ବରୀ(ରତ୍ନଗିରି ନ୍ୟୁଜ୍ ) : ପ୍ରବୀଣ ରାଜନେତା, ସମାଜସେବୀ, ବରୀ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଗଗନ ବିହାରୀ ଜେନାଙ୍କ ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ଧରି କରୋନାରେ ପିଡିତ ଥିଲେ । ସେ ପିଲାଟି ଦିନରୁ ରାଜନୀତି ପ୍ରତି ଆକୃଷ୍ଟ ହେବା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଖୁବ୍ ନିକଟତର ଥିଲେ l ଯେତେବେଳେ ଶ୍ରୀ ଜେନାଙ୍କୁ କଂଗ୍ରେସରୁ ବିଦା କରାଯାଇଥିଲା ଏହାର ପ୍ରତିବାଦରେ ଗଗନ ମଧ୍ୟ କଂଗ୍ରେସ ଦଳରୁ ଇସ୍ତପାଂ ଦେଇଥିଲେ । କିନ୍ତୁ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେଇନଥିଲେ । କେବଳ ରାଜନୀତି ନୂହେଁ ବିଭିନ୍ନ ସାମାଜିକ,ସାଂସ୍କୃତିକ ଅନୁଷ୍ଠାନ ସହିତ ମଧ୍ୟ ସେ ଓତଃପ୍ରୋତ ଭାବେ ଜଡିତ ଥିଲେ । ଯୁବ ଅବସ୍ଥାରେ ରାଜନିତିରେ ପାଦ ଦେଇ ବରୀ ବ୍ଲକର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ବେଶ ପ୍ରତିଷ୍ଠା ପାଇଥିଲେ । ଅନେକ ସମୟରେ ବରୀ ଅଂଚଳର ମୌଳିକ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରି ସେ ସବୁ ସମୟରେ ଚର୍ଚ୍ଚାରେ ରହି ଆସିଥିଲେ । କଂଗ୍ରେସ ଦଳରେ ଥିବା ସମୟରେ ତାଙ୍କର କାର୍ଯ୍ୟଦକ୍ଷତା ଓ ଉପଯୁକ୍ତ ନିଷ୍ପତ୍ତି ପାଇଁ ଭାରତୀୟ ଜାତୀୟ କଂଗ୍ରେସର ଆଗଧାଡିର ଯୋଦ୍ଧା ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେଥିପାଇଁ ତାଙ୍କୁ କଂଗ୍ରେସ ବରୀର ବିଧାୟକ ପ୍ରାର୍ଥୀ ଭାବେ ମଧ୍ୟ ଚୟନ କରିଥିଲା । ଗତକାଲି ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ବରୀ ବିଧାୟିକା ସୁନନ୍ଦା ଦାସ, କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲାପରିଷଦ ସଭ୍ଯ ଅଶୋକ କୁମାର ସାମଲ, କଂଗ୍ରେସ ମୁଖପାତ୍ର ମନୋଜ କୁମାର ମହାପାତ୍ର, ଚନ୍ଦନପୁର ସରପଞ୍ଚ ତଥା ବରୀ ବିଜେଡି ସଭାପତି କେଦାର ସାମଲଙ୍କ ସମେତ ବରୀର ବହୁ ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Related Stories
December 1, 2024