ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ):- ନୂଆ ଦିଲ୍ଲୀର ମିଳିତ ସହଯୋଗରେ ‘ଫକୀରମୋହନ:ନବ ଜାଗୃତି ପୁରୁଷ’ ଶୀର୍ଷକ ଏକ ନଭସଂଚାରୀ ଆଲୋଚନାଚକ୍ର ଆୟୋଜିତ ହେଇଯାଇଛି । ଶାନ୍ତି ନିକେତନର ଓଡ଼ିଆ ବିଭାଗର ଅଧ୍ୟାପକ ତଥା ଫକୀରମୋହନ ଫାଉଣ୍ଡେସନ ଓଡ଼ିଶା ଶାଖାର ମହାସଚିବ ଡ. ରବୀନ୍ଦ୍ର କୁମାର ଦାସ ଅତିଥି ପରିଚୟ ପ୍ରଦାନ ସହିତ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଞ୍ଚାଳନ କରିଥିଲେ । ଫକୀରମୋହନଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ । ଏଥିରେ ଉଦ୍ଘାଟକ ଭାବେ ମାନନୀୟ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଯୋଗ ଦେଇ ଫକୀରମୋହନ ସେନାପତିଙ୍କ ବହୁବିଧ ବ୍ୟକ୍ତିତ୍ଵ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାରେ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ କିଭଳି କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ଠାରୁ ଏ ପର୍ଯ୍ୟନ୍ତ ସ୍ବତନ୍ତ୍ର ଭାବେ ଓଡ଼ିଆ ବିଷୟରେ ତାଲିମ ପାଇ ନଥିବା ଖେଳ ଶିକ୍ଷକ, ଇଂରାଜୀ ଶିକ୍ଷକ, କିରାଣୀ ଆଦି ମାତୃଭାଷା ଓଡ଼ିଆ ପଢାନ୍ତି, ତାହା ଆଲୋଚିତ ହୋଇଥିଲା । କାନ୍ସା କେନ୍ଦ୍ର, ଟରୋଣ୍ଟୋ, କାନାଡ଼ାର ମହା ନିର୍ଦ୍ଦେଶିକା ଡ. ସୁନନ୍ଦା ମିଶ୍ର ପଣ୍ଡାଙ୍କ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ତତ୍ପରେ ଫକୀରମୋହନ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଡ. ମନିକା ଦାସଙ୍କ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେବା ସହିତ ସାମ୍ପ୍ରତିକ ଯୁବପିଢି କିଭଳି ଦେଶ ଓ ଦଶର ମାନଦଣ୍ଡ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । କିସ୍ ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଚେୟାର ପ୍ରଫେସର ଡ. ବିଜୟାନନ୍ଦ ସିଂହ ଫକୀରମୋହନଙ୍କ ଗଳ୍ପ ସାହିତ୍ୟରେ କିଭଳି ନବଜାଗୃତିର ସ୍ବର ଅନୁରଣିତ ତାହା ଚର୍ଚ୍ଚା କରିଥିଲେ । ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ପ୍ରଫେସର ଦାସ ବେନହୁର ତାଙ୍କ ବକ୍ତବ୍ୟରେ ଫକୀରମୋହନଙ୍କ ପ୍ରାରମ୍ଭିକ ଲେଖକୀୟତା ଠାରୁ ଆରମ୍ଭ କରି ୧୯୧୮ ପର୍ଯ୍ୟନ୍ତ ବହୁବିଧ ଦିଗନ୍ତ ଉନ୍ମୋଚନ କରିଥିଲେ । ଭାରତ ସରକାରଙ୍କ ପୂର୍ବତନ ସ୍ବାସ୍ଥ୍ୟ ସଚିବ କଥାକାର ଶ୍ରୀ ପ୍ରସନ୍ନ କୁମାର ହୋତାଙ୍କ ବକ୍ତବ୍ୟରେ ଫକୀରମୋହନଙ୍କ ପ୍ରାଶାସନିକ ଜୀବନର କଥା ଉଲ୍ଲେଖିତ ହେଇଥିଲା । ଲରେନ୍ସିଆନ୍ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ନିରଞ୍ଜନ ମିଶ୍ରଙ୍କ ବକ୍ତବ୍ୟ ଅତ୍ୟନ୍ତ ସଂକ୍ଷିପ୍ତ ଏବଂ ସାରଗର୍ଭକ ଥିଲା । ଆଲୋଚନା ଶେଷରେ ପ୍ରଶ୍ନୋତ୍ତରୀ ତଥା ଗଠନମୂଳକ ମନ୍ତବ୍ୟ ଦେଣନେଣ ପର୍ବ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଅନ୍ତିମ ନିଷ୍କର୍ଷ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ କାନ୍ସାର ଉପଦେଷ୍ଟା ପ୍ରଫେସର ଡ. ତନ୍ମୟ ପଣ୍ଡା । ଏହି କାର୍ଯ୍ୟକ୍ରମରେ ଦୁବାଇ, ଟେକ୍ସାସ, ଆମେରିକା, ଦିଲ୍ଲୀ, କାନାଡ଼ା ପ୍ରଭୃତି ପୃଥିବୀର ବିଭିନ୍ନ ସହରରୁ ଅନେକ ଦର୍ଶକ ଯୋଗ ଦେଇଥିଲେ ।
Related Stories
October 2, 2024