ବରୀ୨୫/୧୦(ରତ୍ନଗିରି ନ୍ୟୁଜ) :ବିଭିନ୍ନ ବର୍ଗର କର୍ମଚାରୀମାନଙ୍କୁ ରାଜ୍ୟ ସରକାର ନିୟମିତ କରୁଥିବାବେଳେ ଦୀର୍ଘ ୧୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା ଗ୍ରାମ ରୋଜଗାର ସେବକ(ଜିଆରଏସ୍)ମାନଙ୍କୁ ସ୍ଥାୟୀ କରିବା ନେଇ ସରକାର କୌଣସି ବିଧିବଦ୍ଧ ଘୋଷଣା କରୁନଥିବାରୁ ଜିଲ୍ଲା ସଂଘ ପକ୍ଷରୁ କ୍ଷୋବ ପ୍ରକାଶ ପାଇଛି । ଗତ ରବିବାର ଦିନ ଯାଜପୁର ବ୍ଲକ୍ ଅର୍ନ୍ତଗତ ଉପର ବରୁଆଁ ପଞ୍ଚାୟତର ତାରାଦେବୀ କଲ୍ୟାଣମଣ୍ଡପ ପରିସରରେ ଯାଜପୁର ଜିଲ୍ଲା ଜିଆରଏସ୍ ସଂଘର ବୈଠକ ସଭାପତି ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ଜିଆରଏସ୍ମାନଙ୍କୁ ରାଜ୍ୟ ସରକାର ଯଥାଶୀଘ୍ର ସ୍ଥାୟୀ କରନ୍ତୁ ବୋଲି ଦାବି ହୋଇଥିଲା । ଆଗାମୀ ଦିନରେ ଦରକାର ପଡିଲେ ସଂଘ ରାଜରାସ୍ତାକୁ ଆସି ସରକାରଙ୍କ ନିକଟରେ ନିଜର ନାର୍ଯ୍ୟଦାବି ଉପସ୍ଥାପନ କରିବ । ତେବେ ରାଜ୍ୟ ସଂଘ ଜିଆରଏସ୍ମାନଙ୍କର ସ୍ଥାୟୀ ନିଯୁକ୍ତି ନେଇ ସରକାରଙ୍କ ନିକଟରେ ଯେଉଁ ସବୁ ଦାବି କରୁଛି କିମ୍ବା ଆଗାମୀ ଦିନରେ କରିବ ତାହାକୁ ଜିଲ୍ଲା ସଂଘ ସଂପୂର୍ଣ୍ଣ ସଂଯୋଗ କରିବ ବୋଲି ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ବୈଠକ ପରିପ୍ରେକ୍ଷୀରେ ସଂଘର ନୂତନ କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇ ରାଜ୍ୟ ସଂଘର ଅବଗତି ନିମନ୍ତେ ଜଣାଇବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରସ୍ତାବ ଅନୁଯାୟୀ ସର୍ବସମ୍ମତ କ୍ରମେ ଅଜୟ କୁମାର ଜେନା(ସଭାପତି),ରଂଜନ ଗୁରୁ(ଉପସଭାପତି), ବିଜୟ କୁମାର ବସ୍ତିଆ(ସମ୍ପାଦକ), କବି ପାଗଡ (ସଂଗଠନ ସମ୍ପାଦକ) ଓ କ୍ଷୀରୋଦ କୁମାର କର(କୋଷାଧ୍ୟକ୍ଷ) ମନୋନିତ ହୋଇଥିବାବେଳେ ଅନାମ ଚରଣ ମହାରଣା, ବିକାଶ ଚନ୍ଦ୍ର ରାଉତ, ପ୍ରସନ୍ନଜିତ୍ ବରାଳ, ପବିତ୍ର କୁମାର ନାୟକ, ରବିନାରାୟଣ ନାୟକ, ଦିଲ୍ଲିପ କୁମାର ପରିଡା, ନିଂରଜନ ମହାକୁଡ, ପ୍ରଭାକର ପଣ୍ଡା, ଉମାକାନ୍ତ ବାରିକ ଓ ପ୍ରଭାତ କୁମାର ମହାନ୍ତିଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟଭାବେ ଗ୍ରହଣ କରାଯାଇଥିଲା । ଆଗାମୀ ଦିନରେ ସମସ୍ତ ବ୍ଲକ୍ ସ୍ତରରେ ସଂଘର ବୈଠକ କରାଇବା ପାଇଁ ସଭାପତି ଶ୍ରୀ ଜେନା ପରାମର୍ଶ ଦେଇଥିଲେ ।
ଜିଲ୍ଲା ସମ୍ପାଦକ ବିଜୟ କୁମାର ବସ୍ତିଆ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିବାବେଳେ ଜିଲ୍ଲା କୋଷାଧ୍ୟକ୍ଷ କ୍ଷୀରୋଦ କୁମାର କର ସଭାପତିଙ୍କ ସମେତ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।