ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) : ଗତ ୨ଦିନ ତଳେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ର ନିଷ୍ପତି କ୍ରମେ ରାଜ୍ୟରେ ୮୯ଟି ଜାଗାରେ ବହୁମୁଖୀ ବ୍ୟବହାର୍ଯ୍ୟ ଇଣ୍ଡୋର ଷ୍ଟାଡିୟମ୍ କରିବେ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ (ଓ ଌ ଚଜ ଊରକ୍ଟ୍ରଗ୍ଧ, ଏକ୍ଟଙ୍ଖଗ୍ଧ. କ୍ଟଲ ଙୟସଗ୍ଦଷବ) ଏବଂ କ୍ରୀଡା ଓ ଯୁବକଲ୍ୟାଣ ବିଭାଗ (Sports and Youth Service Department, Govt. of Odisha) ତରଫରୁ ୨ଟି ଭିନ୍ନ ଭିନ୍ନ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଇଆଣ୍ଡପିଆର ଡିପାର୍ଟମେଂଟ୍ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ରାଜ୍ୟ କ୍ରୀଡା ଭିତିଭୂମି ବିକାଶ ପ୍ରକଳ୍ପ ଏବଂ କ୍ରୀଡା ଓ ଯୁବକଲ୍ୟାଣ ବିଭାଗ ତରଫରୁ ବିଜ୍ଞପ୍ତିରେ ସହରାଂଚଳ କ୍ରୀଡା ଭିତିଭୂମି ପ୍ରକଳ୍ପ ଜରିଆରେ ଏହି ଘୋଷିତ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ହେବ ବୋଲି ପ୍ରକାଶ ପାଇଛି । ଯାହାକି ସାଧାରଣରେ ଦ୍ୱନ୍ଦ ସୃଷ୍ଟି କରିବା ସହ ରାଜ୍ୟ ସରକାରଙ୍କ ‘ବିଭାଗ – ବିଭାଗ’ ମଧ୍ୟରେ କୈାଣସି ସମନ୍ୱୟ ନଥିବାର ସ୍ପଷ୍ଟ ପ୍ରମାଣିତ ହୋଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦେଇ ସାଧାରଣ ଓଡିଶାବାସୀଙ୍କ ମନରେ ସୃଷ୍ଟି ହେଇଥିବା ଦ୍ୱନ୍ଦ ଦୂର କରିବାକୁ ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଦାବୀ କରିଛନ୍ତି ।
ରାଜ୍ୟ ସରକାରଙ୍କ ଘୋଷଣା ଓ ବିଜ୍ଞପ୍ତି ଅନୁଯାୟୀ, ଘୋଷିତ ନୂତନ ଇଣ୍ଡୋର ଷ୍ଟାଡିୟମ୍ଗୁଡିକ ବହୁମୁଖୀ ବ୍ୟବହାର ଉପଯୋଗୀ ହେବ । ଏହି ଷ୍ଟାଡିୟମରେ ଖେଳ, ଇଣ୍ଡୋର ଖେଳ, ଯୋଗ, ବ୍ୟାୟାମ ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳ ଭାବେ ବ୍ୟବହାର ହୋଇପାରିବ । କୋଭିଡ୍ ସଂକ୍ରମଣ ଭଳି କୈାଣସି କଠିନ ସମୟରେ ଏହି ଷ୍ଟାଡିୟମଗୁଡିକୁ ୫୦-୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ । ଏଥି ସହ ସଭା, ସମିତି, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇପାରିବ । ଗୋଟିଏ ପଟେ ଦରମା, ପେନସନ ଦେବା ପାଇଁ ରାଜ୍ୟ ସରକାରଙ୍କ ବଜେଟ ନିଅଂଟ ପଡୁଥିବାବେଳେ ଏଥିପାଇଁ କେଉଁ ବିଭାଗର କେତେ ଅର୍ଥବରାଦ, ପ୍ରକଳ୍ପରେ କେନ୍ଦ୍ର – ରାଜ୍ୟ ସରକାରଙ୍କ ଅଂଶଧନ କେତେ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ଶ୍ରୀ ତ୍ରିପାଠୀ ଦାବୀ କରିଛନ୍ତି ।
ରାଜ୍ୟ ସରକାର ନିଶ୍ଚିତ ଭାବେ ସୁଚି ପ୍ରସ୍ତୁତ କରି ୮୯ଟି ସ୍ଥାନରେ ଇଣ୍ଡୋର ଷ୍ଟାଡିୟମ୍ ହେବ ବୋଲି ଘୋଷଣା କରିଛନ୍ତି । ଏହି ୮୯ଟି ଜାଗା, କେଉଁ ଜିଲ୍ଲା, ମ୍ୟୁନିସିପାଲଟି ଏବଂ କେଉଁ ଏନ୍ଏସିରେ ହେବ ତାହାର ସୂଚୀ ମଧ୍ୟ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସାମ୍ନାରେ ପ୍ରକାଶ କରିବା ପାଇଁ ଶ୍ରୀ ତ୍ରିପାଠୀ ଦାବୀ କରିଛନ୍ତି ।
ପ୍ରକାଶ ଥାଉ କି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶାର ୩୧୪ ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ କରିବାକୁ ଘୋଷଣା କରିଥିଲେ ବିଜେଡି ସରକାର । ତେବେ ୩୧୪ ମଧ୍ୟରୁ ଏହି ୨ବର୍ଷରେ କେତେ ବ୍ଲକ ଅଂଚଳରେ ବିଜେଡି ସରକାର କେତୋଟି ଷ୍ଟାଡିୟମ୍ ନିର୍ମାଣ କରିଛନ୍ତି ତାହାର ହିସାବ ରାଜ୍ୟବାସୀଙ୍କୁ ଦେବେ କି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ?
ସୁବାଷ ବୋଷ୍, ବୀର ସୁରେନ୍ଦ୍ର ସାଏ, ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ପଣ୍ଡିତ ଗୋପବନ୍ଧୁ ଦାସ, ଡ. ହରେକୃଷ୍ଣ ମହତାବ, ବାଜି ରାଉତ, ଗଜପତି କୃଷ୍ଣଦେବ, ରେଣ୍ଡୋ ମାଝି, ଗଙ୍ଗାଧର ମେହେର, ଜୟୀ ରାଜଗୁରୁ, ଫକୀର ମୋହନ ସେନାପତି, ଧରଣୀଧର ଭୂୟାଁ, ଫଣ୍ଡିତ ରଘୁନାଥ ମୁର୍ମୁ, ଭୈରବ ମହାନ୍ତି, ମାଳତୀ ଚୌଧୁରୀ, ସନ୍ଥକବି ଭୀମ ଭୋଇ, ଲକ୍ଷ୍ମଣ ନାଏକ, ନିର୍ମଳ ମୁଣ୍ଡା, ମାଧବ ସିଂ .. .. .. ଏପରି ଆହୁରି ଅନେକ ମହାନ୍ ବ୍ୟକ୍ତି, ମହାପୁରୁଷ ଓ କ୍ରୀଡାବିତ୍ ଯେଉଁମାନେ ଅଛନ୍ତି ସେହି ଅଂଚଳ ଏବଂ ଜିଲ୍ଲାରେ ସେମାନଙ୍କର ଅବଦାନ ଯୋଗଦାନ ରହିଛି ସାମାଜିକ ଜୀବନକୁ ସୁଦୃଢ କରିବା ଭବିଷ୍ୟତ ସମାଜ ଗଠନରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଯଦି ଏହି ଯୋଜନା ଘୋଷଣା ସର୍ବସ୍ୱ ନୁହେଁ ବାସ୍ତବରେ ଏହା ହେବାକୁ ଯାଉଛି ତେବେ ଏହା ଯେଉଁ ଜିଲ୍ଲାରେ ଓ ଅଂଚଳରେ ହେବ ସେଠିକାର ମହାପୁରୁଷ ଯାହାର ସାମାଜିକ ଜୀବନରେ ଅବଦାନ ଓ ଯୋଗଦାନ ରହିଛି ସେହି ଅଂଚଳର ବିଶିଷ୍ଟ ବ୍ୟକ୍ତି, କ୍ରୀଡାବିତ୍, ମହାପୁରୁଷମାନଙ୍କ ନାମରେ ଏହି ଇଣ୍ଡୋର ଷ୍ଟାଡିୟମ୍କୁ ନାମିତ କରାଯାଉ ବୋଲି ଭାରତୀୟ ଜନତାପାର୍ଟିି ଗଣମାଧ୍ୟମ ଜରିଆରେ ରାଜ୍ୟସରକାରଙ୍କୁ ଦାବୀ ଜଣାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ ଉପସ୍ଥିତ ଥିଲେ ।