ବାଲିଗୁଡା,(ରତ୍ନଗିରି ନ୍ୟୁଜ)୨୫/୦୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଆଜକୁ କିଛି ଦିନ ହେବ ମଙ୍ଗୁଆଳବିହୀନ ହୋଇ ପଡିଛି l ଯଦ୍ୱାରା ଜନସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l କିଛି ମୁଷ୍ଟିମେୟ ବ୍ୟକ୍ତି ବ୍ଲକ ଉନୟନ ଅଧିକାରୀଙ୍କୁ ତୁମୁଡିବନ୍ଧ ଅଞ୍ଚଳରୁ ବଦଳି କରିବା ଉଦେଶ୍ୟରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ସେମାନଙ୍କ କଥାରେ ପ୍ରଶାସନ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଥିବା ରୀନା ପ୍ରଧାନଙ୍କୁ ତୁରନ୍ତ ବଦଳି କରିଦେଇଥିଲେ l ଶ୍ରୀମତୀ ପ୍ରଧାନଙ୍କୁ ବଦଳି କରିଦେଲେ ସତ ହେଲେ ତୁମୁଡିବନ୍ଧ ଅଞ୍ଚଳବାସୀଙ୍କ କାର୍ଯ୍ୟକୁ ତୁରାନ୍ୱିତ କରିବା ଲାଗି ଆଉ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କୁ ଆଣିବା ନିମନ୍ତେ ସମ୍ପୂର୍ଣ ଭୁଲି ଯାଇଛନ୍ତି l ବର୍ତମାନ ତୁମୁଡିବନ୍ଧ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଥିବା ହେତୁ ଅଞ୍ଚଳବାସୀଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିବାକୁ ପଡୁଛି l ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି ଲଃ ଗୋଷ୍ଠୀ ଉନ୍ନୟନ ଅଧିକାରୀ କେବେ ଆସିବେ? କିଏ ଆସିବେ? ପୁଣି କେବେ ଲୋକଙ୍କ କାମ ପୁଣିଥରେ କାର୍ଯ୍ୟକ୍ଷମ ହେବ ? କେଵଳ ସେତିକି ନୁହଁ ତୁମୁଡିବନ୍ଧ ଅଞ୍ଚଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନ ଥିବା ହେତୁ ଉକ୍ତ ଅଞ୍ଚଳରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନାହିଁ l ଯାହାର ଗୋଟିଏ ଉଦାହରଣ ହେଉଛି ତୁମୁଡିବନ୍ଧ ଅଞ୍ଚଳରେ ଥିବା ସମସ୍ତ ଡ୍ରେନ l ଏବେ ଡ୍ରେନ ଗୁଡିକରେ ଅଳିଆ ଆବର୍ଜନା ଜମା ହୋଇ ପଡ଼ି ରହିଛି l ଟିକେ ବର୍ଷା ହେଲେ ଡ୍ରେନରେ ଜମା ହୋଇଥିବା ସମସ୍ତ ଆବର୍ଜନା ରାସ୍ତାରେ ଗଡୁଛି l କେବଳ ସେତିକି ନୁହଁ ତୁମୁଡିବନ୍ଧ ବଜାରରେ ଶୌଚାଳୟ ନଥିବା ସାଙ୍ଗକୁ ପୁଣି ତୁମୁଡିବନ୍ଧ ବସଷ୍ଟାଣ୍ଡ ନିର୍ମାଣ ବହୁଦିନ ହୋଇଥିଲେ ବି କାର୍ଯ୍ୟକାରୀ ନ ହେବା ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନୂତନ ବିଡିଓଙ୍କୁ ନିଯୁକ୍ତି କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l
ରିପୋର୍ଟ : ସଞ୍ଜୟ କୁମାର ପାଣିଗ୍ରାହୀ, କନ୍ଧମାଳ