କଳାହାଣ୍ଡି(ରତ୍ନଗିରି ନ୍ୟୁଜ) :-ବଦଳିଛି କଳାହାଣ୍ଡିର ଚିତ୍ର,ସବୁ କ୍ଷେତ୍ରରେ କଳାହାଣ୍ଡି ଆଜି ସଫଳତାର ସହିତ ଆଗେଇ ଚାଲିଛି l ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ ଯୋଗୁ ଆଜି ଜିଲ୍ଲାର ୬୮ ପ୍ରତିଶତ ଜମିରେ ଜଳସେଚନର ସୁବିଧା ମିଳୁଛି । କଳାହାଣ୍ଡିର ଚାଷୀ ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି। ଜିଲ୍ଲାର ଧାନ ଉତ୍ପାଦନ ୭୪ ଲକ୍ଷ ଟନରେ ପହଞ୍ଚିବା ବେଳେ, ମାଛ ଉତ୍ପାଦନରେ ଜାତୀୟ ପୁରସ୍କାର ମଧ୍ୟ ଜିଲ୍ଲା ପାଇପାରିଛି ।
କପା ଉତ୍ପାଦନରେ କଳାହାଣ୍ଡି ସାରା ରାଜ୍ୟରେ ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କହିଛନ୍ତି l ସ୍ମାର୍ଟ ହେଲ୍ଥ କାର୍ଡ ଦ୍ଵାରା ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ପ୍ରାୟ ୮୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ l ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଜିଲ୍ଲାର ପ୍ରତି ଗାଁକୁ ପାଇପ ପାଣି ଯୋଗାଇ ଦେବା ପାଇଁ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ ଜାରି ରହିଛି ବୋଲି ସେ କହିଥିଲେ । ବିଜୁ ଏକ୍ସପ୍ରେସ ୱେ ହେଉ, ଭବାନୀପାଟଣା ବାଇପାସ୍, ଭବାନୀପାଟଣା-ରାୟଗଡା ରାସ୍ତା କାମ, ବିଭିନ୍ନ ଗ୍ରୀଡ ସବ୍ଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମ – ଏମିତି ସବୁ କ୍ଷେତ୍ରରେ କଳାହାଣ୍ଡି ବେଶ୍ ସଫଳତାର ସହ ଆଗେଇ ଚାଲିଛି ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ନୀତି ଆୟୋଗର ମାନ୍ୟତା ମଧ୍ୟ ପାଇଛି ।
ଏଥିସହିତ କଳାହାଣ୍ଡି ଆଜି ଏକ ବିଶିଷ୍ଟ ଶିକ୍ଷାକେନ୍ଦ୍ର ହୋଇପାରିଛି । କଳାହାଣ୍ଡି ୟୁନିଭରସିଟି, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ କୃଷି ମହାବିଦ୍ୟାଳୟ ଆଜି କଳାହାଣ୍ଡିର ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । କଳାହାଣ୍ଡିରେ 100 ଆସନ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇ କୃଷି ଓ ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ରାଜ୍ୟର ଏକ ଆଗୁଆ ଜିଲ୍ଲା ହୋଇପାରିଛି ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ନର୍ଲାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବା ସୂଚନା ମିଳିଛି l