ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ)୨୦/୦୧ : ଜାତୀୟ ପରିସଂଖ୍ୟାନ (ଏନଏସଓ)ର ସଦ୍ୟତମ ରିପୋର୍ଟ ଅନୁଯାୟୀ ଓଡ଼ିଶାର କୃଷକମାନଙ୍କ ଆୟ ଦେଶରେ ତଳଆଡୁ ଦ୍ୱିତୀୟ । ଏକଥାକୁ ଅନୁଶୀଳନ କରାଗଲେ ଜଣାଯାଏ ଯେ, ଓଡ଼ିଶା ସରକାର କୃଷି ଏବଂ କୃଷକର ଉନ୍ନତି ପାଇଁ ସେପରି କିଛି ଠୋସ ପଦକ୍ଷେପ ନେଇନାହାନ୍ତି । ଆଜି ବି ଓଡ଼ିଶାରେ ଧାନମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବେହାଲ୍ । ପରିସ୍ଥିତି ଏପରି ହୋଇଛି ଯେ, ଧାନକୁ ମିଲ୍ରେ ପେସି ଚାଉଳ ତିଆରି କରି ସରକାରଙ୍କୁ ଦେବା ବ୍ୟକ୍ତି (ମିଲର) ହାତରେ ମଣ୍ଡିର ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଜିଲ୍ଲାପାଳମାନେ ନାଚାର ଏବଂ ଉପାୟଶୂନ୍ୟ । ମିଲ୍ମାଲିକ ଏବଂ ଯୋଗାଣ ବିଭାଗ ମଧୁଚନ୍ଦ୍ରିକା ଏବଂ ରାଜ୍ୟର କିଛି ନ୍ୟସ୍ତ ସ୍ୱାର୍ଥ ଅଧିକାରୀଙ୍କର ବୃହତର ସ୍ୱାସ୍ଥ୍ୟସାଧନ ନିକଟରେ ବନ୍ଧା ପଡିଛି ଓଡ଼ିଶାର ଧାନମଣ୍ଡି । ତୁଣ୍ଡ ଝାଳ ମୁଣ୍ଡରେ ମାରି ଓଡ଼ିଶାର ଚାଷୀକୁଳ କୀଟପତଙ୍ଗ ବା ବାର୍ହା ଓ ହାତୀଙ୍କ ଉପଦ୍ରବ୍ୟରୁ ନିଜର ଫସଲ ରକ୍ଷା କରି ଧାନମଣ୍ଡିକୁ ବିକ୍ରୟ କରିବାକୁ ଆସି ମଣ୍ଡିରେ ଫସି ରହିଛି । ମିଲରର୍ସଙ୍କ ମନମାନୀ ଏବଂ ଟାଳଟୁଳନୀତି ଯୋଗୁଁ ଧାନ କ୍ୱିଂଟାଲ ପ୍ରତି ୫କିଗ୍ରା ରୁ ୧୦କିଗ୍ରା କଟନୀ ଛଟନୀର ଶିକାର ହେଉଛି ଚାଷୀ । ଏଠାରେ କୀଟପତଙ୍ଗ ବାର୍ହା ଓ ହାତୀଙ୍କ ଉପଦ୍ରବ୍ୟଠାରୁ ମିଲର ଏବଂ ଯୋଗାଣ ବିଭାଗ ଅଧିକାରୀଙ୍କ ଦୌରାତ୍ମ୍ୟ ସବୁଠାରୁ ବଳି ଯାଇଛି ବୋଲି ବିଜେପି କୃଷକମୋର୍ଚ୍ଚା ଅଭିଯୋଗ କରିଛି ।
କୃଷକମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ଏକ ପ୍ରେସ ବାର୍ତାରେ କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରତିବର୍ଷ ଉତ୍ପାଦନ ମୂଲ୍ୟର ଦେଢ଼ଗୁଣା ଏମ୍ଏସପି ବୃଦ୍ଧି କରୁଛନ୍ତି । ୨୦୧୪ମସିହାରୁ କେନ୍ଦ୍ରରେ ମୋଦୀ ସରକାର ଦାୟିତ୍ୱ ନେବାଠାରୁ ୧୩୬୦ଟଙ୍କାରୁ ଏମଏସପି ବୃଦ୍ଧି ୨୦୪୦ଟଙ୍କାରେ ପଂହଚିଛି । ମାତ୍ର ରାଜ୍ୟ ସରକାରଙ୍କର ଅତ୍ୟଧିକ ମିଲର୍ସପ୍ରୀତି କାରଣରୁ ଚାଷୀକୁ ମଧ୍ୟ ସେତିକି ପ୍ରାପ୍ୟ ଠିକରେ ମିଳିପାରୁ ନାହିଁ । ରାଜ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଲପିସି ମିଟିଂ ବସିପାରୁ ନାହିଁ । ଟୋକନ ଏବଂ ମିଲର ଆବଟଂନ ପ୍ରସଙ୍ଗ ଯାହା ଜିଲ୍ଲାପାଳଙ୍କ କ୍ଷମତା ପରିସରଭୁକ୍ତ ଥିଲା, ଆଜି ରାଜ୍ୟ ସରକାର ନିଜର ବୃହତର ସ୍ୱାର୍ଥସାଧନ ପାଇଁ ସେହି ବ୍ୟବସ୍ଥାକୁ ଜିଲ୍ଲାପାଳଙ୍କ ହାତରୁ କାଢ଼ିନେଇ ରାଜ୍ୟ ଯୋଗାଣସଚିବଙ୍କ ହାତରେ ରଖିଛନ୍ତି । ଯଦ୍ୱାରା ଏହାର ସ୍ୱଚ୍ଛତା ରହୁନାହିଁ ଏବଂ ଚାଷୀ ନ୍ୟାୟ ପାଇଁ ରାଜ୍ୟ ରାଜଧାନୀକୁ ଦୌଡି ପାରୁନାହିଁ । ଏପରି ବ୍ୟବସ୍ଥାରେ ଧାନ ବ୍ରିକି ପାଇଁ ଟୋକନ ପାଇଥିବା ଚାଷୀର ତାଲିକା ମଣ୍ଡି କାନ୍ଥରେ ସାର୍ବଜନୀନ କରାଯାଉନାହିଁ । ମଣ୍ଡିରେ ପ୍ରିୟାପ୍ରତୀ କାରଣୁ ଚାଷୀ ଠିକଣା ସମୟରେ ଧାନ ବିକ୍ରି କରିପାରୁ ନାହିଁ ଫଳରେ ତାର ଟୋକନ ରଦ୍ଦ ହେଉଛି ବୋଲି ଶ୍ରୀ ମଙ୍ଗରାଜ ଜଣାଇଛନ୍ତି ।
