ବରୀ ୨୬/୧୧(ରତ୍ନଗିରି ନ୍ୟୁଜ) : ଧର୍ମମାସ କାର୍ତ୍ତିକ । ବିଭିନ୍ନ ସ୍ଥାନରେ ଚାଲିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା । ଦେବାଳୟରେ ପଞ୍ଚୁକ ଅବସରରେ ଭକ୍ତମାନଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି । ଓଡ଼ିଆ ମାସମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ହୋଇଥିବାରୁ ଏଇ ମାସରେ ଅଧିକାଂଶ ଲୋକେ ଅମିଷ ବର୍ଜନ ସହ ପୂଜାର୍ଚ୍ଚନା କରିଥାନ୍ତି । ବଢି ଭୋର ସ୍ନାନ ସାରି ମନ୍ଦିର ଯାଇ ଦିଅଁ ଦର୍ଶନ କରିବା ସହ ଆଳତୀରେ ସାମିଲ ହୋଇଥାନ୍ତି । ଏହି ପରିପ୍ରେକ୍ଷୀରେ ବରୀ ବ୍ଲକ୍ର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ପଞ୍ଚାମୃତ, ଭଜନକିର୍ତ୍ତନ, ପ୍ରବଚନପାରାୟଣ ଆଦି ଅନୁଷ୍ଠିତ ହେଉଛି ।
ବାଲିଆ କଲେଜ ଛକ ନିକଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ପ୍ରତିକୃର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା ସହ ସପ୍ତା ଅନୁଷ୍ଠିତ ହେଉଛି । ଏହାର ନିକଟରେ ଭଗବାନ ଶ୍ରୀରାମଙ୍କର ବନବାସ ସମୟର ବିଭିନ୍ନ ଘଟଣାକୁ ନେଇ ସୁନ୍ଦର ପ୍ରତିମୃର୍ତ୍ତି ନିର୍ମାଣ କରାଯାଇଛି । ପ୍ରତେହ ସଂଧ୍ୟାରେ ଭଜନ, କିର୍ତ୍ତୀନ, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି । ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ସେହିପରି ହଳଦୀବସନ୍ତ, ସାହୁପଡ଼ା, ଧାରପୁର, ନାଥପୁର, କୁଶବଟ, ଯଁପଡା, ଇଶାଣପୁର, ଅରଙ୍ଗାବାଦ ସମେତ ବରୀର ବିଭିନ୍ନ ଜଗନ୍ନାଥମନ୍ଦିରରେ ମଧ୍ୟ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।