ ବୋଲି କୁହାଯାଏ ।
ଲେଖକ-ପାଠକ-ପ୍ରକାଶକଙ୍କ ତି୍ରବେଣୀ ସଂଗମ ହେଲେ ଭାଷା ଓ ସାହିତ୍ୟ ତିଷ୍ଠି ରହେ । ଆଜିକାଲି ଲୋକଙ୍କର ପଢ଼ିବାର ଆଗ୍ରହ ବଢ଼ିଛି । ସେହି ଆଗ୍ରହ ଅନୁସାରେ ଲେଖକ ଓ ପ୍ରକାଶକଙ୍କ ଆଭିମୁଖ୍ୟ ବଦଳିବା ଆବଶ୍ୟକ । ମଣିଷର ଅହଂକାର ମଣିଷର ବିପତ୍ତିର କାରଣ ହେଉଥିବାବେଳେ ‘ମଣିଷ ବ୍ୟତିରେକ’ ପୁସ୍ତକ ବିପଥଗାମୀ ମଣିଷକୁ ସୁପଥକୁ ଆଣିବାରେ ପଥପ୍ରଦର୍ଶକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ପୁସ୍ତକର ସମୀକ୍ଷା କରିଥିଲେ କଥାକାର ଡ. ଅରବିନ୍ଦ ରାୟ ଓ ଡ. ଅଜୟ ସ୍ୱାଇଁ । ଅରବିନ୍ଦ ରାୟ ତାଙ୍କ ସମୀକ୍ଷା ଛଳରେ ଡ. ଅରୁଣ ସାହୁଙ୍କ ସଂପାଦନାର ଆନ୍ତରିକତା ଓ ବୈଶିଷ୍ଟ୍ୟ ସଂପର୍କରେ ମତବ୍ୟକ୍ତ କରିଥିବାବେଳେ ଡ. ଅଜୟ ସ୍ୱାଇଁ ଗ୍ରନ୍ଥ ସନ୍ନିବେଶିତ ୨୯ଟି ଗଳ୍ପର ବିଭିନ୍ନ ଦିଗ ସଂପର୍କରେ ଅଲୋକପାତ କରିଥିଲେ । ପ୍ରକାଶନ ସଂସ୍ଥା ଜଗନ୍ନାଥ ରଥ ପକ୍ଷରୁ ଶୁଭେନ୍ଦୁ ଶେଖର ରଥ ପ୍ରକାଶକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ଗ୍ରନ୍ଥର ସଂକଳକ ଡ. ଅରୁଣ କୁମାର ସାହୁ ଧନ୍ୟବାଦ ଦେବା ପ୍ରସଙ୍ଗରେ ମଣିଷ ଓ ମଣିଷ ବ୍ୟତିରେକ ଅନ୍ୟ ସଜୀବ ଓ ନିର୍ଜୀବ ଜଗତ ସଂପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ମଣିଷଠାରୁ ମଣିଷ ବ୍ୟତିରେକମାନଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ । ଏହି ମଣିଷ ବ୍ୟତିରେକମାନଙ୍କର ବୈଶିଷ୍ଟ୍ୟ ତାଙ୍କୁ ଏପରି ଏକ ଗ୍ରନ୍ଥ ସଂକଳିତ କରିବାକୁ ପ୍ରେରଣା ଦେଇଥିଲା ବୋଲି ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ‘ପକ୍ଷୀଘର’ର ସଂପାଦକ ବନୋଜ ତି୍ରପାଠୀ । ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ଆବାହକମାନଙ୍କ ସମେତ ୫୦୦ରୁ ଅଧିକ ଲେଖକ-ପାଠକ ଓ ପ୍ରକାଶକ ଯୋଗଦେଇଥିଲେ ।