ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ପରେ ତିନିଦିନଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେ ବିବିସି ତରଫରୁ ଆୟୋଜିତ ‘ସ୍ପୋର୍ଟ୍ସ ଓମେନ୍ ଅଫ୍ ଦି ଇୟର’ ଆୱାର୍ଡ଼ ସେରିମୋନିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା ହକି ଦଳକୁ ପୁରସ୍କୃତ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଜବରଦସ୍ତ ପ୍ରଦର୍ଶନ ପରେ ସାରା ଦେଶ ଭାରତୀୟ ହକିର ପ୍ରାୟୋଜକ ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ସରକାର ଏବଂ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରୁଛି ।
ଆଜି ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ସଂସଦ ଭବନରେ ପହଞ୍ଚିଥିଲେ । ସେଠାରେ ସେ ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦଙ୍କ ସହ ହସ ମଜା କରୁଥିବାର ଦେଖିବାକୁ ମିଳିଥିଲା । ସବୁଠୁ ରୋଚକ କଥା ହେଉଛି ଆସ୍କା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତରେ ଆଉଁଶିଦେଇଥିଲେ । ଯେଉଁ ଫଟୋଟି ଏବେ ଭାଇରାଲ୍ ହେବାରେ ଲାଗିଛି । ପୂର୍ବରୁ ପ୍ରମିଳା ମାଉସୀ ମୁଖ୍ୟମନ୍ତ୍ରୀଙ୍କ ସହ ହେଲିକପ୍ଟରରେ ବସିବାର ଏକ ଫୋଟୋ ମଧ୍ୟ ଭାଇରାଲ୍ ହୋଇଥିଲା । ଆସ୍କାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନେତୃତ୍ୱ ନେଉଥିବା ପ୍ରମିଳାଙ୍କୁ ୨୦୧୯ରେ ଆସ୍କାରୁ ବିଜେଡି ଲୋକସଭା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଆଜି ସଂସଦ ଭବନ ଠାରେ ଥିବା ବିଜେଡି ସଂସଦୀୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିଲେ । ସେଠାରେ ବିଜୁ ବାବୁଙ୍କ ଫଟୋ ଚିତ୍ର ତଳେ ଥିବା ଏକ ଚଉକିରେ ବସି ସେ ସମସ୍ତ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ ସମସ୍ତଙ୍କୁ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଜୋରଦାର ଢଙ୍ଗରେ ଗୃହରେ ଉପସ୍ଥାପନ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି । ପରେ ମୁଖ୍ୟମନ୍ତ୍ରୀ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲକୁ ଯାଇ ସେଠାରେ ମଧ୍ୟ ବିଜେଡି ଓ ଅନ୍ୟ ଦଳର ସାଂସଦଙ୍କ ସହ କିଛି ସମୟ ବିତାଇଥିଲେ । ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।