ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯିବ।
୨୦୨୩ ମସିହାରେ ‘ଟାଇମପାସ୍’ ପ୍ରକାଶନୀ ଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ।
ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

ଏଥର ଶାରଳା ପୁରସ୍କାର ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟର ପୁସ୍ତକଗୁଡ଼ିକ ଥିଲା ଦେବଦାସ ଛୋଟରାୟଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’, ଅପର୍ଣ୍ଣା ମହାନ୍ତିଙ୍କ କବିତା ସଂକଳନ ‘ଅପର୍ଣ୍ଣା ମହାନ୍ତିମାନଙ୍କ ପାଇଁ କବିତା’, ମମତା ଦାଶଙ୍କ କବିତା ସଂକଳନ ‘ଭୂମି ସ୍ପର୍ଶ’, ପଦ୍ମଜ ପାଳଙ୍କ ଉପନ୍ୟାସ ‘ସୀତା ମୁଁ ସୀତା’, ପଦ୍ମଜ ପାଳଙ୍କ ଗଳ୍ପ ସଂକଳନ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ କବିତା ସଂକଳନ ‘ବିଶ୍ୱାସ ଦେ ପୃଥ୍ୱୀ’, ବିଜୟ କୁମାର ଶତପଥୀଙ୍କ ନାଟକ ‘ଅନ୍ଧାରର ବିଭୀଷିକା’। ପ୍ରାଥମିକ ପୁସ୍ତକଚୟନ ମଣ୍ଡଳୀରେ ଦୁର୍ଗାପ୍ରସାଦ ପଣ୍ଡା, କୃଷ୍ଣକୁମାର ମହାନ୍ତି, ପବିତ୍ରମୋହନ ଦାଶ, ଶ୍ରୀଦେବ, ଶକ୍ତି ମହାନ୍ତି ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ପ୍ରକାଶ ମହାପାତ୍ର, ପବିତ୍ର ପାଣିଗ୍ରାହୀ, ଧନଞ୍ଜୟ ସ୍ୱାଇଁ, ପାରମିତା ଶତପଥୀ, ସୁସ୍ମିତା ବାଗ୍ଚୀ, ପ୍ରବୀଣା ମହାନ୍ତି ଏବଂ ସୂର୍ଯ୍ୟ ମିଶ୍ର।



