ବାଲେଶ୍ୱର(ରତ୍ନଗିରି ନ୍ୟୁଜ) :-ବାଲେଶ୍ଵର ଜନସାଧାରଣଙ୍କର ବହୁ ଦିନର ଦାବୀ ବାଲେଶ୍ଵର ମ୍ୟୁନିସିପାଲିଟିକୁ କର୍ପୋରେସନର ମାନ୍ୟତା ଦେବାକୁ ସରକାର ପ୍ରତ୍ୟାଖାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଳେଶ୍ବରର ପୂର୍ବତନ ବିଧାୟକ ତଥା ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ତରଫରୁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଦାୟିତ୍ବରେ ଥିବା ପ୍ରଭାରୀ ଜୀବନ ପ୍ରଦୀପ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପାଖା ପାଖି ସାଢେ ୩ ବର୍ଷ ରାଜ୍ୟ ସରକାର ସହରାଞ୍ଛଳ ବାସୀଙ୍କୁ ନିର୍ବାଚିତ ଲୋକ ପ୍ରତିନିଧ୍ୱ ନଦେଇ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ପୌରାଞ୍ଚଳ ଶାସନ ଭାର ଦେବା ନଗରବାସୀଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ କରିଛନ୍ତି । ଓଡିଶାର ଉପକୂଳ ବର୍ତୀ ଜିଲ୍ଲାମାନଙ୍କ ମଧ୍ୟରେ ବାଲେଶ୍ବର ସହର ଏକ ସଂସ୍କୃତି ସମ୍ପନ୍ନ ସହର ଓ ଶିକ୍ଷିତଅଞ୍ଚଳ ଭାବେ ପରିଚିତ । ଚାନ୍ଦିପୁର ପରି ସୁବର୍ଣ୍ଣ ବେଳାଭୂମି ସହ ଆଇ.ଟି.ଆର, ପିଏକ୍ସଇ ଭଳି ଗୁରୁତ୍ବ ପୂର୍ଣ୍ଣ ସାମରିକ ସଂସ୍ଥାମାନ ଅଛି । ମୁଁ ବିଧାୟକ ଥିଲା ବେଳେ ବାରମ୍ବାର ବାଲେଶ୍ବରକୁ କର୍ପୋରେସନରେ ପରିଣତ କରିବା ପାଇଁ ବିଧାନସଭାରେ ଦାବୀ କରିଥିଲି । ଏ ଦିଗରେ ମଧ୍ୟ ପ୍ରଶାସନିକ ପଦକ୍ଷେପ ନିଆଯାଇଥିଲା ଏବଂ ମ୍ୟୁନିସିପାଲିଟି ଚତୁଃପାର୍ଶ୍ବରେ ଥିବା ଗ୍ରାମାଞ୍ଚଳକୁ କର୍ପୋରେସନ ପରିସର ଭୁକ୍ତ କରିବା ପାଇଁ ସର୍ଭେ କାର୍ଯ୍ୟ କରିବା ସହ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଏନ.ଓ.ସି. ମଧ୍ଯ ନିଆଯାଇଥିଲା । ଏହା ସତ୍ତ୍ବେ ପୌର ନିର୍ବାଚନ ପୂର୍ବରୁ ବାଲେଶ୍ୱରକୁ କର୍ପୋରେସନର ମାନ୍ୟତା ନଦେବା କେବଳ ପ୍ରଶାସନିକ ଅବହେଳା ନୁହଁ ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଛି ।
ଦୀର୍ଘଦିନ ନିର୍ବାଚନ ନକରି ବାଲେଶ୍ବର ଓ ଭଦ୍ରକ ଦୁଇଟି ଜିଲ୍ଲାରେ ପୌରାଞ୍ଚଳରେ ବିକାଶ ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତା ହେବାର ଅଭିଯୋଗ ହେଉଛି। ଆଗାମୀ ପୌର ନିର୍ବାଚନରେ ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାର ଜନସାଧାରଣ ଏପରି ଅସମ୍ବିଧାନିକ କାର୍ଯ୍ୟର ସଠିକ ଜବାବ ଦେବେ । ବାଲେଶ୍ବରର ୫ଟି ସହରାଞ୍ଚଳ ଓ ଭଦ୍ରକରେ ୪ଟି ସହରାଞ୍ଚଳରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ନିଶ୍ଚିତ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୌର ନିର୍ବାଚନର ରାଜ୍ୟ କମିଟି ସଦସ୍ୟ ତଥା ବାଲେଶ୍ବର-ଭଦ୍ରକ ପ୍ରଭାରୀ ଜୀବନ ପ୍ରଦୀପ ଦାସ, ପୌର ନିର୍ବାଚନ ଜିଲ୍ଲା ସଂଯୋଜକ ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଉପସଭାପତି କମଲଲୋଚନ ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ।