ବରୀ ୦୨/୧୧(ରତ୍ନଗିରି ନ୍ୟୁଜ) : ଉତ୍ତମ ଛାତ୍ରଟିଏ ସୃଷ୍ଟି ହୋଇପାରିଲେ ଉତ୍ତମ ରାଷ୍ଟ୍ରଟିଏ ଗଠନ ହୋଇପାରିବ । ଉତ୍ତମ ଛାତ୍ରସୃଷ୍ଟି କ୍ଷେତ୍ରରେ ଗୁରୁଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବରୀ ବ୍ଲକ୍ ପକ୍ଷରୁ ଓଷ୍ଟାର ୪୦ତମ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲିକ ପ୍ରକାଶ କରିଛନ୍ତି । ଗୋପିନାଥ ଜୀଉ ବିଦ୍ୟାମନ୍ଦିର କଳାଖଣ୍ଡଠାରେ ବରୀ ଓଷ୍ଟା ପକ୍ଷରୁ ୪୦ତମ ଶିଶୁ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଯାପନୀ ଉତ୍ସବ ବରୀ ବ୍ଲକ୍ ଓଷ୍ଟାର ସଭାପତି ରବିନ୍ଦ୍ର କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅକ୍ଷୟ କୁମାର ମଲିକ, ମୁଖ୍ୟବକ୍ତାଭାବେ ଓଷ୍ଟାର ସାଧାରଣ ସମ୍ପାଦକ ରଂଜନ କୁମାର ଦାସ, ସମ୍ମାନିତ ଅତିଥିଭାବେ ଓଷ୍ଟାର ସମ୍ପାଦକ ନିର୍ମଳ ଚନ୍ଦ୍ର ଜେନା, ଯୁଗପ୍ରଭା ସାବତ୍, ଡଃ ନୃସିଂହ ଚରଣ ବେହେରା, ଦିଲ୍ଲିପ କୁମାର ଦାସ, ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କ ବିକାଶ କ୍ଷେତ୍ରରେ ଓଷ୍ଟାର ଥିବା ଗୁରୁ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ବରୀ ବ୍ଲକ୍ ଓଷ୍ଟାର ସମ୍ପାଦକ ଦିବ୍ୟଲୋଚନ ମହାପାତ୍ର ଅତିଥି ପରିଚୟ ଦେଇଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷକ ସତ୍ୟବ୍ରତ ଜେନା, ଶଙ୍କର୍ଷଣ ସାହୁ, ବୃନ୍ଦାବନ ରାଉତ, ଭରତ ଚନ୍ଦ୍ର ଜେନା, ସୁଧାଂଶୁ ଶେଖର ସ୍ୱାଇଁ, ପ୍ରଫୁଲ୍ଲ କୁମାର ଧଳ, ଶମ୍ଭୁନାଥ ତ୍ରିପାଠୀ, କିଶୋର ଚନ୍ଦ୍ର ଜେନା, ରବିନ୍ଦ୍ରନାଥ ମହାନ୍ତି ଓ ଶଙ୍କର୍ଷଣ ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ମାଧ୍ୟମିକ ଦଶମ ପରୀକ୍ଷାରେ ରାଜ୍ୟରେ ସବୋର୍ଚ୍ଚ ନମ୍ବର ରଖି ଥିବା ସୁଶ୍ରୀ ଶେୟଶ୍ରୀ ଜେନା ଓ ଗୋପିନାଥ ଜୀଉ ବିଦ୍ୟାମନ୍ଦିରର କୃତି ଛାତ୍ରୀ ଶ୍ୱାତିରେଖା ପଣ୍ଡାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଅବ୍ୟର୍ଥନା କମିଟିର ଅଧ୍ୟକ୍ଷ ତପନ କୁମାର ଜେନା, ଓଷ୍ଟାର ବ୍ଲକ୍ ଉପସଭାପତି ଇନ୍ଦ୍ରମଣୀ ନାୟକ, ଯୁଗ୍ମ ସମ୍ପାଦକ ସତ୍ୟରଂଜନ ମହାନ୍ତି, ରାଜ୍ୟ ସଂଘ ସଭ୍ୟ ପାବକ ମହାପାତ୍ର, ସୁବାଷ ଚନ୍ଦ୍ର ବିଶ୍ୱାଳ, ରାଜ କିଶୋର ପରିଡ଼ା ପ୍ରମୁଖ ଶିଶୁମେଳା ପରିଚାଳନରେ ସହଯୋଗ କରିଥିଲେ ।
ଏହି ଅବସରରେ ଗୋପିନାଥ ଜୀଉ ବିଦ୍ୟାମନ୍ଦିରରୁ ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ବୃନ୍ଦାବନ ରାଉତ, ସହକାରୀ ଶିକ୍ଷକ ଭରତ ଚନ୍ଦ୍ର ଜେନା, କନିଷ୍ଠ ସହକାରୀ ସୁଧାଂଶୁ ଶେଖର ସ୍ୱାଇଁଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର, ଉପଢୋକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ଶିଶୁ ମେଳାରେ ବରୀ ବ୍ଲକ୍ର ୪୨ଗୋଟି ବିଦ୍ୟାଳୟରୁ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ତର୍କ, କଣ୍ଠ ସଂଙ୍ଗୀତ, ଚିତ୍ରାଙ୍କନ, କବିତା ଆବୃତ୍ତି, ଗଳ୍ପ ଲିଖନ, କବିତା ଲିଖିନ, ଏକକ ଅଭିନୟ, ସାଧାରଣ ଜ୍ଞାନ, ବୁଦ୍ଧି ପରୀକ୍ଷା ଓ ଏକକ ନୃତ୍ୟ ଭଳି ୧୦ଗୋଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିବାବେଳେ ପ୍ରଥମ ଓ ଦ୍ୱିତୀୟ ହୋଇଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରରେ ହେବାକୁ ଥିବା ଓଷ୍ଟା ଶିଶୁ ମେଳାରେ ଅଂଶ ଗ୍ରହଣ କରିବେ ବୋଲି ଅବ୍ୟର୍ଥନା କମିଟିର ଅଧ୍ୟକ୍ଷ ତପନ କୁମାର ଜେନା ପ୍ରକାଶ କରିଛନ୍ତି ।