ବରୀ(ରତ୍ନଗିରି ନ୍ୟୁଜ) : ବରୀ ମାଟି ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ମାଟି । ଏ ମାଟିର ଇତିହାସ ଗାରିମାମୟ । ଏ ମାଟିର ସଂଗ୍ରାମୀ ସ୍ୱାଧିନ ଭାରତ ପାଇଁ ଗର୍ବ । ଏ ଅଞ୍ଚଳରେ ଥିବା ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଅହିଂସାର ମୁକସାକ୍ଷୀ ହୋଇଥିବାବେଳେ ବିଦଗ୍ଧ କବି ଅଭିମନ୍ୟୁଙ୍କ ଜନ୍ମପୀଠ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିବାନେଇ ପ୍ରମାଣ ଦିଏ । ଏହି ମାଟିରେ ଥିବା ଶହୀଦପୀଠ ଦେଶପ୍ରେମ ପାଇଁ ସଂଗ୍ରାମୀମାନଙ୍କର ଆତ୍ମବଳୀର ନିଦର୍ଶନ । ମାତୃମଙ୍ଗଳ, ସେବାଘର, ରମାଦେବୀ-ଗୋପବନ୍ଧୁ ଆଶ୍ରମ ଇତିହାସର ଅନେକ କଥା ପ୍ରକାଶ କରେ ବୋଲି ଦିନିକିଆ ବରୀ ଗସ୍ତରେ ଆସି ରାଜ୍ୟ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।
ଗୁରୁବାର ସକାଳେ ବରୀ ବିଧାୟିକା ସୁନନ୍ଦା ଦାସ ଓ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀଙ୍କ ସହ ସଂସ୍କୃତିମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଐତିହାସିକ ବିଶ୍ୱ ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିରେ ପହଂଚିବା ପରେ ଐତିହ୍ୟପୀଠ ପରିଦର୍ଶନ କରିଥିଲେ । ଏହି ସମୟରେ ରତ୍ନଗିରିର ମାହାତ୍ମ୍ୟ ବିଶ୍ୱ ବିଦିତ ବୋଲି କହିବା ସହ ବିଭିନ୍ନ ବୌଦ୍ଧ କୀର୍ତିରାଜି ମଧ୍ୟରେ ଏହା ରତ୍ନସଦୃଶ ବୋଲି ସେ କହିଥିଲେ । ଏହି ଅବସରରେ ଲର୍ଡ ବୁଦ୍ଧ ଆର୍ଟ ଗ୍ୟାଲେରୀକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ବିଧାୟିକା ଶ୍ରୀମତୀ ଦାସ ଜଳଛତ୍ର ବଂଟନ କରିଥିଲେ ।
ପରେ ମନ୍ତ୍ରୀ ଓ ସାଂସଦଙ୍କ ସହ ମହାକାଳ ମନ୍ଦିର ଦର୍ଶନ କରି ବିଦଗ୍ଧ କବି ଅଭିମନ୍ୟୁଙ୍କ ଜନ୍ମ ପୀଠକୁ ଗସ୍ତ କରିବା ସମୟରେ ଅଜାଣ ଠାରେ ଥିବା ଶହୀଦ ମାୟାଧର ଭୂୟାଁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ବିଦଗ୍ଧ କବିଙ୍କ ପୀଠ ପରିଦର୍ଶନ ସମୟରେ ଏହା ଏକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଥିବାବେଳେ ଆବଶ୍ୟକ ଶତାଧିକ ଏକର ଜମି କବିଙ୍କ ଦାୟାଦମାନେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଦାନ କରିଥିବା ସମ୍ପର୍କରେ ବିଧାୟିକା ଶ୍ରୀମତୀ ଦାସ ଉଭୟ ମନ୍ତ୍ରୀ ଓ ସାଂସଦଙ୍କୁ ଅବଗତ କରାଇ ପୀଠର ବିକାଶ ପାଇଁ ଆବଶ୍ୟକୀୟ ଆର୍ôଥକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ପରେ ଗୋଳକୁଣ୍ଡ ଯାଇ ଶହୀଦପୀଠ କଳାମାଟିଆ ଗସ୍ତ କରିଥିଲେ । ସେଠାରେ ସହୀଦ ପୀଠର ବିକାଶ ପାଇଁ କରାଯାଉଥିବା କାର୍ଯ୍ୟସ୍ଥଳି ପରିଦର୍ଶନ ସହ ମାତୃମଙ୍ଗଳ ପରିଦର୍ଶନ କରିଥିଲେ । ସାଂସଦ ଶ୍ରୀମତୀ ସେଠୀ ବରୀ ନିର୍ବାଚନ ମଣ୍ଡଳୀ ଏକ ଅନନ୍ୟ ନିର୍ବାଚନ ମଣ୍ଡଳୀ ଏହାର ସାଂସ୍କୃତିକ ଐତିହାସିକ ପୃଷ୍ଠ ଭୂମୀ ବେଶ୍ ସୁଦୃଢ । ଏଠାରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ ସଂସଦରେ ଦାବି ଉପସ୍ଥାପନ କରିବା ସହ କିଭଳି ଭାବେ ଅଧିକରୁ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳି ପାରିବ ସେ ନେଇ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ସାଂସଦ ପ୍ରକାଶ କରିଥିଲେ ।
ଏହି ଗସ୍ତ ସମୟରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବରୀ ବ୍ଲକ୍ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ବ୍ଲକ୍ ବିଜେଡି ସଭାପତି କେଦାର ସାମଲ, ଯୁବ ବିଜେଡି ସଭାପତି ରଂଜନ କୁମାର ପଣ୍ଡା, ପୂର୍ବତନ ସମିତିସଭ୍ୟ ପ୍ରଦୀପ ଘଡାଇ, ସରପଂଚ ସରଳା ମଲିକ, ରେବତୀ ଜେନା, ମାନସ କୁମାର ଜେନା, କୁନା ମଲିକ, ସମିତିସଭ୍ୟା ଜ୍ୟୋତିର୍ମୟୀ ବେହେରା, ସମିତି ସଭ୍ୟ ଶ୍ରୀଧର ସେଠୀ, ଚିନ୍ତାମଣୀ ଜେନା, ଆର୍ତବନ୍ଧୁ ସାମଲ, ବିଚିତ୍ରାନନ୍ଦ ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ବରୀ ଗସ୍ତ ସମୟରେ ବରୀର ସଂସ୍କୃତିପ୍ରେମୀ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।