ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ। ସୂଚନା ଅନୁସାରେ ସୂର୍ଯ୍ୟ ପାତ୍ର ଆଜି ସନ୍ଧ୍ୟାରେ ଅଚାନକ ଗୁରୁତର ହୋଇଥିଲେ। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ସୂର୍ଯ୍ୟ ନାରାୟଣ ପାତ୍ର ଗଂଜାମ ଜିଲ୍ଲା ଦିଗପହଣ୍ଡି ଓ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ ୭ ଥର ବିଧାୟକ ହୋଇଥିଲେ। ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଥିଲେ। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ଦେଖାଇଥିଲେ। ଷୋଡ଼ଶ ବିଧାନସଭାରେ ସେ ୨୦୧୯ ଜୁନ୍ ୧ରୁ ୨୦୨୨ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ଗଂଜାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ଥିଲେ। ତୃଣମୂଳ ସ୍ତରରେ ସେ ଜଣେ ଭଲ ସଂଗଠକ ଥିଲେ। ତାଙ୍କର ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି।
Related Stories
November 8, 2024