ମଣ୍ଡି ବିଳମ୍ବରେ ଖୋଲୁଥିବାରୁ ଅନେକ କ୍ଷୁଦ୍ର ଚାଷୀ ନିଜର ଆବଶ୍ୟକତା ମେଂଟାଇବା ପାଇଁ ଦଲାଲ ଏବଂ ବାହାର ବେପାରୀଙ୍କୁ ୧୨ଶହ ଟଙ୍କାରୁ ୧୪ଶହ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ମିଲର ଚାଷୀଙ୍କୁ ଅଖା ଦେଉନାହିଁ, ଚାଷୀର ପରିବହନ ଅର୍ଥ ଏବଂ ପାରିଶ୍ରମିକ ଅର୍ଥ ଦେବା ପରିବର୍ତେ ଚାଷୀଙ୍କୁ ଅଧିକନ୍ତୁ ଖର୍ଚ୍ଚାନ୍ତ କରାଇ ନିଜର ମିଲ୍ ପର୍ଯ୍ୟନ୍ତ ଧାନ ଆଣିବା ପାଇଁ ବାଧ୍ୟ କରୁଛନ୍ତି । ଏଫଏକ୍ୟୁ ମାନର ଧାନ ମାପିବା ପାଇଁ ମଣ୍ଡିକୁ ସରକାର ଯନ୍ତ୍ରପାତି ଯୋଗାଇ ଦେଉଥିବାବେଳେ, ଉପଯୁକ୍ତ ବୈଷୟିକ ତାଲିମପ୍ରାପ୍ତ ଅଧିକାରୀ ନଥିବାରୁ ଧାନର ମାନ ନିର୍ଣ୍ଣୟ କରାଯାଇପାରୁ ନାହିଁ । ଯାହାଫଳରେ ଆଳ ଦେଖାଇ କଟନି ଛଟନି ବାଧ୍ୟତାମୂଳକ କରାଯାଉଛି ବୋଲି ଶ୍ରୀ ମଙ୍ଗରାଜ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାର ବିଶ୍ୱକପ୍ ହକି ଆୟୋଜନ କରି ବାହା ବାଃ ନେବାରେ ବ୍ୟସ୍ତ ଥିବାବେଳେ ହଜାର ହଜାର ଚାଷୀ ସେମାନଙ୍କର ଧାନବସ୍ତାକୁ ରାଜରାସ୍ତାରେ ରଖି ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ତାଙ୍କ ଦୁଃଖ ବୁଝିବା ପରିବର୍ତେ ପୋଲିସ ଲଗାଇ ସେମାନଙ୍କୁ ହଟାଇବାର ବ୍ୟବସ୍ଥା କରୁଛନ୍ତି । ଏହା ଓଡ଼ିଶା ସରକାରଙ୍କର ଅପାରଗତା ଏବଂ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜେପି କୃଷକମୋର୍ଚ୍ଚା କହିଛି ।
ଏଠାରେ ପ୍ରକାଶଥାଉ କି, ମିଲରର ଦାଦାଗିରି ଏବଂ ମଣ୍ଡିରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ଗତ ସପ୍ତାହରେ ବିଜେପି କୃଷକମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ଭିଜିଲାନ୍ସ ଡିଜିଙ୍କୁ ଭେଟି ମିଲର୍ସର ମିଲ୍, ଧାନ ଗାଡି ଏବଂ ମଣ୍ଡିକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛି । ରାଜ୍ୟ ସରକାର ତୁରନ୍ତ ଧାନମଣ୍ଡି ବ୍ୟବସ୍ଥାର ସୁଧାର ଆଣି ମିଲର୍ସଙ୍କ କବଜାରୁ ମଣ୍ଡିକୁ ମୁକ୍ତ କରିବା ସହ ସମସ୍ତ ଚାଷୀଙ୍କର ସବୁଧାନକୁ କେନ୍ଦ୍ର ସରକାର ଦେଉଥିବା ଏମଏସପି(୨୦୪୦) ଦରରେ କିଣିବା ପାଇଁ କୃଷକମୋର୍ଚ୍ଚା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି । ଯଦି ଏହି ବ୍ୟବସ୍ଥାର ସୁଧାର ନଆସେ ତେବେ କୃଷକମୋର୍ଚ୍ଚା ତରଫରୁ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହାତକୁ ନିଆଯିବ ବୋଲି ଶ୍ରୀ ମଙ୍ଗରାଜ ଜଣାଇଛନ୍ତି ।
Related Stories
December 1, 2024
November 25, 2024