କୋଦଳା (ରତ୍ନଗିରି ନ୍ୟୁଜ ) :-ନିଜ ଅଞ୍ଚଳର ରାସନ୍ ପାଉଥିଲେ ହିତାଧିକାରୀ, କୌଣସି କାରଣ ନଥାଇ ଡିଲରଙ୍କୁ ରାସନ ବଣ୍ଟନରୁ ବାଦ୍ ଦିଆଗଲା। ଦୀର୍ଘ ୨ କିଲୋମିଟର ଦୂରରୁ ଅନ୍ୟ ଡିଲର୍ ଙ୍କଠାରୁ ରାସନ୍ ଆଣିବାକୁ ପଠାଉଛି ପ୍ରଶାସନ। ଯାହାକୁ ନେଇ ତାତିଛନ୍ତି ହିତାଧିକାରୀ ।ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୋମବାର ଘଟଣାକୁ ନେଇ ଶତାଧିକ ମହିଳା ହିତାଧିକାରୀ ଏନଏସି ଘେରିବା ସହ ତୁରନ୍ତ ନିଜ ଅଞ୍ଚଳର ଡ଼ିଲର ଙ୍କ ମାଧ୍ୟମରେ ରାସନ୍ ଦେବାକୁ ଦାବି କରିଛନ୍ତି। ସେପଟେ କୌଣସି ଅଭିଯୋଗ ନଥାଇ କାହିଁକି ଡିଲର୍ ଙ୍କୁ ଦାୟିତ୍ବରୁ ହଟାଗଲେ ତହସିଲଦାର ତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ? ଯାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଘଟଣା ପଛରେ ଲୁଚି ରହିଛି କି ରାଜନୈତିକ ଷଡଯନ୍ତ୍ର? ନିଜ ଅଞ୍ଚଳରେ କିଭଳି ସୁରୁଖୁରୁରେ ଲୋକଙ୍କୁ ରାସନ୍ ଯୋଗାଇ ଦିଆଯିବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ କାହିଁକି ସରକାରଙ୍କ ନିୟମକୁ ଅଣଦେଖା କରୁଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ? ଶତାଧିକ ମହିଳା ହିତାଧିକାରୀ ଏନଏସି ଘେରିବା ଏବଂ ନିର୍ବାହୀ ଅଧିକାରୀଣୀଙ୍କୁ କୈଫିୟତ ମାଗିବାକୁ ଆସିଥିବା ବେଳେ ଲୋକଙ୍କ ନିକଟକୁ କାହିଁକି ଆସିଲେନି ନିର୍ବାହୀ ଅଧିକାରୀଣୀ? ଏପରିକି ମହିଳା ମାନେ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ତହସିଲଦାର ମ୍ଯାଡମଙ୍କ ଦେଖା ମିଳି ନ ଥିଲା। ଏହାକୁ ନେଇ ଅସନ୍ତୋଷର ନିଆଁ କୁହୁଳୁଥିବା ବେଳେ ତହସିଲଦାର ତଥା କାର୍ଯ୍ଯ ନିର୍ବାହୀ ଅଧିକାରୀଣୀଙ୍କ ବାସଭବନ ଘେରାଉ କରିବା ପାଇଁ ସଜବାଜ ହେଉଥିବା କହିଛନ୍ତି ମହିଳା ହିତାଧିକାରୀ।
ରିପୋର୍ଟ :-ରଂଜିତ କୁମାର ପୋଲାଇ