ନୂଆଦିଲ୍ଲୀ: ଆଜିଠୁ ୩ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସେ ଶ୍ରୀନଗର ପହଞ୍ଚିବେ ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ । ଶାହ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ବି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କାଶ୍ମୀରକୁ ଏହା ଶାହଙ୍କର ପ୍ରଥମ ଗସ୍ତ ହେବ ।
ସୂତ୍ର ଅନୁସାରେ, ଗସ୍ତ ସମୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି କେନ୍ଦ୍ର ଶାସିତ ପ୍ରଦେଶର ସାଂପ୍ରତିକ ଓ ରାଜନୈତିକ ପରିସ୍ଥିତି ସଂପର୍କରେ ଆଲୋଚନା କରିବା ଲାଗି ଏକ ସର୍ବଦଳୀୟ ବୈଠକ ଡକାଇବାକୁ ପୂର୍ବରୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏଭଳି କୌଣସି ବୈଠକରେ ସାମିଲ ହେବାକୁ ମନା କରାଯାଇଥିଲା ।
ସୂଚନାଥାଉକି, ଉପତ୍ୟକାରେ ବିଗତ କିଛି ଦିନ ହେଲା ଆତଙ୍କୀମାନେ ଅଣ-କାଶ୍ମୀର ନାଗରିକଙ୍କୁ ଟାର୍ଗେଟ୍ କରୁଛନ୍ତି । ସେମାନେ ୧୧ ଜଣ ପ୍ରବାସୀ ନାଗରିକଙ୍କୁ ହତ୍ୟା କରିଛନ୍ତି । ଏଭଳିସ୍ଥିତିରେ ଅନେକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଓ ସଂଖ୍ୟାଲଘୁ କାଶ୍ମୀର ଛାଡ଼ିବା ଲାଗି ବାଧ୍ୟ ହେଉଛନ୍ତି ।