ଭୁବନେଶ୍ବର (ରତ୍ନଗିରି ନ୍ୟୁଜ) : ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ନଭେମ୍ବର ପହିଲାରେ ଭୁବନେଶ୍ବରର କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ତେବେ ସେଠାରେ ଚିକିତ୍ସିତ ହେଉଥିବା ସମୟରେ ଶ୍ରୀ ମହାନ୍ତିଙ୍କ ବିୟୋଗ ଭୋର ୩.୨୫ରେ ହୋଇଛି ବୋଲି ହସ୍ପିଟାଲର ଲୋକସଂପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବର୍ଗତ ମହେଶ୍ବର ମହାନ୍ତି ୧୯୫୬ ମସିହା ଫେବ୍ରୁଆରି ୨୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିବା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଲଏଲବି ଅଧ୍ୟୟନ କରିଥିଲେ । ପେସାରେ ଆଇନଜୀବୀ ଥିଲେ ମହେଶ୍ବର। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ବର ମହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀକୁ ପ୍ରତିନିଧିତ୍ବ କରି ଆସୁଥିଲେ ମହେଶ୍ବର । ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳି ଥିଲେ । ୨୦୧୧ ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ସେ। ପଞ୍ଚାୟତିରାଜ, ରାଜସ୍ୱ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି l
Related Stories
December 1, 2024
November 25, 2024