କୋରାପୁଟ(ରତ୍ନଗିରି ନ୍ୟୁଜ): ଗତ ୧୬ ତାରିଖରେ ଓଡ଼ିଶା ନେତା ଏବଂ ପ୍ରଶାସନର ଜୋରଦାର ବିରୋଧ ଯୋଗୁ ପଛଘୁଞ୍ଚା ଦେଇଥିବା ଆନ୍ଧ୍ର ପୁଣି ଧସେଇ ପଶିଛି କୋଟିଆ ଗ୍ରାମପୁଞ୍ଚରେ । ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆନ୍ଧ୍ର ପକ୍ଷରୁ ପଟୁସିନେରୀ ପଞ୍ଚାୟତ ଗୃହ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ଶୁଭ ଦିଆଯାଇଥିବାବେଳେ ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ, କୋଟିଆ ପଂଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ବି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ପି.କୁର୍ମନାଥ ଓ ବିଭିନ୍ନ ସରକାରୀ ଅଧିକାରୀ ।କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ କଡା ବିରୋଧ କରିଛନ୍ତି ତାରା ପ୍ରସାଦ ବାହିନୀ ପତି । ଚୋରଙ୍କ ଭଳି ଆସି ଯାଉଛନ୍ତି ଆନ୍ଧ୍ର ଅଧିକାରୀ । ଆନ୍ଧ୍ର ର ଏଭଳି କାମକୁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ କହିଲେ ତାରା । କୋରାପୁଟ ଜିଲ୍ଲାର ସର୍ବସାଧାରଣ କୋଟିଆ ମାଟିର ସୁରକ୍ଷା ପାଇଁ ବଦ୍ଧପରିକର । ତାର ନିଦର୍ଶନ ଗତ ୧୬ ତାରିଖ ଦିନ କୋଟିଆରେ ଦେଖାଯାଇଛି । ଏଣିକି କୋଟିଆ ଲୋକଙ୍କ ଦ୍ୱାରା ହିଁ ଜବାବ ଦିଆଯିବ । ଯାହା ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ଆନ୍ଧ୍ର ଦାୟି ରହିବ ବୋଲି ସେ ଆନ୍ଧ୍ରକୁ ଚେତାବନୀ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଆନ୍ଧ୍ର ପ୍ରଶାସନ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଯୋଜନା କରିଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଦଳର ନେତା ଏକଜୁଟ୍ ହୋଇ ଘୋର ବିରୋଧ କରିବାରୁ କାର୍ଯ୍ୟକ୍ରମ ବାତିଲ କରି ଫେରି ଯାଇଥିଲେ ଆନ୍ଧ୍ର ସାଲୁରର ବିଧାୟକ ଓ ସରକାରୀ ଅଧିକାରୀ ।
ଓଡ଼ିଶା ମାଟି କଥା ଉଠିଲେ ସବୁ ଦଳ ଏକ ହୋଇ ଛିଡ଼ା ହେଉଛନ୍ତି। ହେଲେ ଆନ୍ଧ୍ର ସରକାର ସଚେତନ ନ ହେଲେ ହେଲେ ଆନ୍ଧ୍ରର ବହୁ ଗାଁ, ପଞ୍ଚାୟତ ଓଡ଼ିଶାରେ ମିଶିଯିବ ବୋଲି କହିଛନ୍ତି ବିଜେଡି ନେତା ଈଶ୍ୱର ସୁନ୍ଦର ପାଣିଗ୍ରାହୀ